ନୂଆଦିଲ୍ଲୀ: ବୁଧବାର ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆଫଗାନିସ୍ଥାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୱାଲୱି ଆମିର ଖାନ ମୁତାକିଙ୍କୁ ଦୁବାଇରେ ଭେଟିଛନ୍ତି। ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ମାନବିୟ ସହାୟତା, ଚାବାହାର ବନ୍ଦର ଦେଇ ବାଣିଜ୍ୟ ଓ ଆଫଗାନିସ୍ଥାନର ସ୍ୱାସ୍ଥ୍ୟ ଓ ଶରଣାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା। 

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରୁଧିର ଜସୱାଲ ଏହି ବୈଠକର ଫଟୋ ସୋଶିଆଲ ମିଡିଆ ଏକ୍ସରେ ସେୟାର କରିଥିଲେ। ଫଟୋରେ ଦୁଇ ପକ୍ଷର ଅଧିକାରୀମାନେ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି। ଏହି ଆଲୋଚନାରେ ଦୁଇ ଦେଶ ନିଜର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଘୋଷଣା କରିଛି। ଭାରତ ଆଫଗାନ ଲୋକମାନଙ୍କ ପାଇଁ ନିଜର ମାନବୀୟ ସହାୟତା ଜାରି ରଖିବ ବୋଲି ଏହି ବୈଠକରେ ମିଶ୍ରୀ କହିଥିଲେ। ଏହି ପରିପ୍ରେକ୍ଷିରେ ଆଫଗାନ ମନ୍ତ୍ରୀ ଭାରତକୁ ଧନ୍ୟବାଦ ଜଣେଇବା ସହ ଭାରତ ନିଜର ସହାୟତା ଜାରି ରଖୁ ବୋଲି କହିଥିଲେ।

ଆଫଗାନ ଯୁବକଙ୍କ ମଧ୍ୟରେ ଲୋକପ୍ରିୟ କ୍ରିକେଟକୁ ନେଇ ଦୁଇ ଦେଶ ମଧ୍ୟରେ ସହଯୋଗ ବଢାଇବା ଉପରେ ଉଭୟ ପକ୍ଷ ସହମତି ପ୍ରଦାନ କରିଛନ୍ତି। ଏହାଛଡା ଚାବାହାର ବନ୍ଦର ମଧ୍ୟ ଦେଇ ବ୍ୟବସାୟ ଓ ମାନବିୟ ସହାୟତା ବଢିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ଆଫଗାନିସ୍ତାନରେ ମହିଳା ଓ ଅଳ୍ପସଂଖ୍ୟକଙ୍କ ଅଧିକାର ପାଇଁ ଭାରତ ଚିନ୍ତାବ୍ୟକ୍ତ କରିଥିଲା। ତେବେ ଭାରତ ବହୁ ଆଗରୁ ତାଲିବାନ ଦ୍ୱାରା ମହିଳା ମାନଙ୍କ ଉପରେ ଶିକ୍ଷା ଓ ରୋଜଗାରକୁ ନେଇ ଲଗାଯାଇଥିବା ପ୍ରତିବନ୍ଧକକୁ ଦୃଢ ନିନ୍ଦା କରିଆସୁଛି। 

ସୂଚନା ଅନୁସାରେ, କିଛିଦିନ ପୁର୍ବେ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଏୟାର ଷ୍ଟ୍ରାଇକରେ ଆଫଗାନିସ୍ତାନର ଅନେକ ନିର୍ଦୋଷ ନାଗରିକ ପ୍ରାଣ ହରେଇଥିଲେ। ଏହାକୁ ନେଇ ବର୍ତ୍ତମାନ ସମୟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଛି। ପାକିସ୍ତାନ ଆଫଗାନିସ୍ତାନ ଉପରେ ଆତଙ୍କୀ ସଂଗଠନ ଗୁଡିକୁ ଶରଣ ଦେଇଥିବା ନେଇ ଆରୋପ ଲଗାଉଛି। ଏହି ସମୟରେ ଭାରତ ଆଫଗାନିସ୍ତାନ ସହ ଏହି ସକରାତ୍ମକ ବୈଠକ କରିବା ପରେ ପାକିସ୍ତାନର ସମସ୍ୟା ଆହୁରି ବଢିବାକୁ ଲାଗିଛି।