ନୂଆଦିଲ୍ଲୀ,୨୯/୧୧ : ଆସନ୍ତା ମାସ ଶ୍ରୀଲଙ୍କା ମହିଳା ଦଳ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଆଗାମୀ ଡିସେମ୍ବର ୨୧ରୁ ୩୦ ତାରିଖ ମଧ୍ୟରେ ଉଭୟ ଦଳ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍ ବିଶାଖାପଟ୍ଟନମରେ ଏବଂ ଶେଷ ୩ଟି ମ୍ୟାଚ୍ ଥିରୁଅନନ୍ତପୁରମ ଠାରେ ଅନୁଷ୍ଠିତ ହେବ । ଏହି ସିରିଜ ଜରିଆରେ ଭାରତୀୟ ଖେଳାଳିମାନେ ଆଗାମୀ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ପାଇଁ ପ୍ରସ୍ତୁତି କରିବେ । ଶ୍ରୀଲଙ୍କାର ଜଣେ ହେଲେ ଖେଳାଳି ଡବ୍ଲ୍ୟୁପିଏଲ୍ ଫ୍ରାଞ୍ଚାଇଜ ଦଳରେ ସ୍ଥାନ ପାଇନାହାନ୍ତି ।

ସେହିପରି ଆସନ୍ତା ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ (ଜୁନ୍ ୧୨ରୁ) ରହିଛି । ତେଣୁ ଉଭୟ ଦଳ ପାଇଁ ଏହି ସିରିଜ ପ୍ରସ୍ତୁତି ସଦୃଶ ହେବ । ପୂର୍ବରୁ ବାଂଲାଦେଶ ଦଳ ଡିସେମ୍ବରରେ ଭାରତ ଗସ୍ତରେ ଆସି ସୀମିତ ଓଭର ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଏହି ସିରିଜକୁ ସ୍ଥଗିତ ଘୋଷଣା କରାଯାଇଛି । ଫଳରେ ବାଂଲାଦେଶ ସ୍ଥାନରେ ଶ୍ରୀଲଙ୍କା ଦଳ ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ସିରିଜ ଖେଳିବ । ସୂଚନାଯୋଗ୍ୟ, ଭାରତ ଓ ଶ୍ରୀଲଙ୍କା ଶେଷ ଥର ଦିନିକିଆ ବିଶ୍ୱକପ୍ରେ ସାମ୍ନାସାମ୍ନି ହୋଇଥିଲେ।

ଭାରତ-ଶ୍ରୀଲଙ୍କା କ୍ରୀଡ଼ାସୂଚୀ

  • ଡିସେମ୍ବର ୨୧: ପ୍ରଥମ ଟି-ଟ୍ୱେଣ୍ଟି (ବିଶାଖାପଟ୍ଟନମ)
  • ଡିସେମ୍ବର ୨୩: ଦ୍ୱିତୀୟ ଟି-ଟ୍ୱେଣ୍ଟି (ବିଶାଖାପଟ୍ଟନମ)
  • ଡିସେମ୍ବର ୨୬: ତୃତୀୟ ଟି-ଟ୍ୱେଣ୍ଟି (ଥିରୁଅନନ୍ତପୁରମ)
  • ଡିସେମ୍ବର ୨୮: ଚତୁର୍ଥ ଟି-ଟ୍ୱେଣ୍ଟି (ଥିରୁଅନନ୍ତପୁରମ)
  • ଡିସେମ୍ବର ୩୦: ପଞ୍ଚମ ଟି-ଟ୍ୱେଣ୍ଟି (ଥିରୁଅନନ୍ତପୁରମ)