ନୂଆଦିଲ୍ଲୀ,୨୮/୦୧: ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଆଟ୍‌ ହୋମ୍‌’ ପାର୍ଟିରେ ନୂଆ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତିଙ୍କ ଅନୁରୋଧ ସତ୍ତେ୍ୱ ବିରୋଧୀ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସାମ ଗାମୁଛା ପିନ୍ଧି ନ ଥିବା ବିଜେପି ଅଭିଯୋଗ ଆଣିଛି । ରିସେପ୍ସନ ପାର୍ଟିରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଦେଶୀ ଅତିଥିମାନେ ଗାମୁଛା ପକାଇଥିଲେ । କିନ୍ତୁ ରାହୁଲ ଏକମାତ୍ର ନେତା ଭାବେ ଗାମୁଛା ପକାଇବାକୁ ମନା କରିଥିଲେ ବୋଲି ବିଜେପି କହିଛି । 

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସେୟାର କରି କହିଛନ୍ତି, ରାହୁଲଙ୍କ ଏପରି ବ୍ୟବହାର କାରଣରୁ ତାଙ୍କ ପାର୍ଟି ଏହି କ୍ଷେତ୍ର ଏବଂ ଦେଶର ବଡ଼ ଭାଗରେ ବିଶ୍ୱାସ ହରାଇଛି । ଏହା ସତ୍ତେ୍ୱ ତାଙ୍କ ଏପରି ଅସମ୍ବେଦନଶୀଳତା ବାରମ୍ବାର ସାମ୍‌ନାକୁ ଆସୁଛି । ହିମନ୍ତ କହିଛନ୍ତି, ସମୟ ବଦଳି ପାରୁଛି କିନ୍ତୁ ରାହୁଲଙ୍କ ବିଚାରଧାରା ବଦଳୁନି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଦେଶୀ ଅତିଥି ସମ୍ମାନର ସହ ଗାମୁଛା ପକାଇଲେ, କିନ୍ତୁ ରାହୁଲ ଜିଦ୍‌ରେ ଅଟଳ ଥିବା ଦେଖିବାକୁ ମିଳିଲା । ଏଥିପାଇଁ ରାହୁଲ କ୍ଷମା ମାଗିବା ଉଚିତ ।  ଜବାବରେ କଂଗ୍ରେସ ମଧ୍ୟ ପାର୍ଟିରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ଫଟୋ ସେୟାର କରିଛି । 

ଆହୁରି ପଢନ୍ତୁ-ଶୀର୍ଷରୁ ସନ୍ନ୍ୟାସ: କାହିଁକି ‘ପ୍ଲେବ୍ୟାକ୍ ସିଙ୍ଗିଙ୍ଗ୍’କୁ ବାଏ ବାଏ କଲେ ଅରିଜତ୍​​​​​​​

କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି, ରାଜନାଥ ବି ଆସାମ ଗାମୁଛା ପକାଇନାହାନ୍ତି । ଏଥିପାଇଁ ବିଜେପି ତାଙ୍କୁ କ୍ଷମା ମାଗିବାକୁ କହିପାରିବ କି? ଶାସକ ବିରୋଧୀ ମାହୋଲରୁ ବର୍ତ୍ତିବା ପାଇଁ ବିଜେପିର ରଣନୀତି ଏପରି ଅପ୍ରାସଙ୍ଗିକ କଥା ଉଠାଇବା ପର୍ଯ୍ୟନ୍ତ ସୀମିତ । ଯଦି ଗାମୁଛା ନ ପକାଇବା ଏକ ଅପମାନ ତେବେ ରାଜନାଥ ସିଂ କାହିଁକି ପକାଇଲେନି ବୋଲି କଂଗ୍ରେସ ସାଂସଦ ମଣିକମ୍‌ ଟାଗୋର କହିଛନ୍ତି ।  ଏହି ଘଟଣା ପୂର୍ବରୁ ଗଣତନ୍ତ୍ର ଦିବସର ମୁଖ୍ୟ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲଙ୍କୁ ପଛରେ ସିଟ୍‌ ଦିଆଯିବାକୁ ନେଇ କଂଗ୍ରେସ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ମୋଦି ସରକାର ଜାଣିଶୁଣି ଶୀର୍ଷ ବିରୋଧୀ ନେତାଙ୍କୁ ଅପମାନିତ କରିଥିବା କଂଗ୍ରେସ କହିଛି । ସମାରୋହରେ ରାହୁଲ କେନ୍ଦ୍ର ମନ୍ତ୍ରୀମାନଙ୍କ ପଛରେ ବସିଥିବାର ଫଟୋ ସାମ୍‌ନାକୁ ଆସିଛି । ଏହା ଜବାବରେ କଂଗ୍ରେସ ୨୦୧୪ର ଏକ ଫଟୋ ସେୟାର କରି କେନ୍ଦ୍ର ସରକାରଙ୍କୁ ଘେରିଛି । ଏହି ଫଟୋରେ ସେତେବେଳେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ୍‌ଭାନି ଆଗ ଧାଡ଼ିରେ ବସିଥିବା ଦେଖିବାକୁ ମିଳିଛି । କଂଗ୍ରେସ ସେତେବେଳେ ପ୍ରୋଟୋକଲ ପାଳନ କରିଥିଲେ ହେଁ ଏବେର ସରକାର ପ୍ରୋଟୋକଲ ଭାଙ୍ଗିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି ।