- ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ପ୍ରତିଯୋଗୀଙ୍କ ଶ୍ରେଷ୍ଠ ସଫଳତା
- ୧୩୨ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ
ଭୁବନେଶ୍ୱର, ୨ ।୩ : ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ଆମ ଯୁବପିଢ଼ିଙ୍କ ମଧ୍ଯରେ ବଢୁଥିବା ଆକାଂକ୍ଷା ଏବଂ ସାମର୍ଥ୍ୟର ପ୍ରତିଫଳନ। ଏହି ପ୍ଲାଟଫର୍ମ ଶିଳ୍ପ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରତିଟି ଜିଲ୍ଲାର ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଭୁବନେଶ୍ୱରସ୍ଥିତ ଏସଡିଆଇ ଅଡିଟୋରିୟମରେ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ଉଦଯାପନୀ ଅବସରରେ କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଜୟନ୍ତ ଚୌଧୁରୀ କହିଛନ୍ତି।
ଏଥିରେ ରାଜ୍ଯ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କହିଥିଲେ "ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଏହା ଦକ୍ଷତା ଉପରେ ଆଧାରିତ। ସେହିପରି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସ୍କିଲ୍ ଇଣ୍ଡିଆ ମିଶନ ଦକ୍ଷତା ବିକାଶକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଛି। ଶିକ୍ଷା ସହିତ ନିଯୁକ୍ତି ଏବଂ ନୂତନତ୍ୱର ସମନ୍ୱୟ ଏହି ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିଛି। ଉଦଯାପନୀ ସମାରୋହରେ ମୋଟ ୧୩୨ ଜଣ କୃତୀ ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରାଯାଇଛି। ୫୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୪୮ଜଣଙ୍କୁ ରୌପ୍ୟ ପଦକ ଏବଂ ୩୧ ଜଣଙ୍କୁ କାଂସ୍ୟ ପଦକରେ ସମ୍ମାନିତ କରାଯାଇଛି। ସେହିପରି ୩୭ ଜଣଙ୍କୁ ଉତ୍କର୍ଷତା ପଦକ ଦିଆଯାଇଛି।
କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ ଯୁବତୀ ୫୯ଟି କୌଶଳ ବର୍ଗରେ ଅଂଶଗ୍ରହଣ କରିଥିଲେ।