ନୂଆଦିଲ୍ଲୀ,୩୧/୦୩: ମଧ୍ୟପ୍ରାଚ୍ୟରେ ରଣହୁଙ୍କାର ଭାରତୀୟ ବଜାରରେ ସୃଷ୍ଟି କରିଛି କମ୍ପନ । ଦୁର୍ବଳ ହୋଇଚାଲିଛି ଟଙ୍କା । ତୈଳ ଦର ଉପରମୁହାଁ ଆଉ ପୁଞ୍ଜି ବଜାର ଥରହର। ଏସବୁ ମଧ୍ୟରେ ଅର୍ଥନୀତିରେ ଘୋଟି ଆସିଲାଣି ଅନିଶ୍ଚିତତାର କଳାବାଦଲ । ଆମେରିକା ଡଲାର ତୁଳନାରେ ଆଜି ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ପ୍ରଥମ ଥର ୯୫ ସ୍ତର ପାର୍ କରିଯାଇଛି । ସୋମବାର ୮୮ ପଇସା ଖସି ୯୫.୫୮ ସ୍ତରକୁ ଆସିଯାଇଛି ଭାରତୀୟ ମୁଦ୍ରା । ଇରାନ ସହିତ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ଯୋଗୁ ବଜାରରେ ଦେଖାଦେଇଛି ଅସ୍ଥିରତା । ମାସକରେ ପାଖାପାଖି ୪% ଖସିଗଲାଣି ଟଙ୍କା । ଚଳିତ ଆର୍ଥିକବର୍ଷରେ ଏହା ୧୦%ରୁ ଅଧିକ ଦୁର୍ବଳ ହୋଇଯାଇଛି । ଟଙ୍କା ଦୁର୍ବଳ ହେବା ଦ୍ୱାରା ଅର୍ଥନୀତିରେ ବଡ଼ ପ୍ରଭାବ ଦେଖିବାକୁ ମିଳିବ । ପ୍ରଭାବିତ ହେବେ ଆମ୍ ଆଦ୍ମୀ । ବିଦେଶରୁ ଆମଦାନି ହେଉଥିବା ସାମଗ୍ରୀ ଯଥା ମୋବାଇଲ, ସୁନା, ରୁପା, ଅଶୋଧିତ ତୈଳ କ୍ରୟ ମହଙ୍ଗା ହୋଇଯିବ । ଫଳରେ ଦରଦାମ ଆହୁରି ତେଜିବ ।

ବିଶେଷଜ୍ଞଙ୍କ ମତରେ ଟଙ୍କା ଦୁର୍ବଳ ହେବାର ଅନେକ କାରଣ ରହିଛି । ଉପସାଗରୀୟ ରାଷ୍ଟ୍ରଗୁଡ଼ିକର ଶକ୍ତି ଭିତ୍ତିଭୂମି ଉପରେ ଇରାନର ହମ୍ଲା ପରେ ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ୍ ଦର ୧୧୦ ଡଲାର ପାର କରିଯାଇଛି । ଭାରତ ଏହାର ଆବଶ୍ୟକତାର ୮୫% ତୈଳ ଆମଦାନି କରିଥାଏ, ଯେଉଁଥିପାଇଁ ଏହା ଡଲାରରେ ପେମେଣ୍ଟ କରେ । ତେଲ ମହଙ୍ଗା ହେବା ଦ୍ୱାରା ଡଲାର ଚାହିଦା ବୃଦ୍ଧି ପାଇଛି ଏବଂ ଟଙ୍କା ଦୁର୍ବଳ ହୋଇଯାଇଛି ।

ସେହିଭଳି ବିଦେଶ ପୋର୍ଟଫୋଲିଓ ନିବେଶକ (ଏଫ୍ଆଇଆଇ) ମାନେ ମାର୍ଚ୍ଚରେ ଏଯାବତ ଭାରତୀୟ ସେୟାର ବଜାରରୁ ପ୍ରାୟ ୧୨.୩ ବିଲିୟନ ଡଲାର (ପାଖାପାଖି ୧.୧୫ ଲକ୍ଷ କୋଟି ଟଙ୍କା) ଉଠାଇ ସାରିଲେଣି । ବିଶ୍ୱ ବଜାରରେ ଅନିଶ୍ଚିତତା ଏବଂ ଯୁଦ୍ଧ ଭୟରେ ବିଦେଶୀ ନିବେଶକ ଭାରତ ଭଳି ବିକାଶମୁଖୀ ବଜାରରୁ ଟଙ୍କା ଉଠାଇ ସୁରକ୍ଷିତ ସ୍ଥାନ ଯେପରି ଆମେରିକୀୟ ବଣ୍ଡ୍ରେ ନିବେଶକ କରୁଛନ୍ତି । ଏତେ ମାତ୍ରାରେ ସେୟାର ବିକ୍ରି କାରଣରୁ ବି ଟଙ୍କା ଉପରେ ଚାପ ବୃଦ୍ଧି ପାଇଛି ।

ହୋର୍ମୁଜ ଜଳମାର୍ଗରେ ଅଶାନ୍ତ ବାତାବରଣ ବି ଟଙ୍କାର ପତନର ଅନ୍ୟ ଏକ କାରଣ ହୋଇପାରେ । ଏହି ମାର୍ଗ ଦେଇ ବିଶ୍ୱର ପ୍ରାୟ ୨୦% ଏବଂ ଭାରତର ପ୍ରାୟ ଅଧା ତେଲ ପରିବହନ ହୋଇଥାଏ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବର୍ଦ୍ଧିତ ଅଶାନ୍ତି କାରଣରୁ ଏ ମାର୍ଗରେ ତୈଳ ଯୋଗାଣ ବାଧା ପାଇଛି । ବଜାର ବିଶେଷଜ୍ଞଙ୍କ କହିବାନୁପାରେ, ଯେ ପର୍ଯ୍ୟନ୍ତ ସାମୁଦ୍ରିକ ମାର୍ଗରେ ସ୍ଥିତି ସ୍ପଷ୍ଟ ନ ହୁଏ, ସେ ପର୍ଯ୍ୟନ୍ତ ଟଙ୍କାରେ ଉତ୍ଥାନ ପତନ ଜାରି ରହିବ ।

ଅର୍ଥନୀତିଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଶକ୍ତି ଦର ବଢ଼ିବା ସହିତ ଭାରତର ବିକାଶ ହାର କମିପାରେ । ଶକ୍ତି ଦର ଲଗାତର ବଢ଼ିବା ଦ୍ୱାରା ଦରଦାମ ତେଜିବ ଏବଂ ଭାରତର ଅଭିବୃଦ୍ଧି ହାର ସଂକୁଚିତ ହେବ । ଆର୍ବିଆଇ ପାଇଁ ସୁଧ ହାରରେ ହ୍ରାସ କରିବା ବି କଷ୍ଟକର ହୋଇଯିବ । ଟଙ୍କା ଦୁର୍ବଳ ହେବା ଦ୍ୱାରା ଭାରତର ଆମଦାନି ବିଲ୍ ବଢ଼ିଯିବ । ଅଶୋଧିତ ତୈଳ ଭଳି ସାମଗ୍ରୀ ପାଇଁ ଅଧିକ ଦେୟ ପଡ଼ିବ । ଏହାବ୍ୟତୀତ ବିଦେଶରୁ ଆମଦାନି ହେଉଥିବା ମୋବାଇଲ, ଲାପ୍ଟପ ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମହଙ୍ଗା ହେବ । ବିଦେଶରେ ପାଠପଢ଼ା ବ୍ୟୟବହୁଳ ହେବ ।

ଅଧିକ ପଢ଼ନ୍ତୁ :-  ଏପ୍ରିଲ ୧ରୁ ବଦଳିଯିବ ଅନଲାଇନ୍ ପେମେଣ୍ଟ ନିୟମ; ପ୍ରତି ଟ୍ରାଞ୍ଜାକ୍ସନ ପୂର୍ବରୁ କରିବାକୁ ହେବ ଏହି ଜରୁରୀ କାମ, ନହେଲେ...

ଟଙ୍କା ଦୁର୍ବଳ ହେବା ଦ୍ୱାରା ରପ୍ତାନିକାରୀଙ୍କୁ ଲାଭ ହେବ । ଆଇଟି ଶିଳ୍ପ, ଫାର୍ମା ଏବଂ ପୋଷାକ ଉଦ୍ୟୋଗଗୁଡ଼ିକୁ ସେମାନଙ୍କ ସେବା ତଥା ଉତ୍ପାଦ ବଦଳରେ ଡଲାରରେ ପେମେଣ୍ଟ ମିଳିଥାଏ । ଯେତେବେଳେ ସେମାନେ ଉକ୍ତ ଡଲାରକୁ ଟଙ୍କାରେ ବଦଳାଇବେ, ସେମାନଙ୍କୁ ପୂର୍ବ ତୁଳନାରେ ଅଧିକ ଟଙ୍କା ମିଳିବ ।