ନୂଆଦିଲ୍ଲୀ, ୩୦।୧: କୁୱେତ୍‌ରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଛି । ଏହି ଧମକ ପରେ, ବିମାନଟି ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା । ରିପୋର୍ଟ ଅନୁସାରେ, ବିମାନ ଭିତରେ ଏକ ଟିସୁ ପେପରରେ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା, ଯେଉଁଥିରେ ବିମାନକୁ ଅପହରଣ ଏବଂ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା ।

ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର ସକାଳେ କୁଏତରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ବିମାନଟି ସକାଳ ପ୍ରାୟ ୬ ଟା ୪୦ମିନିଟ୍ରେ ୧୮୦ ଜଣ ଯାତ୍ରୀଙ୍କୁ ନେଇ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ଟିସୁ ପେପର ଧମକପୂର୍ଣ୍ଣ ବାର୍ତ୍ତା ଲେଖାଥିବା ସୂଚନା ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଥିଲେ ଏବଂ ପାଇଲଟଙ୍କୁ ଅହମ୍ମଦାବାଦ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅନ୍ୟପଟେ ଯାତ୍ରୀମାନଙ୍କ ସୁରକ୍ଷା ନେଇ ଯାଞ୍ଚ କରାଯାଇଥିଲା । ପରିଚୟ, ଟିକେଟ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଇଥିଲା, ଏବଂ ଯାତ୍ରୀମାନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହଠାତ୍ ଘଟିଥିବା ଘଟଣା ଯୋଗୁଁ କିଛି ଯାତ୍ରୀ ଭୟଭୀତ ହୋଇଥିଲେ, କିନ୍ତୁ ସୁରକ୍ଷା କର୍ମୀ ସେମାନଙ୍କୁ ଶାନ୍ତ ରହିବାକୁ ଆଶ୍ୱାସନା ଦେଇଥିଲେ । ଯାଞ୍ଚ ସମୟରେ ବିମାନବନ୍ଦରରେ ଅତିରିକ୍ତ ପୋଲିସ ମୁତୟନ କରାଯାଇଥିଲା । ପ୍ରବେଶ ଏବଂ ପ୍ରସ୍ଥାନ ଫାଟକରେ ସୁରକ୍ଷା ବୃଦ୍ଧି କରାଯାଇଥିଲା । ଅନ୍ୟ ଯାତ୍ରୀ ଏବଂ କର୍ମଚାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ବିମାନବନ୍ଦର କାର୍ଯ୍ୟରେ କିଛି ସମୟ ପାଇଁ ବାଧା ସୃଷ୍ଟି ହୋଇଥିଲା ।

ଆହୁରି ପଢ଼ନ୍ତୁ... ସୁଦୃଢ଼ ହେବ ଭାରତ-ଆରବ ସମ୍ପର୍କ, ୧୦ ବର୍ଷ ପରେ ଭାରତ-ଆରବ ବୈଦେଶିକ ମନ୍ତ୍ରୀ ବୈଠକ