ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆର ବ୍ୟବହାରକୁ ନେଇ ନିଜ ନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ସେନାର ଯବାନ ଓ ଅଧିକାରୀ ଇନଷ୍ଟାଗ୍ରାମ୍‌ର ଉପଯୋଗ କେବଳ ଦେଖିବା କିମ୍ବା ନଜର ରଖିବା ଉଦେଶ୍ୟରେ କରିପାରିବେ। ସେମାନେ କୌଣସି ପୋଷ୍ଟରେ କମେଣ୍ଟ କିମ୍ବା ଲାଇକ୍ କରିପାରିବେ ନାହିଁ। ଏହି ନିର୍ଦେଶ ସେନାର ସବୁ ୟୁନିଟ୍ ଓ ବିଭାଗ ପାଇଁ ଜାରି କରାଯାଇଛି।

ନୂତନ ନିର୍ଦ୍ଦେଶର ଉଦ୍ଦେଶ୍ୟ କ'?

ସୂତ୍ର ଅନୁଯାୟୀ, ସୋସିଆଲ ମିଡିଆ ବ୍ୟବହାର ସମ୍ବନ୍ଧୀୟ ନୂତନ ନୀତି ସମସ୍ତ ସେନା ୟୁନିଟ୍ ଏବଂ ବିଭାଗକୁ ଜାରି କରାଯାଇଛି। ସୈନିକଙ୍କୁ ସୋସିଆଲ ମିଡିଆ କଣ୍ଟେଣ୍ଟ ଦେଖିବା, ସେ ସମ୍ପର୍କରେ ସୂଚନା ରହିବା ପାଇଁ ସୀମିତ ଅନୁମତି ମିଳିବ, ଯାହା ଦ୍ୱାରା ସେମାନେ ନକଲି ଏବଂ ଭ୍ରାମକ କଣ୍ଟେଣ୍ଟକୁ ଚିହ୍ନଟ କରିପାରିବେ ଏବଂ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିପାରିବେ। ଏଥିରେ ସୂଚନା ଯୁଦ୍ଧ ଓ ଅପପ୍ରଚାର ବିରୋଧରେ ସେନାର ଆଭ୍ୟନ୍ତରୀଣ ସତର୍କତା ଅବଲମ୍ବନ କରିବାରେ ସାହାଯ୍ୟ ମିଳିପାରିବ।

‘ହନି ଟ୍ରାପ୍’ ଓ ସମ୍ବେଦନଶୀଳ ସୂଚନା ଲିକ୍ ପରେ ନିଷ୍ପତ୍ତି

ଭାରତୀୟ ସେନା ସମୟ ସମୟରେ ଫେସବୁକ୍, ଏକ୍ସ ଏବଂ ଇନଷ୍ଟାଗ୍ରମ୍ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାରକୁ ନେଇ ଗାଇଡଲାଇନ୍ ଜାରି କରିଥାଏ। ଏହି ସବୁ କଟକଣା ସୁରକ୍ଷା କାରଣରୁ ନିଆଯାଇଥାଏ। ଏହି କଡା ନିୟମର କାରଣ ହେଉଛି ବିଦେଶୀ ଏଜେନ୍ସି ଦ୍ବାରା ବିଛା ଯାଉଥିବା ‘ହନି ଟ୍ରାପ୍’। ଏଥିରେ ଫଶି କିଛି ଯବାନ ଅଜାଣତରେ ସମ୍ବେଦନଶୀଳ ସୂଚନା ଲିକ୍ କରିଦେଇଥାନ୍ତି। ଏହାକୁ ଦେଖି ସୋସିଆଲ ମିଡିଆରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରାଯାଇଛି।

ସେନା ମୁଖ୍ୟ କହିଲେ ଉପଯୋଗ ନିୟମ : 

ନିକଟରେ ଭାରତୀୟ ସେନା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଚାଣକ୍ୟ ପ୍ରତିରକ୍ଷା ଆଲୋଚନାରେ ସେନା କର୍ମଚାରୀଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ପାଇଁ ନିୟମ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଏକ ପ୍ରଶ୍ନ ପଚରାଯାଇଥିଲା ଯେ ଆଜିର ଯୁବପିଢ଼ି, ଜେନେରେସନ ଜେଡ୍, ସେନାରେ ଯୋଗ ଦେବାକୁ ଚାହାଁନ୍ତି। କିନ୍ତୁ ସେନା ଓ ସୋସିଆଲ ମିଡିଆ ଭିତରେ ଏହା ଏକ ବିରୋଧାଭାସ ପରି ମନେହୁଏ ଏହାର ଉତ୍ତରରେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଥିଲେ ଏହା ବାସ୍ତବରେ ଏକ ବଡ଼ ଚ୍ୟାଲେଞ୍ଜ। ଯେତେବେଳେ ଯୁବ କ୍ୟାଡେଟ୍ ଏନଡିଏକୁ ଆସନ୍ତି, ସବୁଠାରୁ ପ୍ରଥମେ ତାଙ୍କ ରୁମ୍‌ରେ ଲୁଚା ଯାଇଥିବା ଫୋନ୍‌କୁ ଖୋଜାଯାଏ। ତାଙ୍କୁ ଏହା ବୁଝାଇବାକୁ ୩ ରୁ ୬ ମାସ ସମୟ ଲାଗିଥାଏ ଯେ ବିନା ଫୋନରେ କିଭଳି ଜୀବନ ବିତାଇବାକୁ ହୁଏ। ତେବେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଆଜିର ସମୟରେ ସ୍ମାର୍ଟଫୋନ୍ ଖୁବ୍ ଜରୁରୀ ହୋଇପଡିଛି। ସେ କହିଥିଲେ ମୁଁ ସୈନିକଙ୍କୁ କେବେ ବି ସ୍ମାର୍ଟଫୋନ୍ ବ୍ୟବହାର ନେଇ ମନା କରିବିନି। ଆମେ ସବୁବେଳେ ଫିଲ୍ଡରେ ରହୁ। ପିଲାଙ୍କର ସ୍କୁଲ ଫି’ ଭରିବା, ବାପା-ମାଙ୍କ ସ୍ବାସ୍ଥ୍ୟବସ୍ଥା ଏବଂ ପତ୍ନୀଙ୍କ ସହ କଥା ହେବା ଏହା କେବଳ ଫୋନ୍ ଜରିଆରେ ସମ୍ଭବ ହେଉଛି।’

ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେବା ନେଇ ସେନା ମୁଖ୍ୟ କହିଥିଲେ, ରିଆକ୍ଟ କରିବା ଓ ରେସପନ୍ସ କରିବା ଦୁଇଟି ଅଲଗା କଥା। ରିଆକ୍ଟଂ କରିବା ଅର୍ଥ ତୁରନ୍ତ ଜବାବ୍ ଦେବା। ରେସପନ୍ସ କରିବାର ଅର୍ଥ ଭାବିଚିନ୍ତି ବୁଝିକି ଜବାବ ଦେବା। ଆମେ ଚାହୁଁନୁ ଆମର ସୈନିକ ତରବରିଆ ଭାବରେ କୌଣସି ଭୁଲ ନିଷ୍ପତ୍ତି ନିଅନ୍ତୁ। ତେଣୁ ତାଙ୍କୁ ଏକ୍ସ ଭଳି ପ୍ଲାଟଫର୍ମରେ କେବଳ ଦେଖିବାକୁ ଅନୁମତି ଦିଆଯାଉଛି,ଜବାବ ଦେବା ପାଇଁ ନୁହେଁ।’