• ଭାରତର ସାମୁଦ୍ରିକ ସୁରକ୍ଷା ମଜବୁତ ଦେବ
  • ସମୁଦ୍ରରେ ଥାଇ ଶତ୍ରୁକୁ ମାତ୍‌ ଦେବ ଭାରତ
  • ନେଭିରେ ସାମିଲ ହେବ ଛଅଟି ଅତ୍ୟାଧୁନିକ ଷ୍ଟିଲଥ୍‌ ବୁଡ଼ାଜାହାଜ

ନୂଆଦିଲ୍ଲୀ - ଭାରତର ସାମୁଦ୍ରିକ ସୁରକ୍ଷାରେ ଆସିବ ଅଦ୍ଭୁତପୂର୍ବ ସୁଦୃଢତା। ଏନେଇ ଏକ ଐତିହାସିକ ଡିଲ୍‌ ହେବାକୁ ଯାଉଛି। ପ୍ରୋଜେକ୍ଟ  75(I) ଅଧୀନରେ, ଭାରତୀୟ ନୌସେନାକୁ ଛଅଟି ଅତ୍ୟାଧୁନିକ ଷ୍ଟିଲଥ୍‌ ପାରମ୍ପରିକ ବୁଡ଼ାଜାହାଜ ମିଳିବାକୁ ଯାଉଛି। ଏଗୁଡ଼ିକର ନିର୍ମାଣ ଜର୍ମାନୀର ଥାଇସେନକ୍ରୁପ୍ ମାରିନ୍ ସିଷ୍ଟମ୍ସ (TKMS) ସହ ସହଭାଗୀତାରେ ମୁମ୍ବାଇର ସ୍ଥିତ ମଝଗାଁ ଡକ୍ ସିପ୍‌ ବିଲ୍ଡର୍ସ ଲିମିଟେଡ୍ (MDL ରେ କରାଯିବ। ଏହି ମେଗା ଡିଲ୍‌ ପାଖାପାଖି ୮ ବିଲିୟନ ଡଲାର (ପ୍ରାୟ ୭୨,୦୦୦ କୋଟି ଟଙ୍କା) ମୂଲ୍ୟର, ଯାହା ଭାରତୀୟ ପ୍ରତିରକ୍ଷାର ସବୁଠାରୁ ବଡ଼ ବୁଡ଼ାଜାହାଜ ପ୍ରକଳ୍ପ ମଧ୍ୟରୁ ଗୋଟିଏ।

ଏହାସହ ମଧ୍ୟ ପଢନ୍ତୁ : ଇରାନରେ ରହୁଥିବା ଭାରତୀୟ ବାହାରକୁ ଯାଆନ୍ତୁ ନାହିଁ : ଭାରତ ସରକାରଙ୍କ ଦୃଢ ଚେତାବନୀ

କହି ରଖୁଛୁ ଯେ, ଜର୍ମାନ ଚାନ୍ସେଲର ଫ୍ରେଡରିକ୍‌ ମର୍ଜ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ପ୍ରତିରକ୍ଷା ସୂତ୍ରାନୁସାରେ, ମର୍ଜଙ୍କ ଗସ୍ତ ସମୟରେ ଅନ୍ତିମ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ନାହିଁ, କିନ୍ତୁ ଏହା ଆଗାମୀ ତିନି ମାସ ମଧ୍ୟରେ ସମାପ୍ତ ହୋଇ ପାରେ। ରିପୋର୍ଟ ଅନୁସାରେ, ସମ୍ପୂର୍ଣ୍ଣ ଚୁକ୍ତି ମାର୍ଚ୍ଚ ୨୦୨୬ ସୁଦ୍ଧା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି।

ଏହି ବୁଡ଼ାଜାହାଜର ସବୁଠାରୁ ଗୁରୁତ୍ତ୍ୱପୂର୍ଣ ବୈଶିଷ୍ଟ୍ୟ ହେଉଛି ସେମାନଙ୍କର ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍ସନ୍ (AIP) ପ୍ରଯୁକ୍ତିବିଦ୍ୟା, ଯାହା ଗଭୀର ସମୁଦ୍ର ଜଳରେ ଭୂପୃଷ୍ଠରେ ନପଡ଼ି ଦୀର୍ଘ ସମୟ ଯାଏ ଅପରେଟ୍‌ କରି ପାରିବ। ଏହି ଉନ୍ନ‌ତ AIP ପ୍ରଯୁକ୍ତିବିଦ୍ୟା ପ୍ରକଳ୍ପର ଦୀର୍ଘ ବିଳମ୍ୱର ମୁଖ୍ୟ କାରଣ ଥିଲା। ବାସ୍ତବିକ ଯେ, ଭାରତୀୟ ନୌସେନା ଏପରି ବୁଡାଜାହାଜ ଚାହୁଁଥିଲା ଯାହା ଅତ୍ୟନ୍ତ ଷ୍ଟିଲଥ୍‌ ଯୁକ୍ତ , କମ୍ ଶବ୍ଦ ସୃଷ୍ଟି କରୁଥିବ ଏବଂ ଦୀର୍ଘ ସମୟ ଯାଏ ଶତ୍ରୁର ଦୃଷ୍ଟିରୁ ଲୁଚି ରହିବାରେ ସକ୍ଷମ ହୋଇ ପାରିବ।

କେବଳ ଏତିକି ନୁହେଁ, ଏହି ଛଅଟି ବୁଡ଼ାଜାହାଜ ସଂପୂର୍ଣ୍ଣ ରୂପେ ଭାରତରେ ମଝଗାଁ ଡକୟାର୍ଡରେ ତିଆରି ହେବ, ଯେଉଁଥିରେ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ଦୃଢ଼ ପ୍ରୋତ୍ସାହନ  ମିଳିବ। ଜର୍ମାନର ବୈଷୟିକ ବିଶେଷଜ୍ଞତା ଏବଂ ଭାରତର ଉତ୍ପାଦନ କ୍ଷମତାର ଏହି ମିଶ୍ରଣ ଭାରତୀୟ ନୌସେନାକୁ ରଣନୈତିକ ଲାଭ ଦେବ।

ଅନ୍ୟପଟେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ,ଏହି ଷ୍ଟିଲଥ୍‌ ବା ଗୁପ୍ତ ବୁଡ଼ାଜାହାଜ ଗୁଡ଼ିକର ସାମିଲ ହେବା ଦ୍ୱାରା ଭାରତ ମହାସାଗର ଅଞ୍ଚଳରେ ଭାରତର ସାମୁଦ୍ରିକ ନିରୀକ୍ଷଣ, ପ୍ରତିରୋଧ ଏବଂ ରଣନୈତିକ ସନ୍ତୁଳନ ଆହୁରି ସୁଦୃଢ଼ ହେବ। ବଦ୍ଧିତ ବିଶ୍ୱ ଚ୍ୟାଲେଞ୍ଜ ମଧ୍ୟରେ, ଏହି ପ୍ରକଳ୍ପ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଅଧିକ ସୁଦୃଢ଼ କରିବ।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, P-75(1) ଅଧୀନରେ , ଏହି ନୂତନ ପିଢ଼ିର ବୁଡ଼ାଜାହାଜଗୁଡ଼ିକ ଟେକ୍ନୋଲୋଜି ସ୍ଥାନାନ୍ତର (ToT) ସହିତ ଆସିବ ଏବଂ ପ୍ରାୟ ୬୦ ପ୍ରତିଶତ ଉଚ୍ଚ ସ୍ବଦେଶୀକରଣ ସ୍ତର ରହିବ। ଏହି ପ୍ରକଳ୍ପ ଭବିଷ୍ୟତର ପି-୭୬ ପାଇଁ ଏକ ସେତୁ ଭଳି କାର୍ଯ୍ୟ କରିବ, ଯେଉଁଠାରେ ପାରମ୍ପରିକ ବୁଡ଼ାଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ୍ ଉପରେ ଆଧାରିତ ହେବ ।

AIP ଟେକ୍ନୋଲଜି କ'ଣ?

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, AIP ଟେକ୍ନୋଲଜି ବା ପ୍ରଯୁକ୍ତିବିଦ୍ୟା ପ୍ରକୃତରେ କ'ଣ ? AIP ର ଅର୍ଥ ହେଉଛି ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍ସନ୍ । ଏହା ଏକ ଆଧୁନିକ ପ୍ରଯୁକ୍ତିବିଦ୍ୟା ଯାହା ଅଣ-ପରମାଣୁ ବୁଡ଼ା ବୁଡ଼ାଜାହାଜଗୁଡ଼ିକୁ ବାୟୁ ବିନା ଦୀର୍ଘ ସମୟ ପାଇଁ ପାଣି ତଳେ ରହିବାକୁ କ୍ଷମତା ପ୍ରଦାନ କରିଥାଏ। ପାରମ୍ପରିକ ଡିଜେଲ-ଇଲେକ୍ଟିକ୍ ବୁଡ଼ାଜାହାଜଗୁଡ଼ିକୁ ସମୟ ସମୟରେ ବ୍ୟାଟେରୀ ରିଚାର୍ଜ କରିବା ପାଇଁ ଭୂପୃଷ୍ଠକୁ ଆସିବାକୁ ପଡ଼ିଥାଏ, ଯାହା ଶତ୍ରୁ ଦ୍ୱାରା ଦେଖାଯିବାର ଆଶଙ୍କା ବୃଦ୍ଧି କରିଥାଏ। AIP ପ୍ରଯୁକ୍ତିବିଦ୍ୟା ଏହି ଦୁର୍ବଳତାକୁ ବହୁ ପରିମାଣରେ ଦୂର କରିଥାଏ।