ମାଲକାନଗିରି, ୧୬/୧୦ : ସାମ୍ବାଦିକଙ୍କ ବିଭିନ୍ନ ଦାବି ନେଇ ଓ ଆନ୍ଧ୍ର ପୁଲିସର ସାମ୍ବାଦିକଙ୍କ ନାମରେ ମିଥ୍ୟା ଗଞ୍ଜେଇ କେସ ପ୍ରତିବାଦରେ ସୀମାନ୍ତ ସୁକୁମା ଜିଲ୍ଲାରେ ୫ରାଜ୍ୟର ସାମ୍ବାଦିକ ଏକତ୍ରିତ ହୋଇ ଅନ୍ତର୍ଜାତୀୟ ସାମ୍ବାଦିକ ଆନ୍ଦୋଳନ କରିବା ସହ ସୁକୁମା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି ସକାଳେ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ବସ ଷ୍ଟାଣ୍ଡଠାରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର ରାଜ୍ୟର ଶତାଧିକ ସାମ୍ବାଦିକମାନେ ଏକତ୍ରିତ ହୋଇ ଅନ୍ତର୍ଜାତୀୟ ସାମ୍ବାଦିକ ଆନ୍ଦୋଳନ ସହ ଗଣବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ବିରାଟ ଶୋଭଯାତ୍ରାରେ ଅପରାହ୍ନରେ ସହର ପରିକ୍ରମା କରି ସୁକୁମା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କ ଜରିଆରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଛତିଶଗଡ଼ ରାଜ୍ୟର ୪ଜଣ ସାମ୍ବାଦିକଙ୍କ ଗାଡ଼ିରେ ଗଞ୍ଜେଇ ରଖି ଆନ୍ଧ୍ର ପୁଲିସ ଗଞ୍ଜେଇ ଚାଲାଣ ମିଥ୍ୟା ଅଭିଯୋଗରେ ଗିରଫ କରି ଜେଲ ପଠାଇଥିଲେ । ପରବର୍ତ୍ତି ସମୟରେ ଏହା ସିସିଟିଭି କ୍ୟାମେରାରେ ଜଣା ପଡିବା ପରେ ଗିରଫ ସାମ୍ବାଦିକଙ୍କୁ ଜାମିନ ମିଳିଥିଲା । ବିନା କାରଣରେ ୪ଜଣ ସାମ୍ବାଦିକ ଜେଲ ଯିବା ଘଟଣାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ସିବିଆଇ ତଦନ୍ତ ଦାବି ନେଇ ଆଜିର ଆନ୍ଦୋଳନ କରାଯାଇଥିଲା । ଆନ୍ଦୋଳନକାରୀଙ୍କ ନିକଟରେ ଛତିଶଗଡ଼ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ସୁକୁମା ଜିଲ୍ଲାର ବିଧାୟକ କବାସୀ ଲକ୍ଷ୍ମା ପହଁଚି ଆନ୍ଧ୍ର ପୁଲିସର କାର୍ଯ୍ୟକୁ ନିନ୍ଦା କରି ଏହାର ସିବିଆଇ ତଦନ୍ତର ଆବଶ୍ୟକ ରହିଛି ବୋଲି କହିଛନ୍ତି । ଏହି ଆନ୍ଦୋଳନରେ ଓଡିଶାର ମାଲକାନଗିରି ଜିଲ୍ଲା, ଛତିଶଗଡ଼ ସୁକୁମା, ବସ୍ତର, ଦନ୍ତେୱାର୍ଡ, ମହାରାଷ୍ଟ୍ର ଗଡ଼ ଚେଲି ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକମାନେ ଯୋଗ ଦେଇଥିଲେ।