ମୁମ୍ବାଇ, ୧୪/୦୩: ଆମେରିକାରୁ ସୃଷ୍ଟି ହୋଇଥିବା ଶୁଳ୍କ ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ବଜାର ଉପରେ ପଡ଼ିଛି । ଭାରତ ବି ଏଥିରୁ ବର୍ତ୍ତିପାରିନାହିଁ । କ୍ରମାଗତ ଭାବେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)  ସେନ୍‌ସେକ୍ସ ଏବଂ ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍‌ଟି ତଳମୁହାଁ ହୋଇଚାଲିଛି । ନିଜ ନିଜର ରେକର୍ଡ ସ୍ତରରୁ ଉଭୟ ସୂଚକାଙ୍କ ତଳକୁ ଖସିଯାଇଛି । ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁସାରେ ଗତ  ୪ ମାସରେ ଭାରତୀୟ ଇକ୍ୱିଟି ବଜାରର ମାର୍କେଟ୍‌ କ୍ୟାପ୍‌ ୧ ଟ୍ରିଲିୟନ  ଡଲାର ସଂକୁଚିତ ହୋଇଛି । ଏଥିସହିତ ବିଶ୍ୱବ୍ୟାପୀ ମୋଟ ମାର୍କେଟ କ୍ୟାପ୍‌ରେ ଭାରତର ଅଂଶ କମିଛି । 

୨୦ ଦିନର ହାରାହାରି ହିସାବ  ଅନୁସାରେ, ବିଶ୍ୱ ଇକ୍ୱିଟି ବଜାର ମୂଲ୍ୟରେ ଭାରତର ଅଂଶ ୩%କୁ  ଖସିଛି, ଯାହାକି ପୂର୍ବବର୍ଷ ୪%ରୁ ଅଧିକ ରହିଥିଲା । ଭାରତୀୟ ଷ୍ଟକ୍‌  ବଜାରରେ ଲମ୍ବା ସମୟ ଧରି ହ୍ରାସ ଜାରି ରହିଛି । ନିଜର ରେକର୍ଡ ସ୍ତରରୁ ଏହା ୧୬% ହ୍ରାସ ପାଇଛି । ଆମେରିକାରେ ମାନ୍ଦାବସ୍ଥା ଅନୁମାନ  କରାଯାଉଛ । ଏହା ପ୍ରଭାବରେ ଏଠାରେ ସେୟାର ବଜାର ଏବେ  ଧରାସାୟୀ । ଉଡ଼ିଗଲାଣି ୪ ଟ୍ରିଲିୟନ ଡଲାର । ତେବେ ଆମେରିକାରେ ମାନ୍ଦାବସ୍ଥା ଭୟ ଭାରତୀୟ ବଜାରକୁ ଆହୁରି ଅସ୍ଥିରତା ଆଡ଼କୁ  ଅଗ୍ରସର କରୁଥିବା ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଏହାସତ୍ତେ୍ୱ  ମୋର୍ଗାନ ଷ୍ଟାନ୍‌ଲି ଆକଳନ କରିଛି ଯେ, ବିଶ୍ୱ ବାଣିଜ୍ୟ ଯୁଦ୍ଧ ସତ୍ତେ୍ୱ  ୨୦୨୫ ଡିସେମ୍ବର ସୁଦ୍ଧା ସେନ୍‌ସେକ୍ସ ୧୦୫,୦୦୦ ପଏଣ୍ଟ ଛୁଇଁବ ।