ଗୌହାଟୀ,୩୦/୦୩: ଆଜି ରାତି ଆଇପିଏଲ୍‌ର ଏକାଦଶ ଲିଗ୍‌ ମୁକାବିଲାରେ ରାଜସ୍ଥାନ - ଚେନ୍ନାଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା ରହିଛି । ରାଜସ୍ଥାନ ରୟାଲ୍ସ ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ ବର୍ଷାପଡ଼ା ଷ୍ଟାଡ଼ିୟମ୍‌ରେ ଚେନ୍ନାଇ  ସୁପରକିଙ୍ଗ୍‌ସକୁ ଭେଟିବ । ପ୍ରଥମ ୨ଟି  ମ୍ୟାଚ୍‌ରେ ପରାଜିତ ହୋଇସାରିଥିବା ରାଜସ୍ଥାନ  ରୟାଲ୍ସ ବିଜୟ ଖାତା ଖୋଲିବାକୁ ବ୍ୟାକୁଳ । ସୁପରକିଙ୍ଗ୍‌ସ ମଧ୍ୟ ରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ବିପକ୍ଷ ପରାଜୟ ଯନ୍ତ୍ରଣାରୁ  ମୁକୁଳିବାକୁ ଆଶାବାଦୀ ।  

ସୁପରକିଙ୍ଗ୍‌ସକୁ ହରାଇବା ସହଜ ନୁହେଁ । ତଥାପି ରାଜସ୍ଥାନ ରୟାଲ୍ସ ନିକଟରେ ଯଥେଷ୍ଟ ଶକ୍ତି ରହିଛି । ମାତ୍ର ଏହାପୂର୍ବରୁ ଦଳକୁ ସବୁ ତ୍ରୁଟି ସୁଧାରିବାକୁ ପଡ଼ିବ। ଟପ୍‌ ଅର୍ଡର  ବ୍ୟାଟିଂ ବ୍ୟତୀତ ବୋଲିଂ ବିଭାଗକୁ ଶୃଙ୍ଖଳିତ କରିବାକୁ ହେବ । ଯଶସ୍ୱୀ ଜୈସ୍ୱାଲ ଏପର୍ଯ୍ୟନ୍ତ  ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ରିୟାନ ପରାଗଙ୍କ ନେତୃତ୍ୱ ନୈରାଶ୍ୟଜନକ  ରହିଛି । ସଠିକ୍‌ ସମୟରେ ବୋଲରଙ୍କୁ  ବ୍ୟବହାର କରିବାରେ ସେ ବିଫଳ ହୋଇଛନ୍ତି ।  

ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଠାରୁ ପରାଜିତ  ହୋଇଥିଲା । ଚିପକ ଷ୍ଟାଡ଼ିୟମ୍‌ର ପିଚ୍‌ ଦ୍ୱିତୀୟ  ଭାଗରେ ମନ୍ଥର ହେଉଥିବାରୁ ସୁପରକିଙ୍ଗ୍‌ସ  ଦ୍ରୁତ ରନ୍‌ ସଂଗ୍ରହ କରିବାରେ ବିଫଳ  ହୋଇଥିଲା । ମାତ୍ର ବର୍ଷାପଡ଼ା ଷ୍ଟାଡ଼ିୟମ୍‌ର ପିଚ୍‌  ବ୍ୟାଟିଂ ପାଇଁ ଅନୁକୂଳ ରହିବ ।  

ରାଜସ୍ଥାନ ରୟାଲ୍ସ ପ୍ରଥମ ଦୁଇଟି ଯାକ  ମ୍ୟାଚ୍‌ରେ ଯଥାକ୍ରମେ ସନରାଇଜର୍ସ ଓ  କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ  ହୋଇଛି । ଉଭୟ ମ୍ୟାଚ୍‌ରେ ଦଳ ଅନେକ  ତ୍ରୁଟି କରିଥିଲା । ବ୍ୟାଟିଂ ବିଭାଗ ସେଭଳି  ସଫଳ ହୋଇପାରି ନଥିଲା । କେବଳ ଧ୍ରୁବ  ଜୁରେଲ ଓ ସିମରନ ହେତମାୟର ଉଭୟ  ମ୍ୟାଚ୍‌ରେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ । ବୋଲିଂ ବିଭାଗରେ ସନ୍ତୁଳନ ଦେଖିବାକୁ ମିଳି  ନଥିଲା । ଆସନ୍ତାକାଲି ରାଜସ୍ଥାନ ରୟାଲ୍ସକୁ  ଏସବୁ ଦିଗରେ ଧ୍ୟାନ ଦେବାକୁ ପଡ଼ିବ । 

ବର୍ଷାପଡ଼ା ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ  ପାଇଁ ଅନୁକୂଳ ରହିଥିଲେ ହେଁ ଏଠାରେ  ସ୍ପିନର ମାନେ ପିଚ୍‌ର ଭରପୁର ଫାଇଦା  ଉଠାଇ ପାରିବେ । ସୁପରକିଙ୍ଗ୍‌ସ ନିକଟରେ  ଅନେକ ଦକ୍ଷ ସ୍ପିନର ରହିଛନ୍ତି । ରାଜସ୍ଥାନ  ରୟାଲ୍ସ କେବଳ ମହୀଶ ତୀକ୍ଷଣା ଓ ୱାନିଣ୍ଡୁ  ହସରଙ୍ଗାଙ୍କ ଉପରେ ନିର୍ଭର କରିବ ।

ସମ୍ଭାବ୍ୟ ଦ୍ୱାଦଶ

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ ଜୈସ୍ୱାଲ୍‌,  ସଞ୍ଜୁ ସାମସନ, ରିୟାନ ପରାଗ  (ଅଧିନାୟକ), ନୀତିଶ ରାଣା, ଧ୍ରୁବ  ଜୁରେଲ, ସିମରନ ହେତମାୟର, ଶୁଭମ  ଦୁବେ, ୱାନିଣ୍ଡୁ ହସରଙ୍ଗା, ଜୋଫ୍ରା ଆର୍ଚର,  ମହୀଶ ତୀକ୍ଷଣା, ସନ୍ଦୀପ ଶର୍ମା, କୁମାର  କାର୍ତ୍ତିକେୟ/ତୁଷାର ଦେଶପାଣ୍ଡେ । 

ସୁପରକିଙ୍ଗ୍‌ସ: ରଚିନ ରବିନ୍ଦ୍ର, ଡେଭନ  କନୱେ, ଋତୁରାଜ ଗାଏକୱାଡ୍‌  (ଅଧିନାୟକ), ରାହୁଲ ତ୍ରିପାଠୀ/ବିଜୟ  ଶଙ୍କର, ଶିବମ ଦୁବେ, ରବିନ୍ଦ୍ର ଜାଡେଜା,  ଏମଏସ ଧୋନି, ଅଂଶୁଲ କାମ୍ବୋଜ, ଆର  ଅଶ୍ୱିନ, ନୂର ଅହମ୍ମଦ, ଖଲିଲ ଅହମ୍ମଦ,  ମଥୀଶା ପତିରଣା ।