ମୁମ୍ବାଇ ୨୭/୦୪: ଭୋପାଳର ହାର୍ଡୱେର ଇଞ୍ଜିନିୟର ଉୱେସଙ୍କ ପତ୍ନୀ ହିରା ପାକିସ୍ତାନରେ ଫସିଛନ୍ତି । ପହଲଗାମ୍‌ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ତାଙ୍କ ଭିସା ରଦ୍ଦ କରିଛି । ଫଳରେ ହିରାଙ୍କର ଭାରତ ଆସିବା ପୁଣି ଥରେ ବାତିଲ ହୋଇଛି । ଏହା ପୂର୍ବରୁ ପୁଲୱାମା ଆକ୍ରମଣ ସମୟରେ ମଧ୍ୟ ତାଙ୍କ ବିବାହ ପ୍ରସ୍ତୁତି ଆପାତତଃ ଶେଷ ହୋଇଥିଲା । ହିରା ନିଜ ପରିବାର ସହ ଭାରତ ଆସିଥାନ୍ତେ । କିନ୍ତୁ ଆକ୍ରମଣ ପରେ ଭିସା ରଦ୍ଦ କରାଗଲା । ଏହି ସ୍ଥିତିରେ ଅନ୍‌ଲାଇନ୍‌ ବିବାହ ଏକମାତ୍ର ବିକଳ୍ପ ଥିଲା । ମାର୍ଚ୍ଚ ୨୦୨୪ରେ ଉଭୟ ଅନ୍‌ଲାଇନ୍‌ ବିବାହ କରିଥିଲେ । 

ଭୋପାଳର କୋହେଫିଜା ବାସିନ୍ଦା ଉୱେସ ଖାନ୍‌ କହିଛନ୍ତି, ଆମ ଦୁହିଁଙ୍କର ପ୍ରେମ ୧୬ ବର୍ଷ ପୁରୁଣା । ନିକାହ (ବିବାହ) ମଧ୍ୟ ଟେକ୍ନୋଲୋଜି ଜରିଆରେ ହେଲା । ଏବେ ମିଳନର ସମୟ ଆସିବା ବେଳକୁ ସୀମାର ଉଭୟ ପାଶ୍ୱର୍ରେ ସ୍ଥିତି ବିଗିଡ଼ିଛି, ଯାହା ଆମ ମିଳନରେ ପ୍ରାଚୀର ହୋଇଛି । ଉୱେସ ପତ୍ନୀ ହିରାଙ୍କୁ ଭାରତ ଆଣିବା ପାଇଁ ସବୁ ପ୍ରସ୍ତୁତି କରିସାରିଥିଲେ । ଭିସା, ଟିକଟ୍‌ ଓ କାଗଜପତ୍ର ସବୁ ପ୍ରସ୍ତୁତ ଥିଲା । ଅମୃତସରରୁ ଲାହୋରକୁ ସେ ଟ୍ରେନ୍‌ ଟିକଟ୍‌ ବୁକ୍‌ କରିସାରିଥିଲେ । ଆସନ୍ତା ୧୯ ତାରିଖରେ ହିରାଙ୍କୁ ସେ ଭାରତ ଆଣିଥାନ୍ତେ । କିନ୍ତୁ ପହଲଗାମ୍‌ ନରସଂହାର ପରେ ପାକିସ୍ତାନ ଭିସା ମଞ୍ଜୁରି ଉପରେ ରୋକ ଲଗାଇଲା । 

ଉୱେସ କହିଛନ୍ତି, ହିରାଙ୍କର ମାମୁଁଘର ଭୋପାଳରେ । ପିଲାଦିନେ ସେ ଭୋପାଳ ଆସୁଥିଲେ । ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା । ଦୀର୍ଘ ୧୬ ବର୍ଷ ହେଲା ଉଭୟଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏବେ ମିଳନ ସମୟ ଆସିବା ବେଳକୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ସ୍ଥିତି ପୁଣି ଥରେ ଉଭୟଙ୍କୁ ଅଲଗା କରିଦେଇଛି ।