ନୂଆଦିଲ୍ଲୀ,୨/୦୬: ୨୦୨୩ ଏବଂ ୨୦୨୮  ମଧ୍ୟରେ ଭାରତରେ ଅତିଧନୀ ବା ହାଇ ନେଟ୍‌ୱର୍ଥ  ଇଣ୍ଡିଭିଜୁଆଲ(ୟୁଏଚ୍‌ଏନ୍‌ଡବ୍ଲ୍ୟୁଆଇ)ଙ୍କ ସଂଖ୍ୟା  ୫୦% ବଢ଼ିବ । ଏହା ସମଗ୍ର ବିଶ୍ୱରେ ହେବ  ଦ୍ରୁତ ଅଭିବୃଦ୍ଧି । ମ୍ୟାକ୍‌କିନ୍‌ସେ ଆଣ୍ଡ୍‌ କମ୍ପାନି  ଏବଂ ବିଓଏଫ୍‌ ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ  ଏହି ଅନୁମାନ କରାଯାଇଛି ।  

୩ କୋଟି ଡଲାର ବା ତଦ୍ଦୁର୍ଦ୍ଧ ନେଟ୍‌ ସମ୍ପତ୍ତି ଥିବା ବ୍ୟକ୍ତିଙ୍କୁ ଅତିଧନୀ କୁହାଯାଇଥାଏ । ୨୦୨୩  ସୁଦ୍ଧା ଭାରତରେ ଏହି ବର୍ଗଙ୍କ ସଂଖ୍ୟା ଥିଲା ୧୩,୨୬୩ । ୨୦୨୨ ତୁଳନାରେ ଏଥିରେ ୬.୧%  ବୃଦ୍ଧି ଘଟିଥିଲା ।   

ଦ ଷ୍ଟେଟ୍‌ ଅଫ୍‌ ଫ୍ୟାଶନ୍‌ ଲକ୍‌ଜ୍ୟୁରୀ ରିପୋର୍ଟ ଅନୁସାରେ, ଜନସଂଖ୍ୟା ଏବଂ  ସଂରଚନାତ୍ମକ ପରିବର୍ତ୍ତନଗୁଡ଼ିକ ଦ୍ୱାରା  ୨୦୨୫ରେ ଭାରତୀୟ ଲକ୍‌ଜ୍ୟୁରୀ ବଜାରରେ  ୧୫ରୁ ୨୦% ଅଭିବୃଦ୍ଧି ଅନୁମାନ ରହିଛି । ଏହା  ମୁତାବକ ଜିଓ ୱାର୍ଲଡ ପ୍ଲାଜା ଏବଂ ଗ୍ୟାଲେରିଜ୍‌ ଲାଫାୟେଟ୍‌ ଭଳି ନୂଆ ଲକ୍‌ଜ୍ୟୁରୀ ମଲ୍‌ ଏବଂ ଡିପାର୍ଟମେଣ୍ଟାଲ ଷ୍ଟୋର ଟିୟର୍‌ ୱାନ୍‌ ସହରରେ  ଲକ୍‌ଜ୍ୟୁରୀ ରିୟଲ୍‌ ଇଷ୍ଟେଟ୍‌କୁ ବଢ଼ାଉଛି । 

ଏଥିରେ ଆହୁରି କୁହାଯାଇଛି ଯେ, ଯଦିଓ ବିଳାସ  ସାମଗ୍ରୀରେ ୨୮% ସାମଗ୍ରୀ ଏବଂ ସେବା ଟିକସ  ବା ଜିଏସ୍‌ଟି ରହିଛି ତଥାପି ୭,୦୦,୦୦୦ ଟଙ୍କା  ବା ୮,୪୦୦ ଆମେରିକୀୟ ଡଲାରରୁ ଅଧିକ  ମୂଲ୍ୟର ଆମଦାନି ସାମଗ୍ରୀଗୁଡ଼ିକ ଉପରେ  ବର୍ଦ୍ଧିତ ଟିକସ ଦ୍ୱାରା ଘରୋଇ ବ୍ୟୟ ବଢିବ ।  ଏହା ଲକ୍‌ଜ୍ୟୁରୀ ବଜାରକୁ ତ୍ୱରାନ୍ୱିତ କରିବ ।  

ରିପୋର୍ଟ ମୁତାବକ, ଭାରତ ତୁଳନାରେ  ଜାପାନର ଲକ୍‌ଜ୍ୟୁରୀ ବଜାରରେ ୨୦୨୫ରେ  ୬ରୁ ୧୦% ଅଭିବୃଦ୍ଧି ଦେଖାଦେବ । ଏଥିସହିତ ଏକ ପ୍ରମୁଖ ଲକ୍‌ଜ୍ୟୁରୀ ବଜାର ଭାବେ ଜାପାନ  ଏହାର ସ୍ଥାନ ବଜାୟ ରଖିବ । ଜାପାନର  ଲକ୍‌ଜ୍ୟୁରୀ ବଜାରରେ ବୃଦ୍ଧି ଘରୋଇ ଚାହିଦା ଏବଂ ପର୍ଯ୍ୟଟନ ଖର୍ଚ୍ଚ ଉଭୟ ଦ୍ୱାରା ପ୍ରେରିତ  ହେବ ।  ନିକଟରେ ନୀତି ଆୟୋଗ ସିଇଓ  ବିଭିଆର୍‌ ସୁଭ୍ରମଣ୍ୟମ ଘୋଷଣା କରିଥିଲେ ଯେ, ଭାରତ ଜାପାନଠାରୁ ପାର୍‌ ହୋଇ ବିଶ୍ୱର ଚତୁର୍ଥ  ବୃହତ୍‌ ଅର୍ଥବ୍ୟବସ୍ଥା ପାଲଟିଛି । ଅନ୍ତର୍ଜାତୀୟ  ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ତଥ୍ୟକୁ ଦର୍ଶାଇ ସେ କହିଥିଲେ ଯେ, ଭାରତର ଅର୍ଥବ୍ୟବସ୍ଥା ୪  ଟ୍ରିଲିୟନ ଡଲାରରେ ପହଞ୍ଚିଯାଇଛି । 

ରିପୋର୍ଟ ଅନୁସାରେ, ୟୁଏଚ୍‌ଏନ୍‌ଡବ୍ଲ୍ୟୁଆଇ  ବା ଅତିଧନୀ ଜନସଂଖ୍ୟାରେ ଜାପାନ ଏସିଆର  ଦ୍ୱିତୀୟ ବୃହତ୍‌ ରାଷ୍ଟ୍ର । ୨୦୨୩ରୁ ୨୦୨୮ ମଧ୍ୟରେ  ଏଠାରେ ଅତିଧନୀଙ୍କ ସଂଖ୍ୟା ୧୨% ବଢ଼ିବା  ନେଇ ଅନୁମାନ କରାଯାଇଛି । ଅନ୍ୟପକ୍ଷରେ,  ଭାରତରେ ୟୁଏଚ୍‌ଏନ୍‌ଡବ୍ଲ୍ୟୁଆଇ ଅଭିବୃଦ୍ଧି  ଜାପାନଠାରୁ ଅଧିକ ରହିବ । 

ଆଇଏମ୍‌ଏଫ୍‌ର ବିଶ୍ୱ ଅର୍ଥନୈତିକ  ଦୃଶ୍ୟପଟ ରିପୋର୍ଟର ଏପ୍ରିଲ ସଂସ୍କରଣରେ  କୁହାଯାଇଥିଲା ଯେ, ଆର୍ଥିକବର୍ଷ ୨୦୨୫- ୨୬ ପାଇଁ ଭାରତର ନୋମିନାଲ ଜିଡିପି ପ୍ରାୟ  ୪.୧୮୭ ଟ୍ରିଲିୟନ ଆମେରିକୀୟ ଡଲାରରେ  ପହଞ୍ଚିପାରେ । ଏହା ଜାପାନର ସମ୍ଭାବ୍ୟ  ଜିଡିପିଠାରୁ ସାମାନ୍ୟ ଅଧିକ, ଯାହାର ଅନୁମାନ  ରହିଛି ୪.୧୮୬ ଟ୍ରିଲିୟନ ଡଲାର ।  

ରିପୋର୍ଟରେ କୁହାଯାଇଛି ଯେ, ଗତ  ୫ ବର୍ଷରେ ଲକ୍‌ଜ୍ୟୁରୀ ଶିଳ୍ପ ଅସାଧାରଣ  ମୂଲ୍ୟସୃଜନ ଅବଧିକୁ ଅନୁଭବ କରିଛି । ୨୦୧୯  ଏବଂ ୨୦୨୩ ମଧ୍ୟରେ ଭାରତରେ ବ୍ୟକ୍ତିଗତ  ଲକ୍‌ଜ୍ୟୁରୀ ସାମଗ୍ରୀ, ଫ୍ୟାଶନ୍‌, ହ୍ୟାଣ୍ଡ୍‌ବ୍ୟାଗ୍‌,  ହାତଘଡ଼ି ଏବଂ ଆଭୁଷଣର ବୃହତ୍‌ ଚାହିଦା ଦେଖିବାକୁ ମିଳିଛି । ଚାହିଦା ଅନୁସାରେ  ଯୋଗାଣ ବୃଦ୍ଧି ସହିତ ଏହା ଆଗକୁ ବାର୍ଷିକ  ୫% ଚକ୍ରବୃଦ୍ଧି ଅଭିବୃଦ୍ଧି ସହ ବଢ଼ିବ ବୋଲି  ଅନୁମାନ କରାଯାଇଛି । 

ଲକ୍‌ଜ୍ୟୁରୀ ବ୍ରାଣ୍ଡ୍‌ଗୁଡ଼ିକ ବିଶ୍ୱ ବଜାରରେ  ଉତ୍ତମ ପ୍ରଦର୍ଶନ କରିଛନ୍ତି ଏବଂ ବୃହତ୍‌ ମାତ୍ରାରେ  ଲାଭ ଯୋଡ଼ିଛନ୍ତି । କିନ୍ତୁ ୨୦୨୫ରେ ଏଯାବତ୍‌ ଶିଳ୍ପ ସାମାନ୍ୟ ଧୀମା ରହିଛି । ଶୀର୍ଷ ବ୍ରାଣ୍ଡଗୁଡ଼ିକ  ବି ପ୍ରଭାବିତ ହୋଇଛନ୍ତି । ଲକ୍‌ଜ୍ୟୁରୀ ମୂଲ୍ୟ  ସୃଜନ କମିଛି । ଏହାସତ୍ତେ୍ୱ ଆଗକୁ ଲକ୍‌ଜ୍ୟୁରୀ  ବଜାରରେ ବଡ଼ ଧରଣର ପରିବର୍ତ୍ତନ ଆସିବ  ବୋଲି ଅନୁମାନ କରାଯାଇଛି ।