ଲକ୍ଷ୍ନୌ, ୨୩/୦୫: ଚଳିତ  ଆଇପିଏଲ୍‌ର ୬୫ତମ ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନରାଇଜର୍ସ  ହାଇଦ୍ରାବାଦ ପରସ୍ପରକୁ ଭେଟିବେ।  ଶ୍ରେଷ୍ଠ ୨ ମଧ୍ୟରେ ସ୍ଥାନ ବଜାୟ ରଖିବା ରୟାଲ୍‌ ଚ୍ୟାଲେଞ୍ଜର୍ସର ଲକ୍ଷ୍ୟ ।  ତେଣୁ ଆଜି ସବୁ ଶକ୍ତି ଖଟାଇ ମ୍ୟାଚ୍‌ ଜିତିବାକୁ ଦଳ ଗୁରୁତ୍ୱ ଦେବ । ସନରାଇଜର୍ସ ପ୍ଲେ-ଅଫ ଦୌଡ଼ରୁ ବାଦ  ପଡ଼ି ସାରିଛି । ତେଣୁ ଏହି ମ୍ୟାଚ ଦଳ  ପାଇଁ ସେଭଳି ଗୁରୁତ୍ୱ ରଖୁନାହିଁ । ତଥାପି  ସମ୍ମାନ ବଞ୍ଚାଇବାକୁ ଦଳ ଗୁରୁତ୍ୱ ଦେବ । ଏହି ମ୍ୟାଚ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ  ଖେଳାଯିବାର ଥିଲା । ମାତ୍ର ବେଙ୍ଗାଲୁରୁରେ ପ୍ରବଳ ବର୍ଷାକୁ ନଜରରେ ରଖି  ଏହି ମ୍ୟାଚ୍‌କୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ  କରାଯାଇଛି । ଫଳରେ ରୟାଲ୍‌  ଚ୍ୟାଲେଞ୍ଜର୍ସ ଏକାନ୍ନା ଷ୍ଟାଡ଼ିୟମ୍‌କୁ  ଘରୋଇ ଗ୍ରାଉଣ୍ଡ ରୂପେ ବ୍ୟବହାର କରିବ । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୨ଟି ମ୍ୟାଚ୍‌ ଖେଳି ୧୭ ପଏଣ୍ଟ ଅର୍ଜନ କରିସାରିଛି ।  ଆଜି ବିଜୟ ସହ ଆଉ ୨ ପଏଣ୍ଟ  ଯୋଡ଼ିବାକୁ ଦଳ ପ୍ରୟାସ କରିବ । ଏହା ସମ୍ଭବ ହେଲେ ଶୀର୍ଷ ୨ ମଧ୍ୟରେ ସ୍ଥାନ ବଜାୟ ସଫଳ ହେବ, ଯାହା ପ୍ଲେ- ଅଫ୍‌ରେ ଦଳକୁ ସହାୟତା କରିବ ।  ଅନେକ ନିରାଶ ଓ ଅପେକ୍ଷା ପରେ ରୟାଲ ଚ୍ୟାଲେଞ୍ଜର୍ସ ଆଜି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଥିବାରୁ ବେଶ୍‌  ଉତ୍ସାହିତ । ୧୭ ତାରିଖ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌କୁ  ବର୍ଷା ଧୋଇ ନେଇଥିଲା । ଏହା  ପୂର୍ବରୁ ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ  ଆଇପିଏଲ୍‌ ୧୦ଦିନ ବନ୍ଦ ରହିଥିଲା । ଶେଷ ଥର ପାଇଁ ଗତ ୩ ତାରିଖରେ ଏକ  ମ୍ୟାଚ୍‌ ଖେଳିଥିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ ।  ଦୀର୍ଘ ୨୦ ଦିନ ପରେ ଦଳ ଆଜି  ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଛି । 

ଏକାନ୍ନା ଷ୍ଟାଡ଼ିୟମ୍‌ରେ ସନରାଇଜର୍ସ  ଗତ ୧୯ ତାରିଖରେ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସକୁ ହରାଇଥିଲା ।  ଆଜି ମଧ୍ୟ ବିଜୟ ଜାରି ରଖିବାକୁ  ଦଳ ଲକ୍ଷ୍ୟ ରଖିଛି । ଟ୍ରେଭିସ୍‌ ହେଡ୍‌  ଇତି ମଧ୍ୟରେ ସୁସ୍ଥ ହୋଇ ସାରିଛନ୍ତି ।  ଜୟଦେବ ଉନାକାତ ମଧ୍ୟ ଦଳରେ  ଯୋଗଦେଇ ସାରିଛନ୍ତି । ଫଳରେ ସନରାଇଜର୍ସ ଶ୍ରେଷ୍ଠ ଦଳ  ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଛି ।  ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟ ଚମତ୍କାର  ଫର୍ମରେ ରହିଛି । ତେଣୁ ମ୍ୟାଚଟି  ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ । 

ଆଜି ମୟଙ୍କ ଅଗରୱାଲ୍‌ ଦଳ  ପକ୍ଷରୁ ପଦାର୍ପଣ କରିବେ । ବିରାଟ କୋହଲିଙ୍କ  ଉପରେ ନଜର ରହିବା ସ୍ୱାଭାବିକ । ସେ ଏକ  ଅର୍ଦ୍ଧଶତକ ଅର୍ଜନ କଲେ ଆଇପିଏଲ୍‌ରେ  ସର୍ବାଧିକ ଅର୍ଦ୍ଧଶତକ ହାସଲକାରୀ  ବ୍ୟାଟର ଭାବେ ରେକର୍ଡ କରିବେ । 

ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସ  ନିର୍ଦ୍ଦେଶ ଅନୁଯାୟୀ ପିଚ୍‌ ଚୟନ କରାଯିବ ।  ସନରାଇଜର୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ  ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ କଳା ମାଟି ପିଚ୍‌ ବ୍ୟବହାର କରାଯାଇଥିଲା । ଆଜି ନାଲି ମାଟି ପିଚ୍‌ରେ ମ୍ୟାଚ୍‌ ଖେଳାଯିବ । ପିଚ୍‌ରୁ ଅତିରିକ୍ତ ବାଉନ୍ସ ଦେଖିବାକୁ ମିଳିପାରେ । ବ୍ୟାଟିଂ ପାଇଁ  ମଧ୍ୟ ପିଚ୍‌ ଅନୁକୂଳ ରହିବ । ରାତ୍ରିରେ  ମ୍ୟାଚ୍‌ ରହିଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଦ୍ବାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ ସଲ୍ଟ,  ବିରାଟ କୋହଲି, ମୟଙ୍କ ଅଗରୱାଲ୍‌,  ରଜତ ପାତିଦାର (ଅଧିନାୟକ),  ଜିତେଶ ଶର୍ମା, ରୋମାରିଓ ସେଫର୍ଡ,  ଟିମ ଡେଭିଡ୍‌, କୃନାଲ୍‌ ପାଣ୍ଡ୍ୟା,  ଭୁବନେଶ୍ୱର କୁମାର, ୟଶ ଦୟାଲ,  ଲୁଙ୍ଗି ଏନଗିଡ଼ି, ସୂୟାଶ ଶର୍ମା । 

ସନରାଇଜର୍ସ ହାଇଦ୍ରାବାଦ: ଟ୍ରେଭିସ ହେଡ୍‌, ଅଭିଷେକ ଶର୍ମା,  ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ,  ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍‌  କମିନ୍ସ (ଅଧିନାୟକ), ହର୍ଷଲ  ପଟେଲ, ହର୍ଷ ଦୁବେ, ଇଶାନ  ମାଲିଙ୍ଗା, ଜୟଦେବ ଉନାକାତ ।