ନୂଆଦିଲ୍ଲୀ,୨୬/୦୫; ମଧ୍ୟପ୍ରାଚ୍ୟରେ ଜାରି ସଂକଟ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ୩ଏଫ୍ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ଏଫ୍ ବା ଇନ୍ଧନ, ସାର ଏବଂ ଫୋରେକ୍ସ ତଥା ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ମୁମ୍ବାଇରେ ସିଡ୍ବୀର ୩୭ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ବୋଧିତ କରି ସୀତାରମଣ ଏହା କହିଛନ୍ତି । ଅର୍ଥମନ୍ତ୍ରୀ କହିଲେ ଯେ, ୩ ଏଫ୍ ଅର୍ଥାତ୍ ଇନ୍ଧନ, ସାର ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ।

ଭାରତ ଏହାର ଆବଶ୍ୟକତାର ପ୍ରାୟ ୮୫% ଅଶୋଧିତ ତୈଳ ଆମଦାନି କରିଥାଏ । ମଧ୍ୟପ୍ରାଚ୍ୟରେ ସଂକଟ କାରଣରୁ ଅଶୋଧିତ ତୈଳ ମହଙ୍ଗା ହେବା ଫଳରେ ଦେଶରେ ଦରଦାମ ସମସ୍ୟା ତେଜିବାର ଆଶଙ୍କା ରହିଛି । ସେହିଭଳି ଚାଷକାର୍ଯ୍ୟ ପାଇଁ ବଡ଼ ଆକାରରେ ସାର ଆମଦାନି କରିଥାଏ ଭାରତ । ବିଶ୍ୱ ସ୍ତରରେ ଏହାର ଦର ବଢ଼ିବା ଦ୍ୱାରା ସରକାରଙ୍କ ଉପରେ ସବ୍ସିଡି ଚାପ ବୃଦ୍ଧି ପାଏ । ସେହିଭଳି କୌଣସି ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ବା ଫୋରେକ୍ସ ରିଜର୍ଭ ଏହାର ଆର୍ଥିକ ସ୍ୱାସ୍ଥ୍ୟକୁ ଦର୍ଶାଇଥାଏ । ଆମଦାନି ବିଲ୍ ଏହା ମାଧ୍ୟମରେ ପେମେଣ୍ଟ କରାଯାଏ । ତେଣୁ ବୈଦେଶିକ ମୁଦ୍ରା ଭଣ୍ଡାର ମଜଭୁତ ରହିବ ଦରକାର ।

ଅର୍ଥମନ୍ତ୍ରୀ ଉକ୍ତ ସମାଲୋଚକମାନଙ୍କୁ ଆକ୍ଷେପ କରି କହିଛନ୍ତି, ଯେଉଁମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପେଟ୍ରୋଲଡିଜେଲ ସଞ୍ଚୟ ଆହ୍ୱାନ ପରେ ଦେଶରେ ନକାରାତ୍ମକ ମାହୋଲ ବନାଇବାର ଉଦ୍ୟମ କରୁଛନ୍ତି । ସେ କହିଛନ୍ତି ଯେ, ଭାରତ ଭୟର ମାହୋଲକୁ ସହ୍ୟ କରିପାରିବ ନାହିଁ କିନ୍ତୁ ଏ ସମୟରେ ଲୋକଙ୍କୁ ଭରସା ଦେବା ଅତି ଜରୁରୀ । ସୀତାରମଣ ଆହୁରି କହିଛନ୍ତି ଯେ, ଘରୋଇ ବିକାଶକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଭାରତର ନୀତିଗୁଡ଼ିକୁ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ରାଜକୋଷରେ ୧ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଥିବା ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ବିଭିନ୍ନ ପ୍ରକାର ଆହ୍ୱାନଗୁଡ଼ିକ ସତ୍ତେ୍ୱ ଘରୋଇ ଅର୍ଥବ୍ୟବସ୍ଥା ଦୃଢ଼ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି । ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରି ସୀତାରମଣ କହିଲେ, ଅଶୋଧିତ ତୈଳର ବର୍ଦ୍ଧିତ ଦର ସହିତ ସାର ଦର ବି ଏଭଳି ସ୍ତରରେ ପହଞ୍ଚିଯାଇଛି, ଯାହାର କଳ୍ପନା କରାଯାଇପାରିବ ନାହିଁ । ଏହାସହିତ ବର୍ଦ୍ଧିତ ସୁନା ଦର ବି କିଛି ଆହ୍ୱାନ ସୃଷ୍ଟି କରୁଛି ।

ଏହା ବି ପଢନ୍ତୁ...ତରଳୁଛି ଗ୍ଲେସିୟର, ଅସ୍ଥିର ହେଉଛି ହିମାଳୟ ନଦୀ

ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସନ୍ଦର୍ଭରେ ଖର୍ଚ୍ଚ କାଟ ପାଇଁ ଆହ୍ୱାନ ଦେଇଥିଲେ । କିଛି ସମାଲୋଚକଙ୍କୁ ଆକ୍ଷେପ କରି ସୀତାରମଣ କହିଲେ ଯେ, ନକାରାତ୍ମକ କଥା କହୁଥିବା କିଛି ଲୋକ ଦାବି କରୁଛନ୍ତି ଯେ, ସବୁ କିଛି ଅବ୍ୟବସ୍ଥିତ ହୋଇଗଲାଣି, ଯାହାକି ସମ୍ପୂର୍ଣ୍ଣ ରୂପେ ଭୁଲ । କାର୍ଯ୍ୟକ୍ରମ ଅବସରରେ ଅର୍ଥମନ୍ତ୍ରୀ ଏମ୍ଏସ୍ଏମ୍ଇ ଶିଳ୍ପର ଏକ ବଡ଼ ସମସ୍ୟା ବିଷୟରେ ପ୍ରକାଶ କରିଥିଲେ । ସେ କହିଲେ ଯେ, ଏମ୍ଏସ୍ଏମ୍ଇଗୁଡ଼ିକର ୮.୧ ଲକ୍ଷ କୋଟି ଟଙ୍କାର ପେମେଣ୍ଟରେ ବିଳମ୍ବ ହେବା ଦ୍ୱାରା ସେମାନଙ୍କ କାର୍ଯ୍ୟକାରୀ ପୁଞ୍ଜି ଏବଂ ଅଭିବୃଦ୍ଧି ପ୍ରଭାବିତ ହେଉଛି ।