ନୂଆଦିଲ୍ଲୀ : ଇରାନ ଯୁଦ୍ଧ ମଧ୍ୟରେ ଭାରତ ପାଇଁ ବଡ଼ ଖୁସି ଖବର। ଆଉ ଦୁଇ ଭାରତୀୟ ପତାକା ଯୁକ୍ତ ଏଲପିଜି ଟ୍ୟାଙ୍କର ଯୁଦ୍ଧ ପ୍ରଭାବିତ ହୋର୍ମୁଜ ପ୍ରଣାଳୀ (ଷ୍ଟ୍ରୋଟ୍)ରୁ ସୁରକ୍ଷିତ ବାହାରି ସାରିଛି ଏବଂ ଆଗାମୀ କିଛି ଦିନରେ ଏହା ଭାରତୀୟ ଉପକୂଳରେ ପହଞ୍ଚିବାର ଆଶା କରାଯାଉଛି। ଏହି ଜାହାଜ ଉପରେ ଦେଶର ପ୍ରାୟ ଗୋଟିଏ ଦିନ ପାଇଁ ବ୍ୟବହାରର ରୋଷେଇ ଗ୍ୟାସର ଭଣ୍ଡାର ରହିଛି। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, ଦୁଇଟି ଏଲପିଜି ଜାହାଜ ବିଡବ୍ଲ୍ୟୁ ଟିୱାଇଆର ଓ ବିଡବ୍ଲ୍ୟୁ ଇଏଲଏମ୍, ଯାହା ପ୍ରାୟ ୯୪,୦୦୦ଟନର ଏଲପିଜି କାର୍ଗୋ ନେଇ ଯାଉଛି, ସୁରକ୍ଷିତ ଭାବେ ଏହି କ୍ଷେତ୍ର ଦେଇ ଯାଇ ସାରିଛି ଏବଂ ଭାରତୀୟ ଉପକୂଳ ଆଡ଼କୁ ବଢୁଛି।

ବିଡବ୍ଲ୍ୟୁ ଟିୱାଇଆର ମୁମ୍ୱାଇ ଆଡ଼କୁ ବଢୁଛି ଏବଂ ଏହା ୩୧ ମାର୍ଚ୍ଚକୁ ପହଞ୍ଚିବାର ଆଶା ରହିଛି, ବିଡବ୍ଲ୍ୟୁ ଇଏଲଏମ୍ ନ୍ୟୁ ମାଙ୍ଗାଲୋର ଆଡ଼କୁ ଯାଉଛି ଏବଂ ଏହା ୧ ଅପ୍ରେଲକୁ ଆସିବାର ଆଶା କରାଯାଉଛି।

ଆହୁରି ମଧ୍ୟ ପଢନ୍ତୁ : ଆମେରିକାର ଗ୍ରାଉଣ୍ଡ ଅପରେସନ୍ ପୂର୍ବରୁ ଇରାନର ଧମକ, ‘ସାର୍କ’ଙ୍କ ପାଇଁ ଭଲ ଖାଦ୍ୟ ହେବେ ଟ୍ରମ୍ପଙ୍କ ସୈନିକ

ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ଇରାନର ବ୍ୟାପକ ପ୍ରତିକ୍ରିୟା କାରଣରୁ ଏହି ପ୍ରଣାଳୀ ଦେଇ ପରିବହନ ପ୍ରାୟତଃ ବନ୍ଦ ହୋଇ ଯାଇଛି। ଏହି ସଂକୀର୍ଣ୍ଣ ସମୁଦ୍ର ପଥ ହେଉଛି ଉପସାଗରୀୟ ଦେଶଗୁଡ଼ିକରୁ ବିଶ୍ୱକୁ ତୈଳ ଏବଂ ଗ୍ୟାସ ରପ୍ତାନିର ରାସ୍ତା। ହେଲେ, ଇରାନ ଗତ ସପ୍ତାହରେ କହିଥିଲା ଯେ – ଯେଉଁ ଦେଶ ଶତ୍ରୁ ନୁହେଁ, ସେମାନଙ୍କର ଜାହାଜ ଇରାନ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ପରେ ଏହି ପ୍ରଣାଳୀ ଦେଇ ଯାଇ ପାରିବ।

ଏହାପୂର୍ବରୁ ଚାରୋଟି ଭାରତୀୟ ପତାକାଯୁକ୍ତ LPG ଟ୍ୟାଙ୍କର୍ ଏହି ରାସ୍ତା ଦେଇ ସୁରକ୍ଷିତ ଭାବରେ ଯାତ୍ରା କରି ସାରିଛି। ପାଇନ୍ ଗ୍ୟାସ୍ ଏବଂ ଜଗ ବସନ୍ତ, ୯୨,୬୧୨ ଟନ୍ LPG ବହନ କରିଥିଲେ , ମାର୍ଚ୍ଚ ୨୬ ଓ ମାର୍ଚ୍ଚ ୨୮ ମଧ୍ୟରେ ଭାରତୀୟ ବନ୍ଦରରେ ପହଞ୍ଚି ଥିଲେ। ଏହା ପୂର୍ବରୁ, MT ଶିବାଲିକ୍ ଏବଂ MT ନନ୍ଦା ଦେବୀ, ପ୍ରାୟ ୯୨,୭୧୨ ଟନ୍ LPG ନେଇ ଯାଉ ଥିଲେ। କ୍ରମଶଃ ମାର୍ଚ୍ଚ ୧୬ ରେ ଗୁଜରାଟର ମୁନ୍ଦ୍ରା ବନ୍ଦର ଏବଂ ମାର୍ଚ୍ଚ ୧୭ରେ କାଣ୍ଡଲା ବନ୍ଦରରେ ପହଞ୍ଚି ଥିଲେ।

ଯେଉଁ ଦେଶ ନିଜର ରନ୍ଧନ ଗ୍ୟାସ ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଉପସାଗରୀୟ ଦେଶଗୁଡ଼ିକରୁ ଆମଦାନୀ କରି ପୂରଣ କରେ, ଏହି ଜାହାଜଗୁଡ଼ିକର ଆଗମନ ଏଲପିଜି ସଙ୍କଟକୁ କମ କରିବାରେ ସାହାଯ୍ୟ କରିବ। ଭାରତ ଗତ ବର୍ଷ ୩୩.୧ ନିୟୁତ ଟନ୍ ଏଲପିଜି ବ୍ୟବହାର କରିଥିଲା, ଯାହାର ଚାହିଦାର ପ୍ରାୟ ୬୦ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରାଯାଇ ଥିଲା। ଏଥିମଧ୍ୟରୁ ୯୦ ପ୍ରତିଶତ ପଶ୍ଚିମ ଏସିଆରୁ ଆସିଥିଲା।