ନୂଆଦିଲ୍ଲୀ,୨୭/୦୨; ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ଗୋଲକିପର ପିଆର ଶ୍ରୀଜେଶଙ୍କ ସନ୍ନ୍ୟାସ ପରେ ଭାରତୀୟ ଗୋଲପୋଷ୍ଟ ଯେମିତି ହୁଗୁଳା ହୋଇ ପଡ଼ିଛି । ସୂରଜ କାର୍କେରା, ପୱନ ଏବଂ ଅନ୍ୟମାନେ ସେମିତି ଅଭିଜ୍ଞ ହୋଇ ନାହାନ୍ତି । ନିୟମିତ ଅଧିନାୟକ ଡ୍ରାଗ୍ ଫ୍ଲିକର ହର୍ମନପ୍ରୀତ ସିଂ ଭଲ ଫର୍ମରେ ନାହାନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ମିଳୁଛି, କିନ୍ତୁ ତଥାପି ଦଳ ଭଲ ପ୍ରଦର୍ଶନ କରିପାରୁନି । ଆସନ୍ତା ସେପ୍ଟେମ୍ବର ମାସରେ ଏସିଆଡ୍ । ଏସିଆଡ୍‌ରେ ଭାରତ ସ୍ୱର୍ଣ୍ଣ ଜିତି ପାରିଲେ ସିଧାସଳଖ ଅଲିମ୍ପିକ୍ସ ଟିକେଟ୍ ମିଳିପାରିବ । ମାତ୍ର ତା’ ପୂର୍ବରୁ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଚିନ୍ତାର କାରଣ ପାଲଟିଛି ।

ପ୍ରଦର୍ଶନ ଅନୁସାରେ ଭାରତୀୟ ଦଳ ଏଫ୍ଆଇଏଚ୍ ମାନ୍ୟତା ତାଲିକାରେ ଖସିବାରେ ଲାଗିଛି । ଏବେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଏମିତି ପ୍ରଦର୍ଶନ ଜାରି ରହିଲେ ଦଳ ପାକିସ୍ତାନ (୧୪ତମ) ଭଳି ଶ୍ରେଷ୍ଠ ୧୦ରୁ ବାଦ ପଡ଼ିଯିବ । ପ୍ରୋ ଲିଗ୍‌ରେ ଏପର୍ଯ୍ୟନ୍ତ ଭାରତ ୮ଟି ମ୍ୟାଚ୍ ଖେଳି ସାରିଛି । ସେଥିରୁ ମାତ୍ର ଗୋଟିଏ ଜିତିବାରେ ସଫଳ ହୋଇଛି । ଅର୍ଥାତ ଦଳ ପାଇଁ ବିଜୟ ପଦ୍ମ ଯେମିତି ଘୁଞ୍ଚି ଘୁଞ୍ଚି ଯାଉଛି । ରାଉରକେଲାରେ ଭାରତ ପ୍ରୋ ଲିଗର ୪ଟି ଘରୋଇ ମ୍ୟାଚ ଆର୍ଜେଣ୍ଟିନା (୮-୦, ୪-୨ ଗୋଲ) ଓ ବେଲଜିୟମ (୩-୧, ୪-୨ ଗୋଲ) ସହ ଖେଳି ପରାଜିତ ହୋଇଥିଲା । ଏହାପରେ ହୋବାର୍ଟ ଗସ୍ତ କରିଥିଲା । ସେଠାରେ ସ୍ପେନଠୁ ୨-୦ ଓ ୧-୧ (୪- ୩) ଗୋଲରେ ଏବଂ ଅଷ୍ଟ୍ରେଲିଆଠୁ ୨-୨ (୫-୪) ପରାଜିତ ହୋଇଥିଲା । ଦ୍ୱିତୀୟ ଚରଣରେ ଅଷ୍ଟ୍ରେଲିଆକୁ ୧-୧ (୩-୧) ଗୋଲରେ ପରାଜିତ କରିଥିଲା । କ୍ରମାନ୍ୱୟରେ ୭ଟି ମ୍ୟାଚରେ ହାରିବା ପରେ ଦଳର ଏହା ପ୍ରଥମ ବିଜୟ ଥିଲା । ରାଉରକେଲାରେ ହର୍ମନପ୍ରୀତ ଅଧିନାୟକତ୍ୱ ସମ୍ଭାଳିଥିଲେ । କିନ୍ତୁ ସେ ବ୍ୟକ୍ତିଗତ କାରଣରୁ ହୋବାର୍ଟ ଗସ୍ତ କରିନଥିଲେ । ତେଣୁ ହାର୍ଦ୍ଦିକ ସିଂଙ୍କୁ ଦଳର ନେତୃତ୍ୱ ଦିଆଯାଇଥିଲା ।

ପ୍ରୋ ଲିଗ ପଏଣ୍ଟ ଟେବୁଲରେ ଭାରତ ଶେଷ ସ୍ଥାନରେ ଥିବା ପାକିସ୍ତାନ ଉପରେ ଅଷ୍ଟମ ସ୍ଥାନରେ ରହିଛି । ପାକିସ୍ତାନ ୮ଟି ମ୍ୟାଚ ଖେଳି ପଏଣ୍ଟ ଖାତା ଖୋଲି ପାରି ନାହିଁ । ଭାରତ ୪ ପଏଣ୍ଟ ପାଇଛି । କ୍ରମାନ୍ୱୟରେ ୨ ଥର ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଛି । କିନ୍ତୁ ଏମିତି ସମୟ ଆସିଛି ଦଳକୁ ପଡୋଶୀ ପାକିସ୍ତାନ ସହ ତୁଳନା କରିବାକୁ ପଡ଼ୁଛି । ଭାରତ ଅବଶିଷ୍ଟ ପ୍ରୋ ଲିଗ୍ ମ୍ୟାଚ ଆସନ୍ତା ଜୁନ ମାସରେ ଖେଳିବ । ପରବର୍ତ୍ତୀ ପ୍ରୋ ଲିଗ ପାଇଁ ଦଳ ପାଖରେ ଯଥେଷ୍ଟ ସମୟ ରହିଛି । ଦଳରେ ଅଧିକ ପରୀକ୍ଷା ନିରୀକ୍ଷା ନକରି ଏକ ଦୃଢ଼ ଦଳ ଏସିଆଡ୍ ପାଇଁ ଗଠନ କରିବାକୁ ହେବ । ଏସିଆଡ୍‌ରେ ଦଳ ଯେମିତି ସ୍ୱର୍ଣ୍ଣ ଜିତି ସିଧାସଳଖ ଅଲିମ୍ପିକ୍ସ ଟିକେଟ୍ ହାସଲ କରିବ ତା ଉପରେ ଟିମ୍ ମ୍ୟାନେଜମେଣ୍ଟକୁ ଧ୍ୟାନ ଦେବାକୁ ହେବ ।

ବିଶେଷ କରି ଦଳର ଗୋଲକିପର ଏବଂ ଡ୍ରାଗ ଫ୍ଲିକରଙ୍କ ଉପରେ ଅଧିକ ଫୋକସ କରିବାକୁ ହେବ । ଶ୍ରୀଜେଶଙ୍କ ଭଳି ଗୋଲକିପର ଏବଂ ହର୍ମନପ୍ରୀତଙ୍କ ଭଳି ଡ୍ରାଗ ଫ୍ଲିକର ଦଳକୁ ଆବଶ୍ୟକ ରହିଛି । ତେଣୁ ସମୟ ଥାଉ ଥାଉ ଏସବୁ ଦିଗ ଉପରେ ଯଦି ଫୋକସ କରାନଯିବ, ଆଗକୁ ସମସ୍ୟା ଅଧିକ ଜଟିଳ ହୋଇ ପଡ଼ିବ । ପୂର୍ବାପେକ୍ଷା ଭାରତୀୟ ଦଳରେ ଓଡ଼ିଶା ଖେଳିଙ୍କ ପ୍ରତିନିଧିତ୍ୱ ବଢ଼ିବାରେ ଲାଗିଛି । ଡିଫେଣ୍ଡର ଅମିତ ରୋହିଦାସଙ୍କ ସହ ଫରୱାର୍ଡ ଶିଳାନନ୍ଦ ଲାକ୍ରା ଓ ଡିଫେଣ୍ଡର ଅମନଦୀପ ଲାକ୍ରା ହୋବାର୍ଟ ଗସ୍ତରେ ଯାଇଥିଲେ । ସେମିତି ରାଉରକେଲାରେ ଡିଫେଣ୍ଡର ନୀଲମ ସଞ୍ଜୀପ ଖେସ ଓ ମିଡଫିଲ୍ଡର ରୋଶନ କୁଜୁରଙ୍କୁ ସୁଯୋଗ ମିଳିଥିଲା । ଶିଳାନନ୍ଦ କିନ୍ତୁ ପ୍ରତ୍ୟେକ ମ୍ୟାଚ୍ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଚାଲିଛନ୍ତି ।