ନୂଆଦିଲ୍ଲୀ,୨୯/୧୨: ଚଳିତ ଆର୍ଥିକବର୍ଷର ତୃତୀୟ  ତ୍ରୟମାସରେ ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି)  ଜିଡିପିର ୨% ପାର୍‌ କରିପାରେ । ବିଶେଷ କରି ସୁନା  ଆମଦାନି ବୃଦ୍ଧି ଯୋଗୁ ଏଭଳି ହେବ ବୋଲି ବ୍ୟାଙ୍କ୍‌  ଅଫ୍‌ ବରୋଦା ପକ୍ଷରୁ ଜାରି ଏକ ରିପୋର୍ଟରେ  ଉଲ୍ଲେଖ କରାଯାଇଛି ।  ଅନ୍ୟପକ୍ଷରେ, ସେବା ରପ୍ତାନି ଏବଂ ରେମିଟାନ୍ସ  ପ୍ରବାହ ହାରାହାରି ପ୍ରଭାବକୁ ସମ୍ଭାଳିଦେବ ବୋଲି  ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  

ସୂଚନାଯୋଗ୍ୟ, ୨୦୨୪-୨୫ରେ ଦେଶର  ସିଏଡି ଜିଡିପିର ୧.୨%କୁ ଖସିଥିଲା । ଏହା ପୂର୍ବବର୍ଷ  ସମାନ ସମୟରେ ୧.୩% ଥିଲା ।  ବର୍ଦ୍ଧିତ ବାଣିଜ୍ୟିକ ନିଅଣ୍ଟ ବି ଉଚ୍ଚ ସିଏଡିର  କାରଣ । ୨୦୨୪-୨୫ ଆର୍ଥିକବର୍ଷରେ ଦେଶର  ବାଣିଜ୍ୟିକ ନିଅଣ୍ଟ ୭୫୩୦ କୋଟି ଡଲାରକୁ ବୃଦ୍ଧି  ପାଇଛି, ଯାହାକି ୨୦୨୩-୨୪ ସମାନ ସମୟରେ  ୬୪୫୦ କୋଟି ଡଲାର ଥିଲା । ଅଣ-ତୈଳ ସାମଗ୍ରୀ  ଆମଦାନିରେ ବୃହତ୍‌ ବୃଦ୍ଧି ଯୋଗୁ ବାଣିଜ୍ୟିକ ନିଅଣ୍ଟ  ପ୍ରଶସ୍ଥ ହୋଇଛି । ଆଲୋଚ୍ୟ ସମୟରେ ସୁନା  ଆମଦାନିରେ ୫୦୦ କୋଟି ଡଲାର ବୃଦ୍ଧି ଘଟିଥିଲା ।