ନୂଆଦିଲ୍ଲୀ,୧୧/୦୩ : ଯୁଦ୍ଧ ଭିତରେ ବିଶ୍ୱର ସବୁଠାରୁ ବ୍ୟସ୍ତତମ ଜଳମାର୍ଗ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ଇରାନ ବନ୍ଦ କରିଦେଇଛି । ଏହି ମାର୍ଗ ଦେଇ ଯେଉଁ ଦେଶର ଜାହାଜ ପଣ୍ୟ ପରିବହନ କରିବ ତା ଉପରେ ଆକ୍ରମଣ କରାଯିବ ବୋଲି ଇରାନ ଚେତାବନୀ ମଧ୍ୟ ଦେଇଛି । ଇରାନର ଏହି ରଣନୈତିକ ପଦକ୍ଷେପ ସମଗ୍ର ବିଶ୍ୱରେ ପ୍ରଭାବ ପକାଇଛି । ଏସିଆର ଅନେକ ଦେଶରେ ଗ୍ୟାସ୍ ଓ ତେଲ ସଙ୍କଟ ଆରମ୍ଭ ହୋଇଯାଇଛି । କାରଣ ଏସିଆ ମହାଦେଶକୁ ଗ୍ୟାସ୍ ଓ ତୈଳ ଯୋଗାଣର ମୁଖ୍ୟ ମାଧ୍ୟମ ହେଉଛି ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ । ଏହି ଜଳମାର୍ଗ ବନ୍ଦ ଯୋଗୁ ବିଭିନ୍ନ ସ୍ଥାନରେ ସମୁଦ୍ର ଭିତରେ ଅନେକ ଦେଶର ଜାହାଜ ଫସିରହିଛନ୍ତି । ଭାରତରେ ଗ୍ୟାସ୍ ସଙ୍କଟ ମଧ୍ୟ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଭାରତ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜରେ ଫସି ରହିଥିବା ନିଜ ଦେଶର ଜାହାଜକୁ ସେଠାରୁ ସୁରକ୍ଷିତ ଆଣିବା ଲାଗି ନୌସେନାର ଯୁଦ୍ଧଜାହାଜକୁ ପଠାଇବା ଉପରେ ବିଚାର କରୁଥିବାର ସୂଚନା ମିଳିଛି ।

ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ (କ୍ରୁ ବ୍ରାଞ୍ଚ)ର କ୍ୟାପଟେନ ପି.ସି ମିନାଙ୍କ ବୟାନକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ ଭାରତୀୟ ଜାହାଜ ମାଲିକମାନେ ନୌସେନାକୁ ସୁରକ୍ଷା ଯୋଗାଇ ଦେବା ଲାଗି ଅନୁରୋଧ କରିଥିଲେ । ତେଣୁ ଭାରତ ସରକାର ସେଠାରେ ଫସିରହିଥିବା ଭାରତୀୟ ଜାହାଜକୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ଲାଗି ନୌସେନାର ଯୁଦ୍ଧଜାହାଜକୁ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ପଠାଇବା ଲାଗି ବିଚାର କରୁଛନ୍ତି । ସେହିଭଳି ପାରସ୍ୟ ଉପସାଗରରେ ଫସିରହିଥିବା ଭାରତୀୟ ଜାହାଜ ଓ ତୈଳ ଟ୍ୟଙ୍କରକୁ ମଧ୍ୟ ସୁରକ୍ଷିତ ଫେରାଇ ଆଣିବା ଲାଗି ଯୁଦ୍ଧପୋତ ପଠାଯିବା ନେଇ ବିଚାର କରାଯାଉଛି । ଆଗାମୀ ଦୁଇଦିନରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଯୁଦ୍ଧ ବନ୍ଦ କରିବା ଲାଗି ଆମେରିକା ଓ ଇସ୍ରାଏଲ ଉପରେ ଅନ୍ୟ ଦେଶମାନେ ଚାପ ପକାଇବା ଉଦ୍ଦେଶ୍ୟରେ ଇରାନ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜକୁ ଗତ ଫେବ୍ରୁଆରୀ ୨୮ ତାରିଖରୁ ବନ୍ଦ କରିଦେଇଛି । ଫଳରେ ଗତ ୧୧ ଦିନ ହେଲା ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ଅଶାନ୍ତ ହୋଇପଡିଛି । ଭାରତ ପ୍ରାୟ ୫୫ ପ୍ରତିଶତ ଅଶୋଧିତ ତୈଳ ମଧ୍ୟପ୍ରାଚ୍ୟରୁ ଆମଦାନୀ କରିଥାଏ । ସେହିଭଳି ଭାରତ ବିଦେଶରୁ ଯେତିକି ତେଲ ଆମଦାନୀ କରେ ସେଥିରୁ ୩୫ ପ୍ରତିଶତ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ମାର୍ଗ ଦେଇ ଆସେ । ସେହିଭଳି ଭାରତ ଦୁଇ-ତୃତୀୟାଂଶ ଗ୍ୟାସ ମଧ୍ୟ ବିଦେଶରୁ ଆମଦାନୀ କରେ । ଯାହା ୟୁଏଇ, କାତାର, ସାଉଦି ଆରବ ଓ କୁଏତରୁ ଆସେ । ଭାରତର ୮୦ ପ୍ରତିଶତ ଗ୍ୟାସ୍ ଆମଦାନୀ ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ ମାର୍ଗରେ ଆସିଥାଏ । ଯାହା ଏବେ ବନ୍ଦ ହୋଇଯାଇଛି । ରିପୋର୍ଟ ଅନୁସାରେ ଯୁଦ୍ଧ ଯୋଗୁ ପାରସ୍ୟ ଉପସାଗର ଓ ଓମାନ ଉପକୂଳରେ ଭାରତୀୟ ପତାକା ଲାଗିଥିବା ପ୍ରାୟ ୩୮ଟି ପଣ୍ୟବାହୀ ଜାହାଜ ଫସିରହିଛି । ସେଥିରେ ୧୧୦୦ ଭାରତୀୟ ନାବିକ ଅଛନ୍ତି । ଏହି ଜାହାଜ ମଧ୍ୟରେ ତେଲ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟ ସାମିଲ ଅଛନ୍ତି ।

ଏହି ଖବରଟିକୁ ପଢନ୍ତୁ- "ଏଲପିଜି, ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ"...ତେଲ ସଙ୍କଟ ମଧ୍ୟରେ ପିଏମ ମୋଦୀ ଦେଲେ ଭଲ ଖବର, କ୍ୟାବିନେଟ ବୈଠକରେ ନେଲେ ବଡ ନିଷ୍ପତ୍ତି...​​​​​​​