ନୂଆଦିଲ୍ଲୀ ୩୦/୧୧: ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) ଏକ ଖୁସି  ଖବର ଦେଇଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ଇସ୍ରୋ ସ୍ପଷ୍ଟ କରିଛି,  ଗଗନଯାତ୍ରୀ ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲା ଓ ଗ୍ରୁପ୍‌ କ୍ୟାପ୍ଟେନ୍‌  ବାଲକ୍ରୀଷ୍ଣ ନାୟର ପ୍ରଥମ ପର୍ଯ୍ୟାୟ ଟ୍ରେନିଂ ଶେଷ ହୋଇଛି । ଏମାନଙ୍କୁ  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇବାକୁ ଇସ୍ରୋ ଓ ନାସା ମିଳିତ ମିଶନରେ ଅଛନ୍ତି । ମହାକାଶ କେନ୍ଦ୍ରକୁ ଜଣେ ଗଗନଯାତ୍ରୀଙ୍କୁ  ପଠାଯିବ । ଏଥିପାଇଁ ମୁଖ୍ୟତଃ ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଲାଙ୍କୁ  ଚୟନ କରାଯାଇଛି । ସେ ଏହି ମିଶନରେ ପାଇଲଟ୍‌ ଭୂମିକା ନିର୍ବାହ  କରିବେ । ଗ୍ରୁପ୍‌ କ୍ୟାପ୍ଟେନ୍‌ ନାୟରଙ୍କୁ ବ୍ୟାକ୍‌ଅପ ବିକଳ୍ପ ଭାବେ  ପଠାଯିବ । ମିଶନରେ ଇସ୍ରୋ ସମେତ ନାସା, ସ୍ପେସ୍‌ଏକ୍ସ, ଆକ୍ସିଓମ୍‌ ଭଳି  ଏଜେନ୍ସି ମଧ୍ୟ ସାମିଲ । ଗ୍ରୁପ୍‌ କ୍ୟାପ୍ଟେନ୍‌ ଶୁଭାଂଶୁ ସ୍ପେସ୍‌ଏକ୍ସର ରକେଟ୍‌  ଓ କ୍ୟାପ୍‌ସୁଲରେ ବସି ‘ଆକ୍ସିଓମ୍‌-୪’ ମିଶନରେ ଯିବେ । ଏଥିରେ  ୪ ମହାକାଶଚାରୀଙ୍କୁ ମହାକାଶ କେନ୍ଦ୍ରକୁ ପଠାଯିବ । ବର୍ତ୍ତମାନ ଶେଷ  ହୋଇଥିବା ଗଗନଯାତ୍ରୀଙ୍କ ଟ୍ରେନିଂରେ ସ୍ପେସ୍‌ଏକ୍ସ ସୁଟ୍‌ ଫିଟ୍‌ ଚେକ୍‌, ସ୍ପେସ୍‌  ଫୁଡ୍‌ ସିଲେକ୍ସନ୍‌, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଓ ଡ୍ରାଗନ୍‌ କ୍ୟାପ୍‌ସୁଲ ସହ  ପରିଚୟ କରାଇବା ଏବଂ ଆପାତକାଳୀନ ଚିକିତ୍ସା ପ୍ରତିକ୍ରିୟା ତାଲିମ ଥିଲା ।  ପରବର୍ତ୍ତୀ ତାଲିମ ଆମେରିକାର ଅର୍ବିଟାଲ ସେଗ୍‌ମେଣ୍ଟ୍‌ ଓ ମାଇକ୍ରୋଗ୍ରାଭିଟି  ଅଧ୍ୟୟନ ଉପରେ ହେବ । 

ଲକ୍ଷ୍ନୌରେ ଜନ୍ମିତ ଶୁଭାଂଶୁଙ୍କ ମିଲିଟ୍ରି ଟ୍ରେନିଂ ଏନ୍‌ଡିଏରେ ହୋଇଥିଲା ।  ୨୦୦୬ ମସିହାରେ ସେ ବାୟୁସେନାର ଫାଇଟର ଶାଖାରେ ସାମିଲ  ହୋଇଥିଲେ । ସେ ଜଣେ ଫାଇଟର କମ୍ବାଟ୍‌ ଲିଡର, ଟେଷ୍ଟ୍‌ ପାଇଲଟ୍‌ ମଧ୍ୟ ।  ୨୦୦୦ ଘଣ୍ଟାର ଉଡ଼ାଣ ଅନୁଭବ ତାଙ୍କର ରହିଛି । ସେ ସୁଖୋଇ-୩୦  ଏମ୍‌କେଆଇ, ମିଗ୍‌-୨୧, ମିଗ୍‌-୨୯, ଜାଗୁଆର, ହକ୍‌, ଡର୍ନିୟର, ଏନ୍‌-୩୨ ଭଳି ବିମାନ ଓ ଫାଇଟର ଜେଟ୍‌ ଉଡ଼ାଇଛନ୍ତି ।  

କେରଳରେ ଜନ୍ମିତ ଗ୍ରୁପ୍‌ କ୍ୟାପ୍ଟେନ୍‌ ପ୍ରଶାନ୍ତ ବାଲକ୍ରୀଷ୍ଣନ ନାୟର  ଏନ୍‌ଡିଏରେ ଟ୍ରେନିଂ ପୂରଣ କରିଛନ୍ତି । ଏୟାରଫୋର୍ସ ଏକାଡେମୀରୁ  ସେ ସୋର୍ଡ ଅଫ୍‌ ଅନର୍‌ ହାସଲ କରିଛନ୍ତି । ୧୯୯୮ ମସିହାରେ ତାଙ୍କୁ  ବାୟୁସେନାର ଫାଇଟର ଜେଟ୍‌ ପ୍ରୋଗ୍ରାମ୍‌ରେ ସାମିଲ କରାଯାଇଥିଲା ।  ସେ ସିଏଟି-ଏ ଶ୍ରେଣୀର ଉଡ଼ାଣ ପ୍ରଶିକ୍ଷକ ଓ ଟେଷ୍ଟ୍‌ ପାଇଲଟ୍‌ । ପ୍ରାୟ  ୩୦୦୦ ଘଣ୍ଟାର ଉଡ଼ାଣ ଅନୁଭବ ତାଙ୍କର ରହିଛି । ପ୍ରଶାନ୍ତ ସୁଖୋଇ୩୦ଏମ୍‌କେଆଇ, ମିଗ୍‌-୨୧, ମିଗ୍‌-୨୯, ହକ୍‌, ଡର୍ନିୟର, ଏଏନ୍‌-୩୨  ଆଦି ବିମାନ ଉଡ଼ାଇଛନ୍ତି