ନୂଆଦିଲ୍ଲୀ, ୨୨।୨: ସୋସିଆଲ ମିଡିଆରେ ପିଲାମାନଙ୍କ ସୁରକ୍ଷାକୁ ନେଇ ସାରା ବିଶ୍ୱରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି । ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ଭଳି ପ୍ଲାଟଫର୍ମ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ ଅନେକ ଦେଶ ବୟସ ସୀମା ନିର୍ଦ୍ଧାରଣ କରି କଠୋର ଆଭିମୁଖ୍ୟ ଗ୍ରହଣ କଲେଣି । ବର୍ତ୍ତମାନ ଭାରତ ମଧ୍ୟ ଏହି ଦିଗରେ ବଡ଼ ପଦକ୍ଷେପ ନେବାକୁ ବିଚାର କରୁଛି । କେଉଁ ଦେଶରେ ରହିଛି କଟକଣା ରହିଛି ଆସନ୍ତୁ ଜାଣିବା ।

ଏହା ବି ପଢ଼ନ୍ତୁ... ଆମେରିକାରେ ହନୁମାନ ପ୍ରତିମାକୁ ନେଇ ହଙ୍ଗାମା: 'ଥର୍ଡ ୱାର୍ଲ୍ଡ ଏଲିୟନ୍ସ' କହି ଅପମାନିତ କଲେ MAGA ନେତା

ବିଶ୍ୱର ବିଭିନ୍ନ ଦେଶରେ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଭିନ୍ନ ଭିନ୍ନ ନିୟମ ରହିଛି:

ଅଷ୍ଟ୍ରେଲିଆ: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାରେ ଅଷ୍ଟ୍ରେଲିଆ ହେଉଛି ବିଶ୍ୱର ପ୍ରଥମ ଦେଶ । ୨୦୨୫ ଡିସେମ୍ବର ସୁଦ୍ଧା ଏହି ନିୟମକୁ କଡ଼ାକଡ଼ି କରାଯାଇଛି । ନିୟମ ଉଲ୍ଲଂଘନ କଲେ କମ୍ପାନୀଗୁଡ଼ିକୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ ।

ଫ୍ରାନ୍ସ: ଏଠାରେ ୧୫ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆ ବ୍ୟବହାର ପାଇଁ ବାପାମାଆଙ୍କ ଅନୁମତି ନେବା ବାଧ୍ୟତାମୂଳକ । ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଡିଜିଟାଲ୍ ସୁରକ୍ଷା ପାଇଁ ଭାରତ ସମେତ ଅନ୍ୟ ଦେଶକୁ ଏଭଳି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

ୟୁରୋପୀୟ ଦେଶ: ଡେନମାର୍କ ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ରୋକ ଲଗାଇଥିବା ବେଳେ ନରୱେ ଏହି ସୀମାକୁ ୧୫ କରିବାକୁ ପ୍ରସ୍ତାବ ଦେଇଛି । ସେହିପରି ସ୍ପେନ୍ ୧୬ ବର୍ଷରୁ କମ୍ ପିଲାଙ୍କ ଉପରେ ବ୍ୟାନ୍ ଲଗାଇବାକୁ ପ୍ରସ୍ତୁତ ହେଉଛି ।

ଭାରତରେ କ’ଣ ରହିଛି ବର୍ତ୍ତମାନର ସ୍ଥିତି ?

ବର୍ତ୍ତମାନ ସୁଦ୍ଧା ଭାରତରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ସେଭଳି କୌଣସି ସ୍ୱତନ୍ତ୍ର ବ୍ୟାନ୍ ଲାଗୁ ହୋଇନାହିଁ ।

ବର୍ତ୍ତମାନର ବୟସ ସୀମା: ଅଧିକାଂଶ ପ୍ଲାଟଫର୍ମରେ ସର୍ବନିମ୍ନ ବୟସ ୧୩ ବର୍ଷ ରହିଛି ।

ପ୍ରସ୍ତାବିତ ପରିବର୍ତ୍ତନ: ଭାରତ ସରକାର ଏହି ବୟସ ସୀମାକୁ ୧୬ ବର୍ଷକୁ ବୃଦ୍ଧି କରିବା ପାଇଁ ବିଭିନ୍ନ କମ୍ପାନୀଗୁଡ଼ିକ ସହ ଆଲୋଚନା ଚଳାଇଛନ୍ତି ।

ଡିଜିଟାଲ୍ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ (DPDP Act): ଏହି ଆଇନ ଅନୁଯାୟୀ, ନାବାଳକଙ୍କ ଡାଟା ବ୍ୟବହାର ପାଇଁ ଅଭିଭାବକଙ୍କ ସମ୍ମତି ଜରୁରୀ ।

ସୁରକ୍ଷା ବ୍ୟବସ୍ଥା: ପିଲାମାନେ ଯେପରି ନିୟମକୁ ଏଡ଼ାଇ ନଯାଆନ୍ତି, ସେଥିପାଇଁ 'ଏଜ୍ ଭେରିଫିକେସନ୍' ଅର୍ଥାତ୍ ବୟସ ଯାଞ୍ଚର କଠୋର ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଉଛି । ଏହାସହ ଏଣ୍ଡଲେସ୍ ସ୍କ୍ରୋଲିଂ ଭଳି ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ଯୋଜନା ଚାଲିଛି ।