ନୂଆଦିଲ୍ଲୀ,୦୧/୦୭: ରେଳଯାତ୍ରା ମହଙ୍ଗା।  ଆଜିଠୁ ଭାରତୀୟ ରେଳପଥ ପକ୍ଷରୁ ଯାତ୍ରୀ ଭଡ଼ାକୁ ବ୍ୟବସ୍ଥିତ କରିବା ତଥା  ସେବାରେ ଆର୍ଥିକ ସ୍ଥିରତା ବୃଦ୍ଧି  ଲାଗି ସଂଶୋଧିତ ଭଡ଼ା ଲାଗୁ କରିଛି । ଜେନେରାଲ ନନ୍‌-ଏସି  ଦ୍ୱିତୀୟ ଶ୍ରେଣୀରେ ସର୍ତ୍ତ ଭିତ୍ତିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି । ୫୦୦ କିମି ଯାଏ ଭଡ଼ାରେ କୌଣସି ବୃଦ୍ଧି କରାଯାଇନାହିଁ ।  ୫୦୧ରୁ ୧୫୦୦ କିମି ଦୂରତା  ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦  କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା  ଏବଂ ୨୫୦୧ରୁ ୩ ହଜାର କିମି  ଦୂରତ୍ୱ ପାଇଁ ଭଡ଼ା ୧୫ ଟଙ୍କା ବୃଦ୍ଧି ହୋଇଛି। 

ସେହିଭଳି ଉପନଗର  ଏକକ ଯାତ୍ରୀ ଭଡ଼ା ଏବଂ ସିଜନ  ଟିକଟରେ କୌଣସି ପରିବର୍ତ୍ତନ  ହୋଇନାହିଁ । ସ୍ଲିପର କ୍ଲାସରେ ପ୍ରତି  କିମି ପିଛା ୦.୫ ପଇସା, ପ୍ରଥମ  ଶ୍ରେଣୀରେ କିମି ପିଛା ୦.୫ ପଇସା  ବୃଦ୍ଧି ହୋଇଛି । ନନ୍‌-ଏସି ମେଲ୍‌  ଏବଂ ଏକ୍ସପ୍ରେସ ବର୍ଗରେ ଦ୍ୱିତୀୟ ଶ୍ରେଣୀରେ କିମି ପିଛା ୧ ପଇସାଇ  ସ୍ଲିପର କ୍ଲାସ କିମି ପିଛା ୧ ପଇସା,  ପ୍ରଥମ ଶ୍ରେଣୀରେ କିମି ପିଛା ୧  ପଇସା ବୃଦ୍ଧି କରାଯାଇଛି । ଏହାବାଦ  ଏସି ଶ୍ରେଣୀ ମେଲ୍‌, ଏକ୍ସପ୍ରେସ ପାଇଁ  କିମି ପିଛା ଭଡ଼ା ୨ ପଇସା ବଢ଼ିଛି ।  ଆନୁଷଙ୍ଗିକ ଶୁଳ୍କରେ କୌଣସି ପରିବର୍ତ୍ତନ  ହୋଇନାହିଁ । ସେହିଭଳି ସଂରକ୍ଷଣ  ଦେୟ, ସୁପର୍‌ଫାଷ୍ଟ ଚାର୍ଜ, ଅନ୍ୟାନ୍ୟ  ଶୁଳ୍କ ଅପରିବର୍ତ୍ତିତ ରହିଛି । ପ୍ରଯୁଜ୍ୟ  ନିୟମ ଅନୁସାରେ ଜିଏସ୍‌ଟି ଲାଗୁ ହେବ  ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।