ନୂଆଦିଲ୍ଲୀ,୧୩।୯:  ଭାରତୀୟ ମହିଳା ହକି ଟିମ୍ ଏବେ ଟେନସନ୍ ଫ୍ରି।ଏସିଆ କପ୍ ୨୦୨୫ର ଫାଇନାଲରେ ଏଣ୍ଟ୍ରି କରିଛି ଦଳ। ଶନିବାର ଭାରତ ନିଜର ସୁପର ୪ ମ୍ୟାଚ୍‌ରେ ଜାପାନ-ବିରୋଧରେ ୧-୧ ରେ ଖେଳ ଡ୍ର ରଖିଛି। ଏହାପରେ ତା’ର ଟାଇଟଲ୍ ମୁକାବିଲା ପହଁଞ୍ଚିବାର ଆଶା ଚୀନ୍ ବନାମ କୋରିଆ ସହ ଥିଲା। କୋରିଆକୁ  ଆୟୋଜକ ଚୀନ୍ ୧-୦ ରେ ହରାଇ ଦେଇଛି। ଏହା ସହ ଭାରତ ଫାଇନାଲ ପାଇଁ ମଧ୍ୟ କ୍ବାଲିଫାଏ କରିଛି। ଭାରତ-ଚୀନ୍ ଭିତରେ ରବିବାର ହାଙ୍ଗଝୋଉରେ ଟାଇଟଲ ମୁକାବିଲା ଖେଳାଯିବ। ଭାରତକୁ ଫାଇନାଲ ଟିକେଟ କୋରିଆ ଉପରେ ଚୀନ୍‌ର ବିଜୟ କିମ୍ବା ତିନି ଗୋଲ୍‌ଠାରୁ କମ୍ ବ୍ୟବଧାନରେ ପରାଜୟଠାରୁ ବଞ୍ଚିବାର ଥିଲା।

ଭାରତ ଜାପାନା ବିପକ୍ଷରେ ଆରମ୍ଭରୁ ଭଲ ଖେଳ ପ୍ରଦର୍ଶନ କରିଥିଲା। ବ୍ୟୁଟି ଡୁଙ୍ଗ ଡୁଙ୍ଗ ୭ ମିନିଟରେ  ଗୋଲ୍ କରି ଟିମ୍‌କୁ ଦୃଢ ସ୍ଥିତିରେ ନେଇଯାଇଥିଲେ। କିନ୍ତୁ ଜାପାନ ଟିମ୍ ପକ୍ଷରୁ ଶୋହୋ କୋବାୟାକାଭା (୫୮ ମିନିଟ୍)ରେ ହୁଟର ବାଜିବାର ଦୁଇ ମିନିଟ୍ ପୂର୍ବରୁ ଗୋଲ୍ ଦେଇ ଟୁର୍ଣ୍ଣାମେଣ୍ଟକୁ ଡ୍ର’ କରିଦେଇଥିଲା। ଏହା ଦୁଇ ଟିମ୍‌ଙ୍କ ମଧ୍ୟରେ ଦ୍ବିତୀୟ ଡ୍ର’ ଥିଲା। ଏହି ଡ୍ର ସହିତ, ଭାରତ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟିମ୍ ଇଣ୍ଡିଆ ୩ଟି ମ୍ୟାଚ୍ ରୁ ଗୋଟିଏ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏବେ ଫାଇନାଲରେ ଏହା ଚୀନ୍ ସହିତ ମୁକାବିଲା କରିବ।

ମ୍ୟାଚ୍ ଆରମ୍ଭରେ, ଭାରତୀୟ ମହିଳା ହକି ଦଳ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିଲା । ପ୍ରଥମ କିଛି ମିନିଟ୍ ମଧ୍ୟରେ ଜାପାନର ଡିଫେନ୍ସକୁ ଅସୁବିଧାରେ ପକାଇଥିଲା। ଇଶିକା ଚୌଧୁରୀ ଗୋଲପୋଷ୍ଟରେ ଏକ ଚମତ୍କାର ସଟ୍ ମାରିଥିଲେ, ଯାହା ଫ୍ରେମରେ ବାଜିଥିଲା। ଏହା ପରେ ଜାପାନ ପ୍ରତିଆକ୍ରମଣ ଆରମ୍ଭ କରିଥିଲା, କିନ୍ତୁ ଭାରତୀୟ ଦଳରୁ ବ୍ୟୁଟି ଡୁଙ୍ଗଡୁଙ୍ଗଙ୍କ ଗୋଲ ସହିତ ଅଗ୍ରଣୀ ହାସଲ କରିଥିଲା। ନେହାଙ୍କ ସଟ୍ ଗୋଲରେ ଡିଫ୍ଲେକ୍ଟ କରିବା ପରେ ଡୁଙ୍ଗଡୁଙ୍ଗ ଏହି ଗୋଲ କରିଥିଲେ। ପ୍ରଥମ କ୍ୱାର୍ଟରର ଶେଷ ମୁହୂର୍ତ୍ତରେ, ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମଧ୍ୟ ମିଳିଥିଲା, କିନ୍ତୁ ସ୍କୋର ୧-୦ ରେ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ, ଜାପାନ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ​​ଏବଂ ଏକ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା। ତଥାପି, ଭାରତୀୟ ଡିଫେନ୍ସ ଏହାକୁ ସହଜରେ ବିଫଳ କରିଥିଲା। ଖେଳ ଆଗକୁ ବଢ଼ିବା ସହିତ, ଭାରତୀୟ ଦଳ ବଲ୍ ଉପରେ ନିୟନ୍ତ୍ରଣ ହାସଲ କଲା। କିନ୍ତୁ କ୍ୱାର୍ଟରର ଶେଷ ଆଡ଼କୁ, ଜାପାନ ଭାରତ ଉପରେ ଚାପ ପକାଇଲା। ତଥାପି, ଭାରତୀୟ ଡିଫେନ୍ସ ଚମତ୍କାର ଖେଳ ପ୍ରଦର୍ଶନ କରି ଜାପାନକୁ ଗୋଲ କରିବାରୁ ରୋକିଲା ଏବଂ ହାଫ୍ ଟାଇମ୍ ପର୍ଯ୍ୟନ୍ତ ୧-୦ ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ, ଭାରତୀୟ ମହିଳା ହକି ଦଳ ଆକ୍ରମଣ ଆହୁରି ଜୋରଦାର କରିଥିଲା। ଲାଲରେମସିଆମି ଅନେକ ଥର ଚମତ୍କାର ପଦକ୍ଷେପ ନେଇ ଜାପାନୀ ଡିଫେନ୍ସଙ୍କୁ ଅସୁବିଧାରେ ପକାଇଥିଲା। ତେବେ ଦ୍ୱିତୀୟ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା ଟିମ୍।   ଚତୁର୍ଥ ଏବଂ ଶେଷ କ୍ୱାର୍ଟରରେ, ଜାପାନ ମ୍ୟାଚ୍ ଡ୍ର’ କରିବା ପାଇଁ ସମସ୍ତ ଚେଷ୍ଟା କରିଥିଲା। ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନ ଭାରତୀୟ ଡିଫେନ୍ସ ଉପରେ ଚାପ ପକାଇଥିଲା, କିନ୍ତୁ ଭାରତ ଏହାକୁ ଡିଫେନ୍ସ କରିଥିଲା।  ତଥାପି, ଶେଷ ମୁହୂର୍ତ୍ତରେ, ଶିହୋ କୋବାୟାକାୱା ଜାପାନ ପାଇଁ ଡ୍ର’ ଗୋଲ କରି ସ୍କୋରକୁ ୧-୧ କରିଥିଲେ।ଭାରତ ଶେଷ ମୂହୂର୍ତ୍ତରେ ପେନାଲ୍ଟି କର୍ଣ୍ଣର କରିବାର ସୁଯୋଗ ପାଇଥିଲା। କିନ୍ତୁ ଜାପାନ ତାଙ୍କୁ ସୁଯୋଗ ଦେଇନଥିଲା। ହୁଟର ବାଜିବା ମାତ୍ରେ ଦୁଇ ଟିମ୍‌ ୧-୧ ଗୋଲ୍‌ କରି ମ୍ୟାଚ୍ ଡ୍ର’ ରଖିଥିଲେ।