ନୂଆଦିଲ୍ଲୀ,୧୮/୦୯: ପୁଣି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ସବୁ ବିବାଦ ଓ ଆଲୋଚନାକୁ ପଛରେ ପକାଇ ପାକିସ୍ତାନ ଚଳିତ ଏସିଆ କପ୍ର ସୁପର-୪ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ଗ୍ରୁପ୍-ଏ’ର ଏକ ମ୍ୟାଚ୍ରେ ପାକିସ୍ତାନ ୪୧ ରନ୍ରେ ୟୁଏଇକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ୍ ବିନିମୟରେ ୧୪୬ ରନ ସଂଗ୍ରହ କରିଥିଲା । ଜବାବରେ ୟୁଏଇ ୧୭.୪ ଓଭରରେ ୧୦୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ପାକିସ୍ତାନ ଏହି ବିଜୟ ସହ ଏସିଆ କପ ସୁପର-୪ ରାଉଣ୍ଡକୁ ଏଣ୍ଟ୍ରୀ କରିଛି । ତେଣୁ ଆସନ୍ତା ୨୧ରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଦୁବାଇରେ ଏହି ମ୍ୟାଚ ଖେଳାଯିବ । 'ନୋ ହ୍ୟାଣ୍ଡେସେକ୍' ବିବାଦ ଭିତରେ ପୁଣି ଦୁଇ ଦେଶ ମଧ୍ୟରେ ହେବ ମହାମୁକାବିଲା ।
ପାକିସ୍ତାନ ବିପକ୍ଷରେ ଟସ୍ ଜିତି ୟୁଏଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ୨ଟି ମ୍ୟାଚ୍ରେ ଗୋଟିଏ ଲେଖାଏଁ ବଲ୍ ଖେଳି ଆଉଟ୍ ହୋଇଥିବା ସାଏମ ଆୟୁବ ଆଜି ମଧ୍ୟ ଖାତା ଖୋଲି ପାରି ନଥିଲେ । ଅନ୍ୟ ଓପନର ସାହିବଜାଦା ଫରହାନ ମଧ୍ୟ ୫ ରନ କରି ପାଭିଲିୟନ ଫେରିଥିଲେ । ମାତ୍ର ପ୍ରଥମ ୱିକେଟ୍ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଫଖାର ଜମାନ ଲଢୁଆ ବ୍ୟାଟିଂ କରି ଅର୍ଦ୍ଧଶତକ ଅର୍ଜନ କରିବା ଫଳରେ ସ୍ଥିତି ସୁଧୁରିଥିଲା । ସେ ସଲମାନ ଆଘାଙ୍କ ସହ ତୃତୀୟ ୱିକେଟ୍ରେ ୬୧ ରନ୍ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୭୦ ବେଳେ ସଲମାନ ବ୍ୟକ୍ତିଗତ ୨୦ ରନ କରି ଆଉଟ୍ ହେବା ପରେ ପୁନର୍ବାର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଫଖାର ୫୦(୨ଚୌକା, ୩ଛକା) ରନ କରି ଆଉଟ୍ ହୋଇଥିଲେ । ମଧ୍ୟ ଭାଗରେ ହାସାନ ନୱାଜ ୩, ଖୁସଦିଲ ଶାହା ୪, ମହମ୍ମଦ ନୱାଜ ୪ ଓ ମହମ୍ମଦ ହାରିସ୍ ୧୮ ରନ କରି ଆଉଟ୍ ହୋଇଥିଲେ । ଅନ୍ତିମ ଭାଗରେ ସାହିନ ଆଫ୍ରିଦି ଅପରାଜିତ ୨୯(୩ଚୌକା, ୨ଛକା) ରନ କରିବାରୁ ଦଳୀୟ ସ୍କୋର ୧୪୬ରେ ପହଞ୍ଚିଥିଲା ।
ୟୁଏଇ ପକ୍ଷରୁ ଜୁନୈଦ ସିଦ୍ଦିକି ୪ଟି ଓ ସିମରନଜୀତ ସିଂହ ୩ଟି ୱିକେଟ୍ ନେଇଥିଲେ । ୧୪୭ ରନ୍ର ବିଜୟ ଳକ୍ଷ୍ୟ କଷ୍ଟକର ନଥିଲେ ହେଁ ପାକିସ୍ତାନର ଶୃଙ୍ଖଳିତ ବୋଲିଂ ଆଗରେ ୟୁଏଇ ଚେତା ହରାଇଥିଲା । ଦଳୀୟ ସ୍କୋର ୨୧ବେଳେ ବ୍ୟକ୍ତିଗତ ୧୨ ରନ କରି ଆଲିସାନ ସରାଫୁ ଆଉଟ୍ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ବିପର୍ଯ୍ୟୟ । କେବଳ ରାହୁଲ ଚୋପ୍ରାଙ୍କୁ ଛାଡ଼ିଦେଲେ ଅନ୍ୟ କେହି କ୍ରିଜ୍ରେ ତିଷ୍ଠି ପାରିନଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭.୪ ଓଭରରେ ୧୦୫ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଧ୍ରୁବ ପରାସର ୨୦ ଓ ମହମ୍ମଦ ୱାସିମ ୧୪ ରନ କରିଥିଲେ । ଅନ୍ୟ କେହି ୨ଅଙ୍କ ଛୁଇଁ ପାରି ନଥିଲେ । ପାକିସ୍ତାନ ପକ୍ଷରୁ ହ୍ୟାରିସ ରୌଫ, ଆଫ୍ରିଦି ଓ ଅବରାର ଅହମ୍ମଦ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ମ୍ୟାଚରେ ୪୧ ରନ୍ର ବଡ ବିଜୟ ହାସଲ କରିଛି ପାକିସ୍ତାନ । ଏହା ସହିତ ସୁପର-୪ ରାଉଣ୍ଡରେ ପ୍ରବେଶ କରିଛି । ପୂର୍ବରୁ ସୁପର-୪ରେ ପ୍ରବେଶ କରିସାରିଥିବା ଭାରତ ସହ ଆସନ୍ତା ୨୧ରେ ଖେଳିବ । ଲିଗ୍ ପର୍ଯ୍ୟାୟରେ ଗତ ୧୪ରେ ଦୁଇ ଦେଶ ମଧ୍ୟରେ ମ୍ୟାଚ ଖେଳାଯାଇଥିବା । ଏଥିରେ ୭ ୱିକେଟରେ ଜିତିଥିଲା ଟିମ୍ ଇଣ୍ଡିଆ