କଟକ,୩୦/୧୧: ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟି ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୦୨୫ ଟି୨୦ ଆନ୍ତର୍ଜାତୀୟ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ସୁରକ୍ଷା ଏବଂ ଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେବେ ଦର୍ଶକଙ୍କ ପାଇଁ ଆସନ୍ତକାଲି ଅର୍ଥାତ୍ ଡିସେମ୍ବର ୧ ତାରଖରୁ ଅନଲାଇନରେ ଟିକେଟ ଉପଲବ୍ଧ ହେବ। ପୂର୍ବ ମ୍ୟାଚରେ ଅନଲାଇନ୍ରେ ୪୦୦୦ ଟିକେଟ ଉପଲବ୍ଧ ଥିବା ବେଳେ ଏଥର ଅନଲାଇନରେ ୨୦୦୦ ଟିକେଟ ରହିଛି । District by Zomato ଆପ୍ରେ ଉପଲବ୍ଧ ହେବ ଅନଲାଇନ ଟିକେଟ ।

ଯେଉଁମାନେ ଅନଲାଇନରେ ଟିକେଟ କିଣିବେ ସେମାନଙ୍କୁ ଆସନ୍ତା ଡ଼ିସେମ୍ବର ୮ ଓ ୯ ତାରିଖରେ କ୍ୟାମ୍ବ୍ରିଜ୍ ସ୍କୁଲ୍ରୁ ବାରବାଟି ଏଣ୍ଟ୍ରି ଟିକେଟ ମିଳିବ। ପୂର୍ବରୁ ପ୍ରତ୍ୟେକ ସିଟର ବ୍ୟବଧାନ ଥିଲା ୧୯ ଇଞ୍ଚ୍, ଏବେ ଏହା ୨୨ ଇଞ୍ଚ୍ ହେଇଛି। ତେବେ ଗ୍ୟାଲେରୀ ନଂ ୧ ଓ ୩ର ଟିକେଟ ମୂଲ୍ୟ ୧୧୦୦ ଟଙ୍କା ରଖାଯାଇଥିବା ବେଳେ ଗ୍ୟାଲେରୀ ନଂ ୨ ଓ ୪ ପାଇଁ ୯୦୦ ଟଙ୍କା, ଗ୍ୟାଲେରୀ ନଂ ୫ ପାଇଁ ୧୨୦୦ ଟଙ୍କା, ଗ୍ୟାଲେରୀ ନଂ ୭ ପାଇଁ ୭୦୦୦, ସ୍ପେଶିଆଲ ଏନକ୍ଲୋକର ପାଇଁ ୬୦୦୦ ଟଙ୍କା, ଏ ସି ବକ୍ସ ପାଇଁ ୮୦୦୦ ଟଙ୍କା, ନ୍ୟୁ ପ୍ୟାଭିଲନ ପାଇଁ ୧୦,୦୦୦ ଟଙ୍କା, କର୍ପୋରେଟ ବକ୍ସ ପାଇଁ ୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ଓ ସି ଏ ସମ୍ପାଦକ ସଞ୍ଜୟ ବେହେରା।