ନୂଆଦିଲ୍ଲୀ,୦୭/୦୮: ଗୁଇନ୍ଦାଗିରି ଦୁନିଆରେ ଅସଂଖ୍ୟ ନିର୍ଭୀକ ଓ ସାହସିକ କାହାଣୀ ରହିଛି । କିନ୍ତୁ ଜାତୀୟ ନିରାପତ୍ତା ଓ ଅନ୍ୟ ବିଭିନ୍ନ କାରଣ ପାଇଁ ଏହା ସର୍ବଦା ପରଦା ଆଢୁଆଳରେ ଥାଏ । ଭାରତର ଶୀର୍ଷ ଗୁଇନ୍ଦା ଏଜେନ୍ସିଗୁଡ଼ିକର ନେପଥ୍ୟ ନାୟକମାନେ ସେମାନଙ୍କ ଜୀବନର ପରିଚୟକୁ ଦେଶ ପାଇଁ ହଜାଇ ଦିଅନ୍ତି । ଶତ୍ରୁ ଦେଶରେ ଅକଳ୍ପନୀୟ ଅତ୍ୟାଚାର ଓ ନିର୍ଯାତନାର ସମ୍ମୁଖୀନ ହୁଅନ୍ତି । ଶତ୍ରୁଠୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନେ ଦେଶ ସେବାରେ ପ୍ରାଣ ମଧ୍ୟ ହରାଇ ଦିଅନ୍ତି । ଭାରତୀୟ ଆର୍ମି ଓ ଅନ୍ୟ ସଶସ୍ତ୍ର ବାହିନୀ ଭଳି ଗୁଇନ୍ଦା ଅଧିକାରୀମାନଙ୍କୁ ସମ୍ମାନ କିମ୍ବା ସାହସିକ ପଦକ ଓ ସାମରିକ ସମ୍ମାନ ମିଳେନାହିଁ । କାରଣ ସେମାନଙ୍କ ଗୁପ୍ତ ଅପରେସନ୍‌କୁ କଦାପି ସାର୍ବଜନୀନ କରାଯାଏ ନାହିଁ । ଭାରତର ପ୍ରମୁଖ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ୱିଙ୍ଗ୍‌ ର ସଦସ୍ୟ ରବିନ୍ଦ୍ର କୌଶିକ ଓରଫ୍‌ ‘ବ୍ଲାକ୍‌ ଟାଇଗର୍‌’ଙ୍କର ସେଭଳି ଏକ ଉଲ୍ଲେଖନୀୟ ସାହସିକ କାହାଣୀ ରହିଛି । 

ପାକିସ୍ତାନରେ ଅନୁପ୍ରବେଶ କରି ପାକ୍‌ ସେନାରେ ସେ ଯୋଗ ଦେଇଥିଲେ । ଦୀର୍ଘ ବର୍ଷ ଧରି ପାକିସ୍ତାନ ଆର୍ମିର ଗୁପ୍ତ ତଥ୍ୟ ଭାରତକୁ ପଠାଇଥିଲେ । କିନ୍ତୁ ‘ର’ର ଗୋଟିଏ ଭୁଲ ଯୋଗୁ ତାଙ୍କର ଗୁପ୍ତ ପରିଚୟ ସାମ୍ନାକୁ ଆସିଥିଲା । ସେହି ଭୁଲ ପାଇଁ ପାକିସ୍ତାନ ତାଙ୍କୁ ବନ୍ଦୀ କରି ମୃତ୍ୟୁଦଣ୍ଡ ଦେଇଥିଲା । ରାଜସ୍ଥାନର ଶ୍ରୀ ଗଙ୍ଗାନଗର ବାସିନ୍ଦା ରବିନ୍ଦ୍ର କୌଶିକ ଯୁବ ବୟସରେ ‘ର’ରେ ଯୋଗ ଦେଇଥିଲେ । ନିଜର ଚମତ୍କାର ଗୁଇନ୍ଦାଗିରି ସାମର୍ଥ୍ୟ ପାଇଁ ଖୁବ୍‌ଶୀଘ୍ର ସେ ‘ବ୍ଲାକ୍‌ ଟାଇଗର୍‌’ ଉପନାମ ହାସଲ କଲେ । ୭୦ ଦଶକ ମଧ୍ୟଭାଗରେ ଉଭୟ ଭାରତ ଓ ପାକିସ୍ତାନରେ ଗୁଇନ୍ଦାଗିରି ଅପରେସନ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲା । ‘ର’ କିଛି ପ୍ରତିଭାବାନ୍‌ ବ୍ୟକ୍ତିତ୍ୱଙ୍କୁ ନିଯୁକ୍ତ କରିଥିଲା, ଯେଉଁମାନେ ପାକିସ୍ତାନରେ ଏଜେନ୍ସିର ଆଖି ଓ କାନ ଭଳି କାମ କରିପାରିବେ । ଏଥିପାଇଁ ଏଜେନ୍ସି ଗୁପ୍ତ ଅଡିସନ୍‌ କରି କିଛି ଯୁବ ପୁରୁଷ ଓ ମହିଳାଙ୍କୁ ନିଯୁକ୍ତ କରିଥିଲା । ସେମାନଙ୍କ ମଧ୍ୟରେ ରବିନ୍ଦ୍ର ଅନ୍ୟତମ ଥିଲେ । ବିଧିବଦ୍ଧ ତାଲିମପୂର୍ବକ ତାଙ୍କୁ ପାକିସ୍ତାନ ଆର୍ମି ସମେତ ପାକିସ୍ତାନର ପ୍ରମୁଖ ପ୍ରତିଷ୍ଠାନରେ ପ୍ରବେଶ ନିମନ୍ତେ ପଠାଯାଇଥିଲା ।

ପିଲାଦିନୁ ରବିନ୍ଦ୍ର ଖୁବ୍‌ ଭଲ ଅଭିନୟ କରୁଥିଲେ, ଯାହା ‘ର’ ଅପରେଟିଭ୍‌ ଭାବେ କାମ କରିବା ପାଇଁ ତାଙ୍କର ପ୍ରମୁଖ ଅସ୍ତ୍ର ହୋଇଥିଲା । ମିଶନ ଆରମ୍ଭ ପୂର୍ବରୁ ‘ର’ ଦ୍ୱାରା ଦୀର୍ଘ ମାସ ଧରି ସେ ତାଲିମ ନେଇଥିଲେ । ଏଥିରେ ଇସ୍‌ଲାମ ଧର୍ମଶାସ୍ତ୍ର ଓ ଧର୍ମର ମୂଳ ସିଦ୍ଧାନ୍ତର ଶିକ୍ଷା ପ୍ରାପ୍ତ ଆଦି ସାମିଲ ଥିଲା । ତାଙ୍କର ନୂଆ ନାଁ ଦିଆଗଲା ‘ନବି ଅହମଦ ଶକିର’ । ପାକିସ୍ତାନ ଯିବା ପୂର୍ବରୁ ଭାରତରେ ତାଙ୍କର ସବୁ ପରିଚୟ ଓ ଜୀବନ ଇତିହାସକୁ ସବୁଦିନ ପାଇଁ ଲଭାଇ ଦିଆଗଲା । ପାକିସ୍ତାନ ଯିବା ପରେ ରବିନ୍ଦ୍ର କରାଚୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଲେ । ସେଠାରେ ଡିଗ୍ରୀ ଶେଷ କରି ପାକ୍‌ ଆର୍ମିରେ ଯୋଗ ଦେଲେ । ଧୀରେ ଧୀରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେଲେ । ସମୟ ବିତିବା ସହିତ ପାକ୍‌ ଆର୍ମିରେ ତାଙ୍କ ପଦବୀ ବଢ଼ିଚାଲିଲା । ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରି ଗୋଟିଏ ସନ୍ତାନର ମଧ୍ୟ ସେ ପିତା ହେଲେ । ପାରିବାରିକ ବନ୍ଧନ ସତ୍ତେ୍ୱ ଦେଶ ପ୍ରତି ତାଙ୍କର ପ୍ରେମ ଟିକିଏ ବି ଊଣା ହୋଇନଥିଲା । ଭାରତକୁ ସେ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ପଠାଇବା ଜାରି ରଖିଥିଲେ । ତାଙ୍କର ଏହି କାର୍ଯ୍ୟ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା । 

ଦୀର୍ଘ ବର୍ଷ ଧରି ଭାରତକୁ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ପଠାଇ ଚାଲିଥିଲେ ରବିନ୍ଦ୍ର । କିନ୍ତୁ ୧୯୮୩ରେ ବେଶ କିଛି ସମୟ ଧରି ତାଙ୍କଠୁ କୌଣସି ଗୁପ୍ତ ତଥ୍ୟ ନ ମିଳିବାରୁ ସେ ପାକିସ୍ତାନ ସହ ସାଲିସ କରିଥିବା ‘ର’ ଆଶଙ୍କା କଲା । ତାଙ୍କର ସ୍ଥିତି ବିଷୟରେ ସ୍ପଷ୍ଟ ହେବା ପାଇଁ ‘ର’ ପାକିସ୍ତାନକୁ ଆଉ ଜଣେ ଏଜେଣ୍ଟ୍‌ଙ୍କୁ ପଠାଇଲା ଏବଂ ରବିନ୍ଦ୍ରଙ୍କ ସହ ଯୋଗାଯୋଗ କରିବାକୁ କହିଲା । କିନ୍ତୁ ‘ର’ର ସେହି ନିଷ୍ପତ୍ତି ରବିନ୍ଦ୍ରଙ୍କ ପାଇଁ ବିନାଶକାରୀ ପ୍ରମାଣିତ ହେଲା । ‘ର’ ଦ୍ୱାରା ପାକିସ୍ତାନକୁ ଆସିଥିବା କମ୍‌ ଅନୁଭବୀ ଏଜେଣ୍ଟ୍‌ ଜଣକ ଧରାପଡ଼ିଲେ । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଦ୍ୱାରା ନିର୍ଯାତିତ ହେବା ପରେ ସେ ବାଧ୍ୟ ହୋଇ ପୂରା ମିଶନ୍‌ ବିଷୟରେ କହିଦେଲେ । ଏହିଭଳି ଭାବେ ବ୍ଲାକ୍‌ ଟାଇଗର୍‌ଙ୍କ ସତ ସାମ୍ନାକୁ ଆସିଲା । ର’ ଏଜେଣ୍ଟ୍‌ ସତ ମାନିବା ପରେ ପାକିସ୍ତାନ ଆର୍ମି ରବିନ୍ଦ୍ରଙ୍କୁ ଗିରଫ କରି କୋର୍ଟ ମାର୍ଶଲ କଲା ଏବଂ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲା ।