ଅହମ୍ମଦାବାଦ,୦୩/୦୬: ଦୀର୍ଘ ୭୨ଦିନ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ପରେ ଚଳିତ ଆଇପିଏଲ୍ ଏବେ ଅନ୍ତିମ ପର୍ଯ୍ୟାୟରେ । ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫାଇନାଲ୍ ମ୍ୟାଚ୍ । ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୋଟେରା (ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍)ରେ ଟ୍ରଫି ପାଇଁ ସାମ୍ନା ସାମ୍ନି ହେବେ । ପୁଣି ଏକ ରୋମାଞ୍ଚକର ମୁକାବିଲା ସହ ନୂଆ ବିଜେତାଙ୍କ ଆବିର୍ଭାବ ଘଟିବ । ଉଭୟ ଦଳ ପ୍ରଥମ ଟ୍ରଫି ସ୍ୱପ୍ନ ପୂରଣ ପାଇଁ ବ୍ୟାକୁଳ । ତେଣୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।
ପଞ୍ଜାବ କିଙ୍ଗ୍ସ ୧୭ ବର୍ଷର ଆଇପିଏଲ୍ ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲ୍ରେ ପ୍ରବେଶ କରିଛି । ପୂର୍ବରୁ ଦଳ ୨୦୧୪ରେ ଫାଇନାଲ୍ ଖେଳି କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ୨୦୦୯, ୨୦୧୧ ଓ ୨୦୧୬ ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ଚତୁର୍ଥ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ଚାମ୍ପିଅନ୍ ହୋଇ ନାହାନ୍ତି । ଲିଗ୍ ଓ ପ୍ଲେ- ଅଫ୍ରେ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସର ପଲା ଭାରି ମନେ ହେଉଛି । କିନ୍ତୁ ପଞ୍ଜାବ କିଙ୍ଗ୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତିବଦ୍ଧ ।
ଲିଗ୍ ଓ ପ୍ଲେ-ଅଫ୍ ଶେଷ ହେବା ପରେ ଆଉ ଉଭୟ ଦଳର ପ୍ରଦର୍ଶନକୁ ନେଇ ଆଲୋଚନା କରିବାର ଆବଶ୍ୟକତା ନାହିଁ । କେବଳ ଆଜିର ପ୍ରଦର୍ଶନ ଉପରେ ସବୁ ନିର୍ଭର କରୁଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଭଳି ପଞ୍ଜାବ କିଙ୍ଗ୍ସ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦମ୍ଦାର ପ୍ରଦର୍ଶନ କରିଛି ।
ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର ମୁକାବିଲାରେ ପଞ୍ଜାବ କିଙ୍ଗ୍ସକୁ ୮ୱିକେଟ୍ରେ ହରାଇ ଫାଇନାଲ୍ରେ ପ୍ରବେଶ କରିଥିଲା । ପଞ୍ଜାବ କିଙ୍ଗ୍ସ ଦ୍ୱିତୀୟ କ୍ୱାଲିଫାୟରରେ ୫ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୫ୱିକେଟ୍ରେ ହରାଇଥିଲା । ଉକ୍ତ ମ୍ୟାଚ୍ରେ ଶ୍ରେୟାସ ଆୟରଙ୍କ ମ୍ୟାଚ ବିଜୟୀ ଇନିଂସ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ । କିନ୍ତୁ ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଆୟରଙ୍କ ବ୍ୟାଟ୍ ଚୁପ୍ ରହୁଥିବା ପଞ୍ଜାବ କିଙ୍ଗ୍ସ ପାଇଁ ଚିନ୍ତାର ବିଷୟ । ଇତି ମଧ୍ୟରେ ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ୩ଟି ଯାକ ମ୍ୟାଚରେ ଆୟର ଯଥାକ୍ରମେ ୭, ୬ ଓ ୨ ରନ ସଂଗ୍ରହ କରିଛନ୍ତି । ଆଜି ଆୟରଙ୍କ ପ୍ରଦର୍ଶନ ଉପରେ ପଞ୍ଜାବ କିଙ୍ଗ୍ସର ଭାଗ୍ୟ ନିର୍ଭର କରିବ ।
ରୟାଲ୍ ଚ୍ୟାଲେଞ୍ଜର୍ସ ବେଶ୍ ସନ୍ତୁଳିତ ଓ ଶକ୍ତିଶାଳୀ । ବ୍ୟାଟିଂ ବିଭାଗ ଫର୍ମରେ ରହିଛି । ଜୋସ ହାଜେଲଉଡ୍ଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ମଧ୍ୟ ସୁଦୃଢ଼ କରିଛି । ଏହି ତୁଳନାରେ ଦେଖିବାକୁ ଗଲେ ପଞ୍ଜାବ କିଙ୍ଗ୍ସର ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ । ମାର୍କୋ ଜାନସେନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ପାଇଁ ଦଳ ଛାଡ଼ିବା ପରେ ପଞ୍ଜାବ କିଙ୍ଗ୍ସର ବୋଲିଂ ବିଭାଗରେ ସେଭଳି ସନ୍ତୁଳନ ନାହିଁ । ତଥାପି ଆୟର ପେସ୍ ବୋଲରଙ୍କୁ ଚତୁରତାର ସହ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ରେ ମାର୍କସ ଷ୍ଟଇନିସ୍ଙ୍କୁ ବୋଲିଂ କରାଇ ରୋହିତ ଶର୍ମାଙ୍କୁ ଆଉଟ କରିବା ଏହାର ବଡ଼ ଉଦାହରଣ ।
ମୋଟେରାରେ ଆୟର ଓ ହାଜେଲଉଡଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିପାରେ । ଗତ ୩ଟି ମ୍ୟାଚରେ ଆୟରଙ୍କୁ ହାଜେଲଉଡ୍ ୨ଥର ଆଉଟ୍ କରିଛନ୍ତି । ଆଜି ୟୁଝବେନ୍ଦ୍ର ଚହଲଙ୍କ ଉପରେ ନଜର ରହିବ । ସେ ପୂର୍ବରୁ ୮ବର୍ଷ ଧରି ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିଥିଲେ । ୨୦୧୬ରେ ସେ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଫାଇନାଲ୍ ମଧ୍ୟ ଖେଳିଥିଲେ । ଏଥର ପଞ୍ଜାବ କିଙ୍ଗ୍ସ ପକ୍ଷରୁ ସେ ଖେଳିବେ । ତାଙ୍କ ବୋଲିଂ ପଞ୍ଜାବ କିଙ୍ଗ୍ସର ଭାଗ୍ୟ ବଦଳାଇ ପାରିବ । ସେ ପୂର୍ବ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବିପକ୍ଷରେ ୧୧ ରନ୍ରେ ୨ଟି ୱିକେଟ୍ ନେଇଥିଲେ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । କେବଳ ଟିମ୍ ଡେଭିଡଙ୍କ ଫିଟ୍ନେସ୍ ଉପରେ ସବୁ ନିର୍ଭର କରୁଛି । ସେ ଆଜି ଫିଟ୍ ଘୋଷିତ ହେଲେ ଏକାଦଶକୁ ଫେରିବେ ଓ ଲାଏମ ଲିଭିଙ୍ଗଷ୍ଟୋନ ଏକାଦଶରୁ ବାଦ ପଡ଼ିବେ।
ଆଜି ସେଣ୍ଟର ପିଚରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ପିଚ୍ ଉଭୟ ନାଲି ଓ କଳାମାଟିର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ପିଚ୍ରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ ସାମ୍ନା ସାମ୍ନି ହୋଇଥିଲେ । ଆୟର ଅପରାଜିତ ୯୭ ରନ୍ର ଇନିଂସ ଖେଳିଥିଲେ ଓ ପଞ୍ଜାବ କିଙ୍ଗ୍ସ ଜିତିଥିଲା । ଏଠାରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହେବାର ରେକର୍ଡ ରହିଥିଲେ ହେଁ ଆଜି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ଅପରାହ୍ଣରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମାତ୍ର ଏହା ମ୍ୟାଚ୍ ଅଟକାଇବ ନାହିଁ । ଫାଇନାଲ୍ ଏକ ରିଜର୍ଭ ଦିବସ ରଖାଯାଇଛି ।
ସମ୍ଭାବ୍ୟ ଦ୍ୱାଦଶ
ରୟାଲ୍ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ, ବିରାଟ କୋହଲି, ମୟଙ୍କ ଅଗରୱାଲ୍, ରଜତ ପାତିଦାର (ଅଧିନାୟକ), ଲାଏମ ଲିଭିଙ୍ଗଷ୍ଟୋନ/ଟିମ ଡେଭିଡ୍, ଜିତେଶ ଶର୍ମା, ରୋମାରିଓ ସେଫର୍ଡ, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ୟଶ ଦୟାଲ, ଜୋସ ହାଜେଲଉଡ୍, ସୂୟାଶ ଶର୍ମା ।
ପଞ୍ଜାବ କିଙ୍ଗ୍ସ: ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଜୋସ ଇଂଲିଶ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ ବ୍ରାର, କେଲି ଜାମିସନ, ୟୁଝବେନ୍ଦ୍ର ଚହଲ, ବିଜୟ କୁମାର ବୈଶାଖ ।