ଅହମ୍ମଦାବାଦ, ୮/୩ : ଅହମ୍ମଦାବାଦରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଟି-୨୦ ବିଶ୍ବକପରେ ରଚିଲା ଇତିହାସ । ପ୍ରଥମ ଦଳ ଭାବେ ତୃତୀୟଥର ପାଇଁ ହାତେଇଛି ବିଶ୍ବକପ । ଘରୋଇ ମାଟିରେ ବଡ଼ ବିଜୟ ସହ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡଠାରୁ ବଦଲା ନେଇଛି ସୂର୍ଯ୍ୟ ବାହିନୀ । ନ୍ୟୁଜିଲାଣ୍ଡକୁ ୯୬ ରନରେ ହରାଇ ଫ୍ୟାନ୍ସଙ୍କ ମନ ଜିତିଛି ମେନ ଇନ୍ ବ୍ଲୁ । ଭାରତ ୨୫୬ ରନର ବିଜୟ ଲକ୍ଷ୍ୟ ଦେଇଥିବାବେଳେ ୧୫୯ ରନରେ ଅଲଆଉଟ୍ ହୋଇଛି ନ୍ୟୁଜିଲାଣ୍ଡ । ଭାରତ ପକ୍ଷରୁ ବୁମରା ୪ ଓ୍ବିକେଟ୍ ଏବଂ ଅକ୍ଷର ପଟେଲ ୩ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।
ଫାଇନାଲ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଟିମ୍ ଇଣ୍ଡିଆ ୫ ଓ୍ବିକେଟ୍ ବିନିମୟରେ ୨୫୫ ରନ୍ କରିଥିଲା । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମା ଏବଂ ସଞ୍ଜୁ ସାମସନ କିଓ୍ବି ବୋଲରଙ୍କୁ କରିଥିଲେ ଧରାଶାୟୀ । ପାଓ୍ବାର ପ୍ଲେ’ରେ ୯୨ ରନ୍ କରିଥିଲେ ଦୁଇ ଭାରତୀୟ ଓପନର । ଦୁଇ ଓପନର ଅର୍ଦ୍ଧଶତୀୟ ପାଳି ଖେଳିଥିଲେ । ଅଭିଶେକ ଶର୍ମା ୨୧ ବଲରୁ ୫୨ ରନ୍ କରିଥିବାବେଳେ ସଞ୍ଜୁ ସାମସନ ୪୬ ବଲରୁ ୮୯ ରନ୍ କରିଥିଲେ । ଅଭିଶେକ ଶର୍ମା ଆଉଟ୍ ହେବା ପରେ ମଧ୍ୟ ଭାରତର ରନରେଟ୍ କମିନଥିଲା । ସଞ୍ଜୁଙ୍କ ସହ ସାଥ୍ ଦେଇଥିଲେ ଇଶାନ କିଷନ । ସେ ୨୫ ବଲରୁ ୫୪ ରନ କରିଥିଲେ । ପରେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଖାତା ଖୋଲିବା ପୂର୍ବରୁ ପାଭିଳିୟନ ଫେରିଥିଲେ । ପରେ ହାର୍ଦ୍ଧିକ ଆଉଟ୍ ହେବା ପରେ ସ୍କୋର ଟିକେ ଧିମା ହୋଇଥିଲା । କିନ୍ତୁ ଅନ୍ତିମ ଓଭରରେ ୨୪ ରନ୍ ମାରି ୨୫୫ ରନରେ ପହଞ୍ଚାଇଥିଲେ ଶିଭମ ଦୁବେ । ମାତ୍ର ଏହି ସ୍କୋରକୁ ପିଛା କରିବାକୁ ଯାଇ ବିଫଳ ହୋଇଛି ନ୍ୟୁଜିଲାଣ୍ଡ ।