ଭୁବନେଶ୍ୱର,୧୬।୧୨ :  : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ରବିବାର ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆରମ୍ଭ ହୋଇଛି । ୮ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୦ଟି ଦେଶରୁ ପ୍ରାୟ ୭୦୦ ପ୍ରତିଯୋଗୀ ସାମିଲ ହୋଇଛନ୍ତି । 

ଏହି ଟୁର୍ଣ୍ଣାମେଣ୍ଟକୁ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ବୟସର ଖେଳାଳୀମାନେ ଆଗ୍ରହର ସହ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିବା ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଏହାକୁ ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ବୋଲି ଅଭିହିତ କରିବା ସହ ଏହା ସାହାଯ୍ୟରେ ଚେସ୍ ଖେଳକୁ ଅଧିକ ଲୋକାଭିମୁଖୀ କରିହେବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ । 

ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ (ଏଓସିଏ) ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ସୋଆ, ରୋଟାରୀ ଇଣ୍ଟରନ୍ୟାସ୍‌ନାଲ ଏବଂ ଏମ୍‌ପ୍ରିଓ ଗ୍ରୁପ୍‌ର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ରଖାଯାଇଛି । 

‘ଏ’ କ୍ୟାଟାଗୋରୀରେ ୧୯୦୦ କିମ୍ବା ତଦୁର୍ଦ୍ଧ ଏଲୋ ରେଟିଂ ଥିବା ପ୍ରାୟ ୧୨୦ ଜଣ ଖେଳାଳୀ ଭାଗ ନେଇଥିବା ବେଳେ କ୍ୟାଟାଗୋରୀ ‘ବି’ରେ ୧୯୦୦ ରୁ କମ୍ ଏଲୋ ରେଟିଂ ଥିବା ଖେଳାଳୀ ଏବଂ କ୍ୟାଟାଗୋରୀ ‘ସି’ରେ ୧୬୦୦ରୁ କମ୍ ଏଲୋ ରେଟିଂ ଥିବା ଖେଳାଳୀ ସାମିଲ ହୋଇଛନ୍ତି । 

କ୍ୟାଟାଗୋରୀ ‘ଏ’ର ମୋଟ ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରହିଥିବା ବେଳେ ସର୍ବାଧିକ ପୁରସ୍କାର ସାଢ଼େ ୫ ଲକ୍ଷ ଟଙ୍କା ରଖାଯାଇଛି । ସେହିପରି କ୍ୟାଟାଗୋରୀ ‘ବି’ ଏବଂ କ୍ୟାଟାଗୋରୀ ‘ସି’ ନିମନ୍ତେ ସାଢ଼େ ସାତ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଛି ।

ସୋଆର ଦ୍ୱିତୀୟ କ୍ୟାମ୍ପସ୍‌ରେ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ବାବୁ ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଅର୍ଗାନାଇଜିଂ କମିଟିର ଅଧ୍ୟକ୍ଷ ତଥା ଏମ୍ପ୍ରିଓ ଗ୍ରୁପ୍‌ର ନିର୍ଦ୍ଦେଶକ ଡାକ୍ତର ଅବିନାଶ ସାମଲ, ଟୁ୍‌ର୍ଣ୍ଣାମେଣ୍ଟର ଅର୍ଗାନାଇଜିଂ କମିଟିର ସହ ଅଧ୍ୟକ୍ଷ ତଥା ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏଓସିଓର ସଚିବ ତଥା ଟୁର୍ଣ୍ଣାମେଣ୍ଟ ର ନିର୍ଦ୍ଦେଶକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର ଏବଂ ସୋଆର ସ୍ପୋର୍ଟ୍ସ ଅଫିସର ସୁନୀତା ବର୍ମା ଉପସ୍ଥିତ ଥିଲେ ।