ନୂଆଦିଲ୍ଲୀ,୨୬/୧୨; ବିଦେଶରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା । କାନାଡ଼ାର ଜଣେ ୨୦ ବର୍ଷୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । କାନାଡାର ଟରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ଥି ପ୍ରାଣ ହରାଇଛନ୍ତି । ଏହାକୁ ନେଇ ଭାରତୀୟ କନସୁଲେଟ୍ ଗଭୀର ଶୋକ ପ୍ରକାଶ କରିଛି । ଟରଣ୍ଟୋ ପୁଲିସ ମଙ୍ଗଳବାର ଦିନ ରିପୋର୍ଟ କରିଥିଲା ଯେ ହାଇଲାଣ୍ଡ କ୍ରିକ୍ ଟ୍ରେଲ୍ ଏବଂ ଓଲ୍ଡ କିଙ୍ଗଷ୍ଟନ୍ ରୋଡ୍ ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ଥିଙ୍କ ମୃତ୍ୟୁ ହୋଇଛି ।
ମୃତ୍ୟୁ ସମ୍ପର୍କରେ, କନସୁଲେଟ୍ କହିଛି ଯେ ଏହା ପୀଡିତଙ୍କ ପରିବାର ସହିତ ଯୋଗାଯୋଗରେ ଅଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ କାର୍ଯ୍ୟ କରୁଛି । ୨୦ ବର୍ଷୀୟ ଭାରତୀୟ ଛାତ୍ର ଶିବାଙ୍କ ପିଏଚଡି କରୁଥିଲେ । ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ଚିୟରଲିଡର ଟିମର ସକ୍ରିୟ ସଦସ୍ୟ ଥିଲେ ଶିବାଙ୍କ । ଟିମ୍ ଇନଷ୍ଟାଗ୍ରାମରେ ଶିବାଙ୍କୁ ଶ୍ରଦ୍ଧାଞ୍ଚଳି ଦେଇ କହିଛି, ଆମେ ଆମର ପ୍ରିୟ ଶିବାଙ୍କ ଅବସ୍ଥିଙ୍କ ଚାଲିଯିବାକୁ ନେଇ ସ୍ତବ୍ଧ ଏବଂ ଦୁଃଖୀ । ସେ ସମସ୍ତଙ୍କୁ ପ୍ରେରଣା ଦେଉଥିଲେ । ସମସ୍ତଙ୍କ ମୁହଁରେ ହସ ଫୁଟାଉଥିଲେ । ସେ ସବୁବେଳେ ଆମ ୟୁଟିଏସସି ଚିୟର ପରିବାରର ଅଂଶ ରହିବେ ।'' ୟୁନିଭର୍ସିଟିରେ ହତ୍ୟାକାଣ୍ଡ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଏବଂ ଆକ୍ରୋଶର ବାତାବରଣ ଦେଖିବାକୁ ମିଳିଛି ।
ଏହି ଗୁଳିକାଣ୍ଡକୁ ନେଇ ପୁଲିସ ଅଧିକାରୀମାନେ କହଛନ୍ତି ଯେ, ଗୁଳିକାଣ୍ଡ ବିଷୟରେ ସୂଚନା ପାଇବା ପରେ, ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହେଲେ ସେଠାରୁ ସନ୍ଦିଗ୍ଧ ଫେରାର ହୋଇଥିଲା । ଗୁଳି ବାଜିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଚଳିତ ବର୍ଷ ଟୋରଣ୍ଟୋରେ ୪୧ତମ ହତ୍ୟା । ଏହା ହତ୍ୟାକାଣ୍ଡ ବାବଦରେ କୌଣସି ସୂଚନା ମିଳିଲେ ପୁଲିସକୁ ୪୧୬-୮୦୮-୭୪୦୦ରେ ନାମ ଗୋପନୀୟ ରଖି ଯୋଗଯୋଗ କରିବାକୁ କୁହାଯାଇଛି ।
ଦୁଃଖ ପ୍ରକାଶ କଲା ଭାରତୀୟ ଦୂତାବାସ- କାନାଡାରେ ଥିବା ଭାରତୀୟ ଦୂତାବାସ ଶିବାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛି । ଶିବାଙ୍କ ପରିବାରକୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ । ଏହି କଷ୍ଟକର ସମୟରେ କନସୁଲେଟ୍ ଶୋକସନ୍ତପ୍ତ ପରିବାର ସହିତ ଯୋଗାଯୋଗରେ ଅଛି, ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟ ରଖି ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେଉଛି ।
ସପ୍ତାହ ତଳେ ହିମାଂଶୀଙ୍କୁ ହତ୍ୟା କରାଯାଇଥିଲା- ଟରଣ୍ଟୋ ପୁଲିସ୍ ପୂର୍ବରୁ କହିଥିଲା କି, ସହରରେ ଜଣେ ୩୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ମହିଳାଙ୍କ ମୃତଦେହ ମିଳିଥିଲା । ପୀଡିତାକୁ ଜାଣିଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ କାନାଡା ବ୍ୟାପୀ ଗିରଫ ପରୱାନା ଜାରି ହୋଇଥିଲା । ମୃତକଙ୍କ ନାମ ଟରଣ୍ଟୋ ନିବାସୀ ହିମାଂଶୀ ଖୁରାନା ଥିଲା । ପୁଲିସ ଅନୁଯାୟୀ, ଅଭିଯୁକ୍ତ ଅବଦୁଲ ଘଫୁରିଙ୍କୁ ଏବେ ଖୋଜା ଚାଲିଛି ।