ନୂଆଦିଲ୍ଲୀ,୧୦/୦୮: ଅପରିଷ୍କାର ସିଟ୍‌ ଦେବା ପଡ଼ିଲା ମହଙ୍ଗା। ଯାତ୍ରୀଙ୍କୁ ୧.୭୫ ଲକ୍ଷ ଟଙ୍କା ଦେବ ଇଣ୍ଡିଗୋ ଏୟାରଲାଇନ୍ସ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ଉପଭୋକ୍ତା ଫୋରମ୍ । ପିଙ୍କି ନାମକ ଏକ ମହିଳା ଇଣ୍ଡିଗୋ ଏୟାରଲାଇନ୍ସରେ ଭୋଗିଥିବା ଅସୁବିଧାକୁ ନେଇ ଫୋରମ୍‌ର ଦ୍ବାରସ୍ଥ ହୋଇଥିଲେ ।  ଉପଭୋକ୍ତା ଫୋରମ୍ ଏହା ଉପରେ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି। 

ଅଭିଯୋଗ ଅନୁଯାୟୀ, ଜାନୁଆରୀ ୨ ତାରିଖରେ ବାକୁରୁ ନୂଆଦିଲ୍ଲୀ ଯାଉଥିବା  ଇଣ୍ଡିଗୋ ବିମାନରେ ପିଙ୍କିଙ୍କୁ 'ଅପରିଷ୍କାର, ମଇଳା ଏବଂ ଦାଗଯୁକ୍ତ' ସିଟ୍ ଦିଆଯାଇଥିଲା। ଏନେଇ ସେ ଅଭିଯୋଗ କରିଥିଲେ, ହେଲେ ଏୟାରଲାଇନ୍ସ ଏହାକୁ ହାଲୁକା ଭାବରେ ନେଇଥିଲା । ମାତ୍ର ଏହାକୁ ନେଇ ମହିଳାଙ୍କ ଜଣକ ଉପଭୋକ୍ତା ଫୋରମରେ ପହଞ୍ଚିଥିଲେ । ତେବେ ଏହାକୁ ବିଚାର କରି ଜୁଲାଇ ୯ ତାରିଖରେ ଫୋରମ୍ ଏୟାରଲାଇନ୍ସ ବିରୋଧରେ ନିଷ୍କତ୍ତି ଦେଇଛନ୍ତି  । ଉପଭୋକ୍ତା ଫୋରମ୍ ନିଜ ଆଦେଶରେ କହିଛନ୍ତି, ଆମେ ବିଶ୍ୱାସ କରୁଛୁ ଯେ ଯାତ୍ରୀଙ୍କୁ ସେବାରେ ଯୋଗାଇବା ଅଭାବ ପାଇଁ ଇଣ୍ଡିଗୋ ଦୋଷୀ। ମହିଳାଙ୍କୁ ହୋଇଥିବା ଅସୁବିଧା ଏବଂ ମାନସିକ ଚାପକୁ ବିଚାର କରି, ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିବା ଉଚିତ୍। ତେଣୁ ଇଣ୍ଡିଗୋକୁ କ୍ଷତିପୂରଣ ବାବଦକୁ ୧.୭୫ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଫୋରମ୍ ମାମଲା ଖର୍ଚ୍ଚ ଭାବରେ ୨୫,୦୦୦ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି।