ନୂଆଦିଲ୍ଲୀ,୦୨/୧୧ : ମଝି ସମୂଦ୍ରରେ ଆସିଲା ହାର୍ଟ ଆଟାକ୍ । ଦେବଦୂତ ସାଜିଲେ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ । ଆଉ ରେସ୍କ୍ୟୁ ଅପରେସନ ପରେ ନୂଆ ଜୀବନ ପାଇଲେ ଜଣେ ୫୨ ବର୍ଷୀୟ ନାବିକ । ଆଜ୍ଞା ହଁ ଆମେ କହୁଛୁ ଜଣେ ନାବିକଙ୍କ କଥା ଯାହାଙ୍କୁ ମଝି ସମୁଦ୍ରରେ ଆସିଥିଲା ହୃଦଘାତ । 

ସୂଚନା ମୁତାବକ, ଲାଇବେରିଆ ପତାକା ଉଡ଼ୁଥିବା ଏକ ଜାହାଜ ଭାରତୀୟ ତଟରୁ ପ୍ରାୟ ୩୫୦ ମାଇଲ ଦୂରରେ ସମୁଦ୍ର ମଝିରେ ଥିଲା। ସେହି ସମୟରେ ହଠାତ୍‌ ନାବିକଙ୍କୁ ହୋଇଥିଲା ହାର୍ଟଆଟାକ୍‌। ଜାହାଜରେ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଉପାୟଶୂନ୍ୟ ହୋଇପଡିଥିଲେ କର୍ମଚାରୀ। ଏହା ଜାଣିବା ପରେ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଜଏଣ୍ଟ ରେସକ୍ୟୁ ଅପରେସନ । ସଙ୍ଗେ ସଙ୍ଗେ ଉଭୟ ଟିମର ସଦସ୍ୟ  ଏକ ହେଲିକପ୍ଟର ସହାୟତାରେ ସମୁଦ୍ର ମଝିରୁ ନାବିକଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି। ଉକ୍ତ ନାବିକଙ୍କୁ ସିଭିଅର ହାର୍ଟ ଆଟାକ୍‌ ଆସିଥିବା ବେଳେ ଆଉ କିଛି ସମୟ ବିଳମ୍ବ ହୋଇଥିଲେ କିଛି ଅଘଟଣ ଘଟିଥାନ୍ତା ବୋଲି କହିଛନ୍ତି ଡାକ୍ତର। ଘଟଣା ପରେ ସମୁଦ୍ର ମଝିରୁ ଦେବଦୂତ ସାଜି ଜୀବନ ବଞ୍ଚାଇଥିବା ଉଭୟ ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ .