ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ନିୟୋଜିତ ହୋଇଥିବା ଦାବିକୁ ଭାରତୀୟ ସେନା ପ୍ରତ୍ୟାଖ୍ୟାନ କରିଛି। ସେନା ସ୍ପଷ୍ଟ କରିଛି ଯେ, ଦରବାର ସାହିବ ଅମୃତସର (ସ୍ୱର୍ଣ୍ଣ ମନ୍ଦିର) ପରିସରରେ କୌଣସି ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରାଯାଇ ନଥିଲା।
ତେବେ ଏହା ଦାବି କରାଯାଇଥିଲା ଯେ, ପ୍ରଥମ ଥର ପାଇଁ ଭାରତୀୟ ସେନା ସ୍ୱର୍ଣ୍ଣ ମନ୍ଦିରରେ ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରିଛି । ଆଉ ଏଥିପାଇଁ ସେଠାକାର ମୁଖ୍ୟ ଗ୍ରନ୍ଥୀଙ୍କ ଠାରୁ ଅନୁମତି ନିଆଯାଇଛି। କାରଣ ଅପରେସନ ସିନ୍ଦୁର ସମୟରେ ପାକିସ୍ତାନ ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ପରେ ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷା ବୃଦ୍ଧି କରାଯାଇଥିଲା।
ତେବେ ଶିରୋମଣି ଗୁରୁଦ୍ୱାର ପରିଚାଳନା କମିଟି ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯେତେବେଳେ ଅପରେସନ ସିନ୍ଦୂର ଚାଲିଥିଲା, ସେତେବେଳେ ମୁଖ୍ୟ ଗ୍ରନ୍ଥୀ ଆମେରିକା ଗସ୍ତରେ ଥିଲେ ଏବଂ ଏହାର ଅନୁମତିର ପ୍ରଶ୍ନ ଉଠୁନାହିଁ। ଏବେ ଏହି ମାମଲାରେ, ଭାରତୀୟ ସେନା ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ,ସେଠାରେ କୌଣସି ବାୟୁ ପ୍ରତିରକ୍ଷା ବନ୍ଧୁକ ମୁତୟନ କରାଯାଇ ନଥିଲା।
ସୂଚନାଥାଉକି ପାକିସ୍ତାନ ପଞ୍ଜାବର ଅମୃତସରରେ ଥିବା ଶିଖ ମାନଙ୍କ ପବିତ୍ର ସ୍ଥଳ ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ଏହାକୁ ନେଇ ଭାରତୀୟ ସେନା କହିଛି ଯେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସ୍ୱର୍ଣ୍ଣ ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା। ସେନା କହିଛି ଯେ ପାକିସ୍ତାନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ସଫଳତାର ସହ ନଷ୍ଟ କରାଯାଇଛି ।