ନୂଆଦିଲ୍ଲୀ ୩୧/୦୩: ଦେଶରେ ଇଂରେଜ ଅମଳର ରେଳ ନେଟ୍‌ୱର୍କର ଶେଷସନ୍ତକ ଇତିହାସ ହେବାକୁ ଯାଉଛି । ଭାରତୀୟ ରେଳ ବିଭାଗ ବ୍ରିଟିଶ୍‌ କଂପାନି କ୍ଲିକ୍‌-ନିକ୍ସନ୍‌ ଦ୍ୱାରା ନିର୍ମିତ ଶକୁନ୍ତଳା ରେଲୱେର ଅଧିଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ ଏହି ରେଳଲାଇନ୍‌ ବ୍ରିଟେନ୍‌ର ସେଣ୍ଟ୍ରାଲ ପ୍ରୋଭିନ୍ସେସ୍‌ ରେଲୱେ କଂପାନି(ସିପିଆର୍‌ସି)ର ମାଲିକାନାରେ ରହିଛି । 

ମହାରାଷ୍ଟ୍ରର ୟବତମାଲରୁ ଅଚଲପୁର ମଧ୍ୟରେ ୧୯୧୬ରେ ବନାଯାଇଥିବା ଏହି ରେଲୱେ ଟ୍ରାକ୍‌ ୧୮୮ କିମି ଲମ୍ବା । ସେତେବେଳେ ସେହି ଅଞ୍ଚଳରେ ବ୍ୟାପକ ଭାବେ କପା ଚାଷ କରାଯାଉଥିଲା । ତାକୁ ଦୃଷ୍ଟିରେ ରଖି କପା ପରିବହନ ପାଇଁ ଏହି ରୁଟ୍‌ରେ ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ ଚାଲୁଥିଲା । ସେଥିମଧ୍ୟରେ ଶକୁନ୍ତଳା ଏକ୍ସପ୍ରେସ ବି ସାମିଲ ଥିଲା । ଧୀରେ ଧୀରେ ଏହି ଟ୍ରାକ୍‌କୁ ଶକୁନ୍ତଳା ରେଲୱେ କୁହାଯିବା ଆରମ୍ଭ ହେଲା । 

୧୯୫୨ରେ ରେଳବିଭାଗର ରାଷ୍ଟ୍ରୀୟକରଣ ହୋଇଥିଲା । କିନ୍ତୁ ଏହି ଟ୍ରାକ୍‌ ଅଲଗା ରହିଗଲା । ଏବେ ବି ଏହି ଟ୍ରାକ୍‌ର ମାଲିକାନା ବ୍ରିଟେନ୍‌ର ଘରୋଇ କଂପାନି ନିକଟରେ ରହିଛି । ସେହି କଂପାନି ଟ୍ରାକ୍‌କୁ ସଞ୍ଚାଳିତ କରୁଛି । ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବା ସମୟରେ ଭାରତୀୟ ରେଳବିଭାଗ ସଂପୃକ୍ତ ବ୍ରିଟିଶ୍‌ କଂପାନି ସହ ଏକ ବୁଝାମଣା କରିଥିଲା । ସେହି ବୁଝାମଣା ଅନୁସାରେ ଏବେ ମଧ୍ୟ ଭାରତୀୟ ରେଳବିଭାଗ ପକ୍ଷରୁ ଟ୍ରାକ୍‌ ବ୍ୟବହାର ଲାଗି କଂପାନିକୁ ବାର୍ଷିକ ରୟାଲ୍‌ଟି ଦିଆଯାଉଛି । ରୟାଲଟି ବାବଦରେ ବାର୍ଷିକ ୨-୩ କୋଟି ଟଙ୍କା ପାଉଛି ସିପିଆରସି ।

୨୦୧୬ରେ ଏହି ନାରୋଗେଜ୍‌ ଟ୍ରାକ୍‌ର ଅଧିଗ୍ରହଣ କରି ୧୫ ହଜାର କୋଟି ଟଙ୍କା ବଜେଟ୍‌ରେ ଏହାକୁ ବ୍ରଡଗେଜ୍‌ରେ ପରିବର୍ତ୍ତନ ଲାଗି ସରକାର ଯୋଜନା କରିଥିଲେ । ଏଥିଲାଗି ୨୦୧୭ ଜୁଲାଇରେ ୟବତମାଲ ମୂର୍ତ୍ତିଜାପୁର ଓ ୨୦୧୯ ଏପ୍ରିଲରେ ମୂର୍ତ୍ତିଜାପୁର-ଅଚଳପୁର ମଧ୍ୟରେ ସେବା ରଦ୍ଦ କରାଗଲା । ସେବେଠାରୁ ଏହି ଟ୍ରାକ୍‌ ବନ୍ଦ ରହିଛି ।