ନୂଆଦିଲ୍ଲୀ,୨୬/୦୫: ଭାରତୀୟ  ଫାର୍ମା ଶିଳ୍ପ ବର୍ତ୍ତମାନ ଚୀନକୁ କଡ଼ା ଟକ୍କର ଦେଉଛି । ଆମେରିକା ଏବଂ ଚୀନ ମଧ୍ୟରେ  ଜୋରଦାର ହୋଇଥିବା ବାଣିଜ୍ୟ ଯୁଦ୍ଧରୁ ଭାରତୀୟ ଫାର୍ମା ଶିଳ୍ପକୁ ଲାଭ ମିଳୁଛି ।  ଏହି କ୍ରମରେ କମ୍ପାନି ଗୁଡ଼ିକ ଏବେ ସେମାନଙ୍କ ଅପରେସନକୁ ଜୋରଦାର  କରିଛନ୍ତି । ବର୍ତ୍ତମାନ ଅନେକ ଭାରତୀୟ  ଫାର୍ମା କମ୍ପାନି ବିଦେଶୀ କମ୍ପାନିଙ୍କ ସହ  ଡିଲ୍‌ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଭାରତୀୟ ଫାର୍ମା ଶିଳ୍ପ ଚୀନ  ଲାଗି ମୁଣ୍ଡ ବିନ୍ଧା ପାଲଟିଥିବା କୁହାଯାଉଛି । 

ଇକୋନୋମିକ ଟାଇମ୍ସର ଏକ  ରିପୋର୍ଟ ମୁତାବକ, ସୁବେନ ଫାର୍ମାର  ଅଧ୍ୟକ୍ଷ ବିକେଶ ଶର୍ମା ନିକଟରେ ଏକ  ବଡ ଡିଲ ଲାଗି ବିଦେଶୀ କମ୍ପାନିଙ୍କ ସହ  ଆଲୋଚନା କରିଛନ୍ତି । ଏହି କମ୍ପାନି  ଔଷଧ ପ୍ରସ୍ତୁତିରେ ଆବଶ୍ୟକୀୟ ଜରୁରୀ  ସାମଗ୍ରୀ ଉତ୍ପାଦନ କରୁଛି । ହାଇଦ୍ରାବାଦ  ଭିତ୍ତିକ ଏହି କମ୍ପାନି ନୂଆ ଟେକ୍ନୋଲୋଜି  ଉପରେ କାମ କରୁଥିବା ଏକ କମ୍ପାନିଙ୍କୁ  ଅଧିଗ୍ରହଣ କରିବାକୁ ଚାହୁଁଛି । ଏହା ଦ୍ୱାରା  ଆମେରିକା, ୟୁରୋପର ବିଭିନ୍ନ ଦେଶ  ଗୁଡ଼ିକରେ ଏହାର ସାମଗ୍ରୀ ଦ୍ୱାରା ଉପସ୍ଥିତି  ଦୃଢ଼ କରିବ । 

ଏହା ପୂର୍ବରୁ ଡିସେମ୍ବରରେ ସୁବେନ  ଏନର୍ଜି ବାୟୋ ଇଙ୍କର ଅଧିକାଂଶ ଅଂଶଧନ  କ୍ରୟ କରିଥିଲା । ଏହି କମ୍ପାନି ଆମେରିକାର  ପ୍ରିନ୍ସଟନରେ ରହିଛି । ଏହା ଏକ ରିସର୍ଚ୍ଚ  କମ୍ପାନି ହୋଇଥିବା ବେଳେ କର୍କଟ  ଔଷଧ ପ୍ରସ୍ତୁତ କରୁଛି । ସୁବେନ ଏହି  କମ୍ପାନିକୁ ୬୫ ନିୟୁତ ଡଲାରରେ କ୍ରୟ  କରୁଛି । ଏହି ଡିଲ୍‌ ଦ୍ୱାରା ସୁବେନ କଣ୍ଟ୍ରାକ୍ଟ  ଡେଭଲପମେଣ୍ଟ ଆଣ୍ଡ୍‌ ମାନୁଫାକଚରିଂ  ଅର୍ଗାନାଇଜେସନ (ସିଡିଏମ୍‌ଓ)  ବଜାରରେ ଏକ ପ୍ରମୁଖ କମ୍ପାନି ଭାବେ  ଉଭା ହେବ । 

ସିଡିଏମ୍‌ଓ ବର୍ଗର କମ୍ପାନିଗୁଡ଼ିକ  ସାଧାରଣତଃ ଅନ୍ୟ କମ୍ପାନି ଲାଗି  ମେଡିସିନ ପ୍ରସ୍ତୁତ କରିଥାନ୍ତି । ଏହା ସହ  ମେଡିସନ ଗୁଡ଼ିକର ବଜାରରେ ପହଞ୍ଚ  ଉପରେ ମଧ୍ୟ ଏହି ବର୍ଗର କମ୍ପାନି କାମ  କରିଥାନ୍ତି । ଏହା ମଧ୍ୟରେ ବାୟୋକନ କମ୍ପାନି  ସିଞ୍ଜିନ ଇଣ୍ଟରନ୍ୟାଶନାଲ ଆମେରିକାର  ୱାଲ୍ଟିମୋରରେ ଏମର୍ଜେଣ୍ଟ ବାୟୋସଲ୍ୟୁଶନ  ନାମକ ଏକ କମ୍ପାନିକୁ କ୍ରୟ କରିଛି । ଏହି  କମ୍ପାନି ପ୍ରୋଟିନ ଏବଂ ଜିନ ଭଳି ବର୍ଗରେ  ମେଡିସିନ ପ୍ରସ୍ତୁତ କରୁଛି । 

୩୬.୫ ନିୟୁତ ଡଲାରରେ ଏହି ଡିଲ୍‌  ହୋଇଛି । ସିଞ୍ଜିନ ଇଣ୍ଟରନ୍ୟାଶନାଲର  ଏମ୍‌ଡି ତଥା ସିଇଓ ପିଟର ଭ୍ୟାନ୍ସ  କହିଛନ୍ତି, ଏହି ଡିଲ ଦ୍ୱାରା ଆମେରିକା  ବଜାରରେ ଉପସ୍ଥିତି ଦୃଢ଼ କରିବାରେ  ସହାୟକ ହେବ । ଏବେ ଭାରତର  ସିଡିଏମ୍‌ଓ ଗୁଡିକ ପାଶ୍ଚାତ୍ୟ ଦେଶର  ପ୍ରମୁଖ କମ୍ପାନିଗୁଡ଼ିକ ଲାଗି ମେଡିସିନ  ପ୍ରସ୍ତୁତ କରୁଛନ୍ତି । ସେହିଭଳି  ଆମେରିକା ଏବଂ ୟୁରୋପ ଭିତ୍ତିକ  କମ୍ପାନି ଗୁଡିକୁ ଅଧିଗ୍ରହଣ କରି ନିଜ  କ୍ଷମତା ବୃଦ୍ଧି କରୁଛନ୍ତି । 

ପ୍ରକ୍ରିୟା ସହ ଜଣେ ବରିଷ୍ଠ ଅଧିକାରୀ  କହିଛନ୍ତି, ଭାରତୀୟ ଫାର୍ମା କମ୍ପାନିଗୁଡିକ  ବିଦେଶୀ କମ୍ପାନି ଅଧିଗ୍ରହଣ ସୁଯୋଗ  ହାତଛଡା କରିବାକୁ ଚାହୁଁନାହାନ୍ତି । କର୍କଟ,  ଜୀନଥେରାପି ଏବଂ ବାୟୋଲୋଜି ଭଳି  ବର୍ଗର କମ୍ପାନିଙ୍କ ଉପରେ ସେମାନଙ୍କ  ନଜର ରହିଛି । ଚୀନ ଉପରେ ଏବେ  ବିଶ୍ୱ ବଜାର କମ୍ପାନିଗୁଡ଼ିକ ନିର୍ଭରତା  କମାଇବାକୁ ଚାହୁଁଛନ୍ତି । ଆମେରିକା ଏବଂ  ଚୀନ ମଧ୍ୟରେ ଲାଗି ରହିଥିବା ସଙ୍କଟ  ଯୋଗୁ କମ୍ପାନି ଗୁଡ଼ିକ ଚୀନ ବାହାରେ ଏକ  ବିକଳ୍ପ ବଜାର ଉପରେ ନଜର ରଖିଛନ୍ତି । 

ଲୋଏଷ୍ଟ୍ରୋ ନାମକ ଏକ କନସଲଟିଂ  ଫାର୍ମ ଅନୁସାରେ ପାଶ୍ଚାତ୍ୟ ଦେଶ ଗୁଡ଼ିକ  ନିଜ ଦେଶରେ ଫ୍ୟାକ୍ଟ୍ରି ସ୍ଥାପନ କରୁଛନ୍ତି ।  ଏହା ଦ୍ୱାରା ଉଭୟ ଅନୁପାଳନ ଏବଂ  ଯେଭଳି ମେଡିସିନ ଯୋଗାଣରେ  କୌଣସି ସମସ୍ୟା ରହିବ ନାହିଁ ।