ନୂଆଦିଲ୍ଲୀ ୧୭/୧୧: ୨୦୨୩ ଡିସେମ୍ବର ୧୮ରେ ଇସ୍ରାଏଲ୍ ସେନାରେ କ୍ୟାପଟେନ୍ ଭାବେ କାର୍ଯ୍ୟରତ ନେତାନେଲ ସିଲବର୍ଗ(୩୩) ଗାଜାଯୁଦ୍ଧରେ ପ୍ରାଣ ହରାଇଥିଲେ । ତାଙ୍କ ପାର୍ଟନର ଡାକ୍ତର ହଦାସ୍ ଲେଭି ଏହି ଖବର ପାଇବା ପରେ ଦୁଃଖରେ ଭାଙ୍ଗିପଡ଼ିଥିଲେ । ସିଲବର୍ଗଙ୍କ ସନ୍ତାନର ମା’ ହେବାକୁ ତାଙ୍କର ଇଚ୍ଛାଥିବାରୁ ପରବର୍ତ୍ତୀ ସମୟରେ ସେ ପୋଷ୍ଟମର୍ଟମ ସ୍ପର୍ମ ରିଟ୍ରାଇଭାଲର ସହାୟତା ନେଇଥିଲେ । ସେହି ଟେକନିକ୍ ସହାୟତାରେ ସିଲବର୍ଗଙ୍କ ଶୁକ୍ରାଣୁକୁ ବ୍ୟବହାର କରି ସେ ଚଳିତବର୍ଷ ଜୁନ୍ ୧୧ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ନିଜ ପୁତ୍ର ମାଧ୍ୟମରେ ତାଙ୍କ ନିକଟରେ ସିଲବର୍ଗଙ୍କ ସ୍ମୃତି ସବୁଦିନ ଲାଗି ଉଜ୍ଜୀବିତ ରହିଯାଇଥିବା ସେ କହିଛନ୍ତି ।
ଡାକ୍ତର ହଦାସ୍ ଲେଭିଙ୍କ ପରି ଇସ୍ରାଏଲରେ ବହୁ ମହିଳା ଏହି ଟେକନିକର ସାହାରା ନେଉଛନ୍ତି । ସେଥିଯୋଗୁ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ୨୦୨୩ ଅକ୍ଟୋବର ୭ ତାରିଖରେ ହମାସର ଆକ୍ରମଣ ପରେ ଏହି ଚାହିଦା ଅଚାନକ ବଢ଼ିଯାଇଛି । ଇସ୍ରାଏଲ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ତା’ପରଠାରୁ ଅଦ୍ୟାବଧି ୨୫୦ ଜଣ ସୈନିକଙ୍କ ପରିବାର ଏହାର ସୁବିଧା ନେଇଛନ୍ତି । ସେଥିଯୋଗୁ ସେମାନଙ୍କର ବଂଶରକ୍ଷା ହୋଇପାରୁଛି । ଅଧିକାଂଶ କ୍ଷେତ୍ରରେ ସୈନିକଙ୍କର ପିତା-ମାତାଙ୍କ ପକ୍ଷରୁ ଏଥିଲାଗି ଆବେଦନ କରାଯାଇଥିଲା । କିଛି କ୍ଷେତ୍ରରେ ପତ୍ନୀ କିମ୍ବା ପାର୍ଟନର ମଧ୍ୟ ସ୍ପର୍ମ ପାଇଁ ଆବେଦନ କରିଥିଲେ । ସେହିପରି ୨୧ ଜଣ ସାଧାରଣ ଲୋକଙ୍କ ପରିବାର ବି ସେମାନଙ୍କ ସ୍ପର୍ମ ସଂଗ୍ରହ କରିଛନ୍ତି ।
ପୋଷ୍ଟମର୍ଟମ ସ୍ପର୍ମ ରିଟ୍ରାଇଭାଲ (ପିଏସଆର୍) ଟେକନିକରେ ମୃତ୍ୟୁପରେ ପୁରୁଷଙ୍କ ଶରୀରରୁ ସ୍ପର୍ମକୁ ବାହାର କରାଯାଏ । ଏହା ଆର୍ଟିଫିସିଆଲ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି(ଏଆରଟି)ର ଅଂଶବିଶେଷ ଏବଂ ଆଇଭିଏଫ୍(ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍) ସହ ବ୍ୟବହାର ହୋଇଥାଏ । ଡାକ୍ତର ମୃତକଙ୍କ ଶରୀରରୁ ସ୍ପର୍ମ ବାହାର କରିବା ପରେ ଯଦି କିଛି ସ୍ପର୍ମ ଜୀବିତ ଥାଏ ତାକୁ ଫ୍ରିଜ୍ କରିଥାନ୍ତି । ଫ୍ରିଜ୍ ହୋଇଥିବା ସେହି ସ୍ପର୍ମକୁ ଦୀର୍ଘ ବର୍ଷ ଯାଏ ସୁରକ୍ଷିତ ରଖାଯାଇପାରିବ ।
ଇସ୍ରାଏଲ୍ ଡିଫେନ୍ସ ଫୋର୍ସ(ଆଇଡିଏଫ୍) ର ଜଣେ ମୁଖପାତ୍ର କହିଛନ୍ତି, ସାଧାରଣତଃ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ପର୍ମ ୨୪-୩୬ ଘଣ୍ଟା ଯାଏ ଜୀବିତ ରହିପାରେ । ତେଣୁ କୌଣସି ସୈନିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଏଥିନେଇ ସୂଚନା ଦେଉଥିବା ଅଧିକାରୀ ସେମାନଙ୍କୁ ତୁରନ୍ତ ସ୍ପର୍ମ ବାହାର କରିବାକୁ ଇଚ୍ଛୁକ କି ନାହିଁ ତାହା ପଚାରିଥାନ୍ତି । ପ୍ରଥମେ ପିଏସଆର୍ ଲାଗି ପିତା-ମାତାଙ୍କୁ କୋର୍ଟଙ୍କର ଅନୁମତି ଆବଶ୍ୟକ ଥିଲା । ଗାଜା ଯୁଦ୍ଧ ପରେ ସରକାର ଏହାକୁ ଅସ୍ଥାୟୀ ଭାବେ ସହଜ କରିଦେଇଛନ୍ତି । କିନ୍ତୁ ଏ ସଂପର୍କରେ କୌଣସି ଜାତୀୟ ନୀତି ଆସିନାହିଁ । ଡାକ୍ତର ଲେଭିଙ୍କ ମାମଲାରେ ସେ ସିଲବର୍ଗଙ୍କୁ ବିବାହ କରିନଥିବାରୁ ତାଙ୍କୁ ୨୦୨୪ରେ ଜେରୁଜେଲମ୍ର ଏକ ପାରିବାରିକ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପଡି଼ଥିଲା । ଆବେଦନରେ ସେ ନିଜକୁ ସିଲବର୍ଗଙ୍କ ପାର୍ଟନର ଭାବେ ଦର୍ଶାଇ ତାଙ୍କ ସ୍ପର୍ମ ଲାଗି ଦାବି କରିଥିଲେ । କୋର୍ଟ ତାଙ୍କର ଆବେଦନକୁ ସ୍ୱୀକାର କରିବା ପରେ ସେ ଆଇଭିଏଫ୍ ମାଧ୍ୟମରେ ମା’ ହୋଇଥିଲେ ।