ନୂଆଦିଲ୍ଲୀ,୧୧।୪: ୨୮ ଫେବୃଆରୀ ୨୦୨୬ ରେ ବିମାନ ଆକ୍ରମଣରେ ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଆକ୍ରମଣରେ ତାଙ୍କ ପୁଅ ଓ ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଗୁରୁତର ଭାବରେ ଆହତ ହୋଇଥିଲେ। ନ୍ୟୁଜ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁସାରେ, ତାଙ୍କର ଆଭ୍ୟନ୍ତରୀଣ ସୁତ୍ର ଅନୁସାରେ, ମୋଜତାବା ଖାମେନେଇଙ୍କ ଚେହେରା ଏହି ଆକ୍ରମଣରେ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ତାଙ୍କ ଗୋଡରେ ଗଭୀର ଆଘାତ ମଧ୍ୟ ଲାଗିଛି। ଏହି କାରଣରୁ ତାଙ୍କ ଗୋଟିଏ ଗୋଡ ବି କଟି ଯାଇଛି।
ଆମେରିକା ଗୁଇନ୍ଦା ରିପୋର୍ଟ ଅନୁସାରେ, ମୋଜତାବା ନିଜର ଗୋଟେ ଗୋଡ ହରାଇଛନ୍ତି। ତାଙ୍କ ମୁହଁରେ ଗଭୀର କ୍ଷତ ରହିଛି। ଏହି କାରଣରୁ ୮ ମାର୍ଚ୍ଚରେ ତାଙ୍କର ନିଯୁକ୍ତି ପରେ ତାଙ୍କର କୌଣସି ଫଟୋ କିମ୍ବା ଭିଡିଓ ସାର୍ବଜନୀନ ହୋଇନଥିଲା। ସୁତ୍ର ଅନୁସାରେ, ସେ ମାନସିକ ରୂପରେ ସମ୍ପୂର୍ଣ୍ଣ ସକ୍ରିୟ। ସେ ବରିଷ୍ଠ ଅଧିକାରୀଙ୍କ ସହ ଅଡିଓ କନଫ୍ରେନ୍ସିଂ ଜରିଆରେ ବୈଠକ କରୁଛନ୍ତି। ସେ ଯୁଦ୍ଧ ତଥା ଇସଲାମାବାଦରେ ହେବାକୁ ଥିବା ଶାନ୍ତି ବାର୍ତ୍ତା ଭଳି ଘଟଣାରେ ବଡ଼ ନିଷ୍ପତ୍ତି ନେଉଛନ୍ତି। ଇରାନ ଗଣମାଧ୍ୟମ ତାଙ୍କୁ ସାହାସୀ ବୋଲି କହି ସମ୍ବୋଧିତ କରିଛି, ଯାହାକି ତାଙ୍କର ଆଘାତ ନେଇ ଅଫିସିଆଲି କୌଣସି ଘୋଷଣାର ସଙ୍କେତ ବୋଲି ମାନିହେବ।
ବିଶେଷଜ୍ଞଙ୍କ ମତରେ ନିଜ ବାପାଙ୍କ ସମ୍ପୂର୍ଣ୍ଣ ବିପରୀତ ହେଉଛନ୍ତି ମୋଜତାବା, ଯଦିଓ ସେ ସୁପ୍ରିମ ଲିଡର କିନ୍ତୁ ତାଙ୍କ ପାରେ ସମସ୍ତ ଅଧିକାର ନାହିଁ। ମୋଜତାବାଙ୍କୁ ସୁପ୍ରିମଲିଡର କରିବା ପଛରେ ରିଭୋଲ୍ୟୁସନାରୀ ଗାର୍ଡର ବଡ଼ ଭୂମିକା ରହିଛି। ଯୁଦ୍ଧର ଏହି ସମୟରେ ରିଭୋଲ୍ୟୁସନାରୀ ଗାର୍ଡସ୍ଙ୍କ ନିଷ୍ପତ୍ତି ସବୁଠାରୁ ପ୍ରଭାବୀ ଭାବରେ ଆଗକୁ ଆସିଛି। ମିଡିଲ ଇଷ୍ଟ ଇନଷ୍ଟିଚ୍ୟୁଟ୍ର ଆଲେକ୍ସ ବତନତାଙ୍କ କହିବା ଅନୁସାରେ, ମୋଜତାବା ନିଜେ ନିଜକୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ରୂପରେ ପ୍ରମାଣିତ କରିବାକୁ ବହୁ ବର୍ଷ ଲାଗିପାରେ। ବର୍ତ୍ତମାନ ସେ କେବଳ ଜଣେ ନାମମାତ୍ର ମୁଖ୍ୟ ରୂପରେ କାମ କରୁଛନ୍ତି, ପ୍ରକୃତ ଶକ୍ତି ସାମରିକ ନେତୃତ୍ବ ନିକଟରେ ରହିଛି।
ଇରାନରେ ଇଣ୍ଟରନେଟର ଖରାପ ସ୍ଥିତି ପରେ ବି ସୋସିଆଲ ମିଡିଆରେ ମୋଜତାବାଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ପ୍ରକାର ମିମ୍ସ ଭାଇରାଲ ହେଉଛି। ଏକ ଲୋକପ୍ରିୟ ମିମ୍ସରେ ଜଣେ ବ୍ୟକ୍ତି ଖାଲି ଚୌକିରେ ସ୍ପଟଲାଇଟ୍ରେ ଦେଖାଯାଉଛି, ଯାହାର ତଳେ ଲେଖାଯାଇଛି ‘ମୋଜତାବା’ କେଉଁଠି ଅଛନ୍ତି ? ତାଙ୍କର ସମର୍ଥକ ଓ ‘ବସିଜ୍’ ମିଲିସିୟାଙ୍କ କହିବା ଅନୁସାରେ, ଆମେରିକା ଓ ଇସ୍ରାଏଲ ବିମାନ ଆକ୍ରମଣର ବିପଦକୁ ଦେଖି ତାଙ୍କର ଲୋ-ପ୍ରୋଫାଇଲ ରହିବା ହିଁ ଦେଶ ପାଇଁ ହିତକାରକ। ମୋଜତାବାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଖବର ଏଭଳି ସମୟରେ ଆସିଛି, ଯେତେବେଳେ ଶନିବାର ପାକିସ୍ତାନର ରାଜଧାନୀ ଇସ୍ଲାମାବାଦରେ ଆମେରିକା ଓ ଇରାନ ଭିତରେ ନିର୍ଣ୍ଣାୟକ ଶାନ୍ତି ବାର୍ତ୍ତା ଆରମ୍ଭ ହୋଇଛି। କ’ଣ ଜଣେ ଆହତ ଓ ପରଦା ପଛରେ ଲୁଚିଥିବା ନେତା ଟ୍ରମ୍ପ ପ୍ରଶାସନ ସହିତ ଛୁକ୍ତି ସାକ୍ଷର କରିବାର ସାହାସ ଜୁଟାଇ ପାରିବେ ? ମୋଜତାବା ନିଜର ଲିଖିତ ବାର୍ତ୍ତାରେ ପ୍ରତିରୋଧର କଥା କହିଛନ୍ତି ଓ ଷ୍ଟେ୍ରଟ୍ ଅଫ୍ ହର୍ମୁଜକୁ ବନ୍ଦ କରିବାର ଚେତାବନୀ ଦେଇଛନ୍ତି।