ନୂଆଦିଲ୍ଲୀ, ୨୭/୨ : ସୁପର-୮ର ଅନ୍ତିମ ମୁକାବିଲା । ଭାରତ ଆଗରେ ଓ୍ବେଷ୍ଟଇଣ୍ଡିଜ୍ । ଏହି ମ୍ୟାଚକୁ କ୍ବାଟରଫାଇନାଲ ମଧ୍ୟ କୁହାଯାଉଛି । କାରଣ ଯେଉଁ ଦଳ ଜିତିବ ସେମିଫାଇନାଲ ଟିକେଟ୍ ହାତେଇବ । ଯେଉଁ ଦଳ ହାରିବ ସିଧା ଘରକୁ ଫେରିବ । ଉଭୟ ଦଳ ଜିମ୍ବାଓ୍ବେକୁ ହରାଇ ୨ ପଏଣ୍ଟ ଲେଖାଏଁ ପାଇଥିବାବେଳେ ଦକ୍ଷିଣଆଫ୍ରିକାଠାରୁ ହାରିଛନ୍ତି । ଏବେ ନିଜ ଦମରେ ସେମିରେ ପହଞ୍ଚିବାକୁ ପଡ଼ିବ । ଉଭୟ ଦଳ ମଧ୍ୟରେ ଭେଟାଭେଟି ହେବାକୁ ଥିବାବେଳେ ଏହା କଡ଼ା ଟକ୍କର ହେବ ବୋଲି ଆଶା ରଖାଯାଇଛି । ତେବେ ଯେତେ ବି ଭାରତ ଟି-୨୦ ବିଶ୍ବକପରେ ଭେଟିଛି ସବୁବେଳେ କଣ୍ଟା ସାଜିଛି ଓ୍ବେଷ୍ଟଇଣ୍ଡିଜ୍ ।

ଟି-୨୦ରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ଶକ୍ତିଶାଳି ଦଳ ଭାବେ ଜଣାଶୁଣା । ଉଭୟ ଦଳ ୩୦ଟି ମୁକାବିଲାରେ ସାମ୍ନାସାମ୍ନି ହୋଇଛନ୍ତି । ଯେଉଁଥିରେ ଭାରତ ୧୯ ଏବଂ ଓ୍ବେଷ୍ଟଇଣ୍ଡିଜ୍ ୧୦ ମ୍ୟାଚରେ ଜିତିଛି । ଗୋଟିଏ ମ୍ୟାଚ ଡ୍ର ରହିଛି । ମାତ୍ର ଟି-୨୦ ବିଶ୍ବକପରେ ଭାରତର ରେକର୍ଡ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ନୈରାଶ୍ୟଜନକ ରହିଛି । ଉଭୟ ୪ଥର ଭେଟାଭେଟି ହୋଇଥିବାବେଳେ ଭାରତ ୩ଥର ପରାଜୟ ବରଣ କରିଛି ।

୨୦୦୯ ଟି-୨୦ ବିଶ୍ବକପରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଭେଟାଭେଟି ହୋଇଥିଲା । ଭାରତ ୭ ଓ୍ବିକେଟ ବିନିମୟରେ ୧୫୩ ରନ କରିଥିଲା । ଜବାବ ବ୍ରାଭୋଙ୍କ ବିସ୍ଫୋରକ ୬୬ ରନର ପାଳି ବଳରେ ସହଜରେ ଓ୍ବେଷ୍ଟଇଣ୍ଡିଜ୍ ବିଜୟ ହାସଲ କରିଥିଲା । ଏହାପରେ ୨୦୧୦ ବିଶ୍ବକପରେ କ୍ରିସ ଗେଲଙ୍କ ୯୮ ରନର ପାଳି ବଳରେ ୧୬୯ ରନ ସଂଗ୍ରହ କରିଥିଲା । ମାତ୍ର ୧୫୫ ରନ କରିବାରେ ସକ୍ଷମ ହୋଇଥିଲା ।

୨୦୧୪ ମସିହାରେ ଖେଳାଯାଇଥିବା ବିଶ୍ବକପରେ ଯେତେବେଳେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ଭେଟିଥିଲା ବୋଲରଙ୍କ ପ୍ରାଧାନ୍ୟ ବଳରେ ୧୨୯ ରନରେ ସୀମିତ ରଖିଥିଲା । ବିରାଟ ୫୪ ଏବଂ ରୋହିତଙ୍କ ୬୨ ବଳରେ ଭାରତ ଏହି ମ୍ୟାଚ ଜିତିଥିଲା । ଯାହାର ପ୍ରତିଶୋଧ ୨୦୧୬ ଟି-୨୦ ବିଶ୍ବକପର ସେମିଫାଇନାଲରେ ନେଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ମୁମ୍ବାଇର ଓ୍ବାଙ୍ଖଡେରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୧୯୨ ରନ୍ କରିଥିଲା । ମାତ୍ର ସିମନ୍ସଙ୍କ ବିସ୍ଫୋରକ ପାଳି ବଳରେ ୭ ଓ୍ବିକେଟ୍ ମ୍ୟାଚରେ ଜିତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ୍ । ଯାହାକି ସବୁଠାରୁ ଦୁଃଖଦାୟକ ପରାଜୟ ବୋଲି କୁହାଯାଇପାରେ । ଏଣୁ ଭାରତ ପାଇଁ ଏବେ ପ୍ରତିଶୋଧ ନେବାର ସମୟ ଆସିଛି ।

ଏହାସହ ପଢ଼ନ୍ତୁ : ଭାଙ୍ଗିବ ଥଲ୍ଲାପତି ବିଜୟଙ୍କ ଘର, ଛାଡ଼ପତ୍ର ଆବେଦନ କଲେ ପତ୍ନୀ ସଙ୍ଗୀତା