ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାରେ ପୂଜା ମଣ୍ଡପ ଉପରେ ଆକ୍ରମଣ ଏବଂ ସତଖୀରାଠାରେ ଅବସ୍ଥିତ ଜିଶୋରେଶ୍ୱରୀ କାଳୀ ମନ୍ଦିରରୁ ଚୋରି ଘଟଣାକୁ ନେଇ ଭାରତ ଗଭୀର ଚିନ୍ତା ପ୍ରକାଶ କରିଛି । ଏହାକୁ ଘୃଣ୍ୟ କାର୍ଯ୍ୟ ବୋଲି କହିବା ସହ ପୂଜା ମଣ୍ଡପରେ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷ ସୁନିଶ୍ଚିତ କରିବାକୁ ବାଂଲାଦେଶ ସରକାରଙ୍କୁ କହିଛନ୍ତି ଭାରତ ସରକାର । ସତଖୀରାରେ ଥିବା ଜିଶୋରେଶ୍ୱରୀ କାଳୀ ମନ୍ଦିର ବହୁ ପ୍ରସିଦ୍ଧ । ୨୦୨୧ ମସିହାରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ଗସ୍ତ କରିଥିଲେ, ସେତେବେଳେ ସେ ସେହି ମନ୍ଦିରରେ ମାଆ କାଳୀଙ୍କ ମୁକୁଟ ସ୍ଥାପନ କରିଥିଲେ। ପିଏମ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ମାଙ୍କ ମୁକୁଟ ମନ୍ଦିରରୁ ଚୋରି ହୋଇଯାଇଛି ।
ଏହି ପ୍ରସଙ୍ଗରେ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି, 'ଆମେ ଲୁଟେରାକୁ ଚିହ୍ନିବା ପାଇଁ ମନ୍ଦିରର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛୁ । ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ଗସ୍ତ ସମୟରେ ୨୭ ମାର୍ଚ୍ଚ ୨୦୨୧ରେ ଜିଶୋରେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ । ଏହି ସମୟରେ ଦେବୀଙ୍କୁ ମୁକୁଟ ଦେଇଥିଲେ ମୋଦୀ । ଢାକାରେ ଥିବା ଭାରତୀୟ ହାଇ କମିଶନର ମା’ କାଳୀଙ୍କ ମୁକୁଟ ଚୋରି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ।
ଭାରତର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଆମେ ତାନ୍ତିବାଜାରରେ ପୂଜା ମଣ୍ଡପ ଉପରେ ଆକ୍ରମଣ ଏବଂ ସତଖୀରାରେ ପ୍ରତିଷ୍ଠିତ ଜିଶୋରେଶ୍ୱରୀ କାଳୀ ମନ୍ଦିରରେ ଚୋରି ଘଟଣାରେ ଗଭୀର ଚିନ୍ତା ପ୍ରକାଶ କରୁଛୁ ।’ ଏଭଳି ଘଟଣା ପୂର୍ବ ଯୋଜନା ମୁତାବକ କରାଯାଇଛି । ଏହା ସହ ସେ, ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରାଇବା ଲାଗି ବାଂଲାଦେଶ ସରକାରଙ୍କୁ କହିଛନ୍ତି ।
ସେପଟେ ମନ୍ଦିର ଟ୍ରଷ୍ଟର ସଦସ୍ୟ ଜ୍ୟୋତି ଚଟ୍ଟୋପାଧ୍ୟାୟ ବାଂଲାଦେଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ମୁକୁଟଟି ରୁପାରେ ତିଆରି ହୋଇଥିବା ବେଳେ ଏଥିରେ ସୁନା ଖଚିତ ହୋଇଛି । ଚୋରି ହୋଇଥିବା ମୁକୁଟ ଭକ୍ତମାନଙ୍କ ପାଇଁ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ରଖେ । ହିନ୍ଦୁ ପୁରାଣରେ, ଜିଶୋରେଶ୍ୱରୀ ମନ୍ଦିର ଭାରତ ଏବଂ ପଡୋଶୀ ଦେଶରେ ୫୧ ଶକ୍ତି ମଧ୍ୟରୁ ଗୋଟିଏ ଭାବରେ ପରିଗଣିତ ହୁଏ ।