ନୂଆଦିଲ୍ଲୀ,୧୧/୧୨; ବାରବାଟୀ ବିଜୟ ଚଣ୍ଡିଗଡ଼ରେ ଫିକା । ଦ୍ୱିତୀୟ ଟି-ଟ୍ୱେଣ୍ଟି ହାରିଲା ଭାରତ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫୧ ରନ୍‌ରେ ବିଜୟ ହାସଲ କରି ୧-୧ରେ ସିରିଜ ବରାବର କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ୨୧୩ ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ୧୯.୧ ଓଭରରେ ୧୬୨ ରନ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ୪୬ବଲ୍‌ରେ ୯୦ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିବା କ୍ୱିଣ୍ଟନ ଡି’କକ୍‌ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଆସନ୍ତା ୧୪ ତାରିଖରେ ଧର୍ମଶାଳାରେ ଉଭୟ ଦଳ ମଧ୍ୟରେ ତୃତୀୟ ମ୍ୟାଚ୍‌ ଖେଳାଯିବ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଘରୋଇ ଦଳ ପାଇଁ ଭାରି ପଡ଼ିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ଦ୍ରୁତ ବେଗରେ ରନ ସଂଗ୍ରହ କରିଥିଲା । ପ୍ରଥମ ମ୍ୟାଚ୍‌ରେ ଖାତା ଖୋଲି ପାରିନଥିବା କ୍ୱିଣ୍ଟନ ଡି କକ୍‌ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଅନ୍ୟ ଓପନର ରିଜା ହେଣ୍ଡରିକ୍ସ ତାଙ୍କୁ ସହାୟତା କରିଥିଲେ । ଉଭୟ ୩୮ ରନ ସଂଗ୍ରହ କରିଥିଲେ । ହେଣ୍ଡରିକ୍ସ ୮ ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ପ୍ରଥମ ୱିକେଟ୍‌ର ପତନ ଦକ୍ଷିଣ ଆଫ୍ରିକାକୁ ପ୍ରଭାବିତ କରି ନଥିଲା । ବରଂ ଆକ୍ରମଣ ପ୍ରଖର ହୋଇଥିଲା । ଡି କକଙ୍କ ସହ ଆଡେନ ମାରକ୍ରମ ମିଶି ଭାରତୀୟ ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଯଶପ୍ରୀତ ବୁମରାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବୋଲର ମଧ୍ୟ ଉଭୟଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ । ଲୟ ହରାଇ ବସିଥିବା ଅର୍ଶଦୀପ ଏକ ଓଭରରେ ୭ଟି ୱାଇଡ୍‌ ବଲ୍‌ ପକାଇଥିଲେ । ଉଭୟ ୮୩ ରନ୍‌ର ଭାଗିଦାରୀ ଗଢ଼ି ଦଳୀୟ ସ୍କୋରକୁ ୧୨୧ରେ ପହଞ୍ଚାଇଥିଲେ । ପୁଣି ଥରେ ଯୋଡ଼ି ଭାଙ୍ଗିଥିଲେ ବରୁଣ । ମାରକ୍ରମ ୨୯ ରନ କରି ଆଉଟ୍‌ ହୋଇଥିଲେ । ଡି କକ୍‌ଙ୍କୁ ଅଟକାଇବା ଅସମ୍ଭବ ମନେ ହୋଇଥିଲା । ସେ ଦଳୀୟ ସ୍କୋରକୁ ୧୫୬ରେ ପହଞ୍ଚାଇବା ପରେ ପାଭିଲିୟନ ଫେରିଥିଲେ । ୪୬ଟି ବଲ୍‌ର ସାମ୍ନା କରି ଡି କକ୍‌ ୫ଚୌକା ଓ ୭ଛକା ବଳରେ ୯୦ରନ କରିଥିଲେ । ଅନ୍ତିମ ଭାଗରେ ଡୋନୋଭାନ ଫେରେରା ଓ ଡେଭିଡ ମିଲର ୫୩ ରନ୍‌ର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୨୧୩ରେ ପହଞ୍ଚିଥିଲା । ଫେରେରା ୧୬ଟି ବଲ୍‌ରୁ ୩୦ (୧ଚୌକା, ୩ଛକା) ଓ ମିଲର ୧୨ଟି ବଲ୍‌ରୁ ୨୦ (୨ଚୌକା, ୧ଛକା) ରନ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ କେବଳ ବରୁଣ ୨ଟି ଓ ଅକ୍ଷର ପଟେଲ ଗୋଟିଏ ୱିକେଟ୍‌ ନେଇଥିଲେ ।

ଏହା ସହ ମଧ୍ୟ ପଢ଼ନ୍ତୁ : ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ : ଟିମ୍‌ ଇଣ୍ଡିଆକୁ ସାଉଥ୍ ଆଫ୍ରିକାର ବଡ଼ ଟାର୍ଗେଟ୍

ଜବାବରେ ଭାରତ ୯ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା । ଶୁଭମନ ଗିଲ୍‌ ଖାତା ଖୋଲିବା ପୂର୍ବରୁ ଲୁଙ୍ଗି ଏନ୍‌ଗିଡ଼ିଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭିଲିୟନ ଫେରି ଯାଇଥିଲେ । ମାର୍କୋ ଜାନସେନ ସହଳ ଆଉ ୨ଟି ୱିକେଟ୍‌ ନେଇ ବିପର୍ଯ୍ୟୟ ଘଟାଇଥିଲେ । ଅଭିଷେକ ୨ଟି ଛକା ବଳରେ ୧୭ ଓ ସୂର୍ଯ୍ୟକୁମାର ଯାଦବ ୫ ରନ କରି ଆଉଟ୍‌ ହେବା ସହ ଭାରତ ୩୨ରନ୍‌ରେ ୩ଟି ୱିକେଟ୍‌ ହରାଇ ସଂକଟରେ ପଡ଼ି ଯାଇଥିଲା । ଅକ୍ଷର ପଟେଲ ଓ ତିଳକ ବର୍ମା କିଛି ସମୟ କ୍ରିଜରେ ଜମି ରହି ୩୫ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ଅଷ୍ଟମ ଓଭରରେ ପଟେଲ (୨୧)ଙ୍କୁ ଆଉଟ୍‌ କରିଥିଲେ ଓଟିନେଲ ବାର୍ଟମାନ । ୬୭ ରନ୍‌ରେ ଭାରତ ୪ଟି ୱିକେଟ୍‌ ହରାଇ ସାରିଥିଲା । ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରୁଥିଲା । ଉଭୟ ୫୧ରନ୍‌ର ଭାଗିଦାରୀ ଗଠନ କରିଥିଲେ ହେଁ ବିଜୟ ପାଇଁ ଏହା ଯଥେଷ୍ଟ ନଥିଲା । ତିଳକ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ମାତ୍ର ପାଣ୍ଡ୍ୟା ୨୦ ରନ କରି ବିଦାୟ ନେଇଥିଲେ । ତିଳକ ଗୋଟିଏ ପଟେ ଲଢ଼େଇ ଜାରି ରଖିଥିଲେ । ହେଲେ ଅନ୍ୟ ପଟରୁ ତାଙ୍କୁ କୌଣସି ସହାୟତା ମିଳି ନଥିଲା । ଜିତେଶ ଶର୍ମା ୨୭, ଶିବମ ଦୁବେ ୧ ଓ ଅର୍ଶଦୀପ ୪ ରନ କରି ଆଉଟ୍‌ ହୋଇଥିଲେ । ବରୁଣ ଚକ୍ରବର୍ତ୍ତୀ ଖାତା ଖୋଲି ପାରିନଥିଲେ । ଶେଷରେ ତିଳକ ଆଉଟ୍‌ ହେବା ସହ ଭାରତର ଇନିଂସ ୧୬୨ରେ ସୀମିତ ରହିଥିଲା । ତିଳକ ୩୪ଟି ବଲ୍‌ରୁ ୨ ଚୌକା ଓ ୫ ଛକା ବଳରେ ୬୨ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ବାର୍ଟମାନ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଜାନସେନ, ଏନଗିଡ଼ି ଓ ଲୁଥୋ ସିପମାଲା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।