ନୂଆଦିଲ୍ଲୀ,୧୭/୦୧: ଫ୍ରାନ୍ସ ନିକଟରୁ ଆଉ ୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବା ଲାଗି ଭାରତର ଯୋଜନା ପ୍ରଥମ ବଡ଼ ପର୍ଯ୍ୟାୟ ପାର୍ କରିଛି । ଡିଫେନ୍ସ ପ୍ରୋକ୍ୟୋରମେଣ୍ଟ ବୋର୍ଡ(ଡିପିବି) ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । ଆଗକୁ ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଡିଫେନ୍ସ ଆକ୍ୟୁଜିସନ୍ କାଉନ୍ସିଲ(ଡିଏସି) ନିକଟରେ ଉପସ୍ଥାପନ କରାଯିବ । ପରେ ସୁରକ୍ଷା ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି ଏହାକୁ ଚୂଡ଼ାନ୍ତ ସ୍ୱୀକୃତି ଦେବ ।
ସୂଚନା ଅନୁସାରେ, ଆସନ୍ତା ଫେବ୍ରୁଆରୀ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଏଲ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକ ସମୟରେ ଭାରତ-ଫ୍ରାନ୍ସ ଏହି ବଡ଼ ପ୍ରତିରକ୍ଷା ବୁଝମଣାକୁ ଅନ୍ତିମ ରୂପ ଦେବା ଦିଗରେ କାମ କରୁଛନ୍ତି । ଯୋଜନା ମୁତାବକ ସବୁକିଛି ଠିକ୍ ରହିଲେ ଏହା ଭାରତର ବାୟୁ ଶକ୍ତିକୁ ଆହୁରି ମଜଭୁତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ ।
ପ୍ରସ୍ତାବିତ ରାଫେଲ୍ ବୁଝାମଣାର ମୋଟ ବଜେଟ୍ ପ୍ରାୟ ୩.୨୫ ଲକ୍ଷ କୋଟି ରହିଛି । ଏହି ବୁଝାମଣା ଅନୁସାରେ ମୋଟ ୧୧୪ଟି ରାଫେଲ ଯୁଦ୍ଧବିମାନ କିଣାଯିବ । ସେଥିମଧ୍ୟରୁ ୧୨-୧୮ଟି ବିମାନକୁ ସଂପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ଭାରତ ଅଣାଯିବ । ବାକି ବିମାନର ନିର୍ମାଣ ଭାରତରେ ହେବ । ପ୍ରାଥମିକ ଭାବେ ଏହି ବିମାନରେ ୩୦ ପ୍ରତିଶତ ସ୍ୱଦେଶୀ ଉପକରଣ ଏବଂ ସାମଗ୍ରୀ ସାମିଲ ରହିବ । ପରେ ତାକୁ ୬୦ ପ୍ରତିଶତ ଯାଏ ବୃଦ୍ଧି କରାଯିବାର ଯୋଜନା ରହିଛି । ଏହି ବୁଝାମଣା ଅନ୍ତିମ ରୂପ ନେଲେ ଭାରତ ନିକଟରେ ମୋଟ ୧୭୬ଟି ରାଫେଲ ବିମାନ ରହିବ । ବର୍ତ୍ତମାନ ବାୟୁସେନା ନିକଟରେ ୩୬ଟି ରାଫେଲ ବିମାନ ଥିବାବେଳେ ନୌସେନା ୨୬ଟି ବିମାନ ଲାଗି ଅର୍ଡର ଦେଇଛି ।