ବାଲେଶ୍ୱର,୨୬/୦୭:ଜଳବାୟୁ ପରିବର୍ତ୍ତନ ପାଇଁ  କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟ(ବାତ୍ୟା,ବନ୍ୟା)  ବାଲେଶ୍ୱରବାସୀଙ୍କ ସହଚର ପାଲଟିଛି । ଏଥିରେ ଧନଜୀବନ  ପ୍ରଭାବିତ ହେଉଛି । ଏହାର ପ୍ରକୋପକୁ ରୋକିବା ପାଇଁ  ହେନ୍ତାଳ ବଣ ସୃଷ୍ଟି  ଉପରେ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ  ଉଦାସୀନତାଠାରୁ ଆରମ୍ଭ  କରି ବିଭିନ୍ନ ସମସ୍ୟା  ପାଇଁ ଜିଲ୍ଲାରେ ଏହା  ଫଳପ୍ରସୂ ହୋଇପାରୁନି ।  ତେବେ୨୦୨୧ରୁ ୨୦୨୪ ମଧ୍ୟରେ ଜିଲ୍ଲାରେ  କେବଳ ଭୋଗରାଇ ବ୍ଲକ ଉପକୂଳରେ ୨୭୫ ହେକ୍ଟର  ହେନ୍ତାଳ ବଣ ସୃଷ୍ଟି ହୋଇପାରିଛି । 

ରାଜ୍ୟରେ ଯେଉଁ କେତଟି ଉପକୂଳବର୍ତ୍ତୀ ଜିଲ୍ଲା ଅଛି  ସେଥିମଧ୍ୟରୁ ବାଲେଶ୍ୱର ଅନ୍ୟତମ । ଜିଲ୍ଲାରେ ୮୧ କି.ମି  ସମୁଦ୍ର ଉପକୂଳ ଅଞ୍ଚଳ ଥିବାବେଳେ ପାଖାପାଖି ୬୭ କି.ମି  ବେଳାଭୂମି ଅଛି । ଭୋଗରାଇ, ବାଲିଆପାଳ, ବାଲେଶ୍ୱର  ସଦର, ରେମୁଣା, ସୋରକୁ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ  ଭାବେ ବିବେଚନା କରାଯାଏ । ପ୍ରତିବର୍ଷ ବନ୍ୟା ହେଉ କି  ବାତ୍ୟା³ ପ୍ରାକୃତିକ ଦୁର୍ବିପାକରେ ଏହି ସବୁ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଲୋକେ ନାହିଁ ନ ଥିବା ଅସୁବିଧାର  ସମ୍ମୁଖୀନ ହୁଅନ୍ତି । ବାତ୍ୟାର ତାଣ୍ଡବ, ବନ୍ୟାର ବିଭୀଷିକା  ସେମାନଙ୍କ ପାଇଁ ଏବେ ଚିର ସହଚର ପାଲଟିଛି । ସମୁଦ୍ର  ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ଆଗାମୀ ଦିନରେ ସୁନାମୀ  ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବେ ବୋଲି  ଏବେଠୁ ପରିବେଶବିତ୍‌ମାନେ ସତର୍କ କରାଇ ଦେଲେଣି ।  ଏଭଳି ବିପର୍ଯ୍ୟୟକୁ ରୋକିବା ପାଇଁ ସମୁଦ୍ର ଉପକୂଳରେ  ଅଧିକରୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରିବାକୁ ସେମାନେ  ପରାମର୍ଶ ଦେଇଛନ୍ତି ।  

ପ୍ରାକୃତିକ ବିପର୍ଯ୍ୟୟକୁ ମଣିଷ ରୋକିପାରିବନି ।  ମାତ୍ର ହେନ୍ତାଳ ବଣ ଦ୍ୱାରା ଏହାର ପ୍ରକୋପକୁ ରୋକା  ଯାଇପାରିବ । ଏଥିପାଇଁ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ  ହେନ୍ତାଳ ବଣ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ମାତ୍ର  ଜିଲ୍ଲାରେ ଏହାକୁ ଆଶାନୁରୂପ ସଫଳତା ମିଳୁନି । ଜଙ୍ଗଲ ବିଭାଗ ପକ୍ଷରୁ ହେନ୍ତାଳ ବଣ ସୃଷ୍ଟି କରାଯାଉଛି । ମାତ୍ର  ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ  ହୋଇଯାଇଛି । ସଚେତନତା ଅଭାବରରୁ ଅଧିକାଂଶ ଅଞ୍ଚଳରେ  ସ୍ଥାନୀୟ ଲୋକେ ହେନ୍ତାଳ ବଣକୁ କାଟି ଏହାକୁ ଜାଳେଣି  ଭାବେ ମଧ୍ୟ ବ୍ୟବହାର କରୁଛନ୍ତି । 

ଜିଲ୍ଲା ବନ ବିଭାଗ  କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଭାରତ ବନ  ସ୍ଥିତି ରିପୋର୍ଟ ୨୦୨୩ ଅନୁସାରେ ଜିଲ୍ଲାରେ ସମୁଦାୟ ୪୮୨ ହେକ୍ଟର ହେନ୍ତାଳ ବଣ ଅଛି । ଏହି ବଣଗୁଡ଼ିକ ମୁଖ୍ୟତଃ  ଉପକୂଳବର୍ତ୍ତୀ ବ୍ଲକଗୁଡ଼ିକରେ ଦେଖାଯାଏ । ବିଗତ ୨୦୨୧- ୨୨ରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ(କେବଳ  ଭୋଗରାଇ ବ୍ଲକ) ୨୭୫ ହେକ୍ଟର ନୂତନ ହେନ୍ତାଳ ବଣ  ସୃଷ୍ଟି କରାଯାଇଛି । ଏଭଳି ସମୟରେ ଜିଲ୍ଲାରେ  ପ୍ରାକୃତିକ ବିପର୍ଯ୍ୟୟକୁ ହ୍ରାସ  କରିବା ପାଇଁ କିଛି ଘରୋଇ  ସଂସ୍ଥା ହେନ୍ତାଳବଣ ସୃଷ୍ଟି  କରିବା ଉପରେ ଗୁରୁତ୍ୱ  ଦେବା ସ୍ୱାଗତଯୋଗ୍ୟ  ପଦକ୍ଷେପ । ‘ରିଲାଏନ୍ସ  ଫାଉଣ୍ଡେସନ’ ନାମକ  ଏକ ସଂସ୍ଥା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସୋର  ଖରାସାହାପୁର, ରେମୁଣାର ତାଳପଦା ଅଞ୍ଚଳରେ ହେନ୍ତାଳ ବଣ  ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛି । ଏହି ଦୁଇଟି ସ୍ଥାନରେ  ପାଖାପାଖି ୧୨ ଏକର ଜମିରେ ହେନ୍ତାଳବଣ ସୃଷ୍ଟି କରାଯିବ ।  

ଏନେଇ ସ୍ଥାନୀୟ ଲୋକକୁ ସଚେତନ କରାଇବା ସହ ହେନ୍ତାଳ  ଚାରା ମଧ୍ୟ ଲଗାଯାଇଛି ବୋଲି ସଂସ୍ଥା ପକ୍ଷରୁ ବାଲେଶ୍ୱର  ଦାୟିତ୍ୱରେ ଥିବା ଦିବ୍ୟକାନ୍ତ ନାୟକ ସୂଚନା ଦେଇଛନ୍ତି । ପାଇଲଟ  ପ୍ରଜେଷ୍ଟ ସଫଳ ହେଲେ³ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ  ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯିବା  ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।   ସାମ୍ପ୍ରତିକ ପରିସ୍ଥିତିରେ ହେନ୍ତାଳ ବଣର ଗୁରୁତ୍ୱ ଉପରେ  ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଭାଗର  ପ୍ରଫେସର ରଣୀନ୍ଦ୍ର କୁମାର ନାୟକଙ୍କ ସହ ଆଲୋଚନା କରାଯାଇଥିଲା । 

ତାଙ୍କ କହିବା କଥା ସମୁଦ୍ର ମୁହାଣ  ଅର୍ଥାତ ଯେଉଁ ନଦୀ ସମୁଦ୍ରରେ ମିଶେ, ସେହି ସନ୍ତସନ୍ତିଆ  ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହୋଇଥାଏ । ଓଡ଼ିଶାର  ୬୫ ପ୍ରଜାତିର ହେନ୍ତାଳ ଗଛ ଦେଖିବାକୁ ମିଳେ । ହେନ୍ତାଳ  ବ୍ୟତୀତ ସମୁଦ୍ରକୂଳର ଲୁଣିଆ ପାଣିରେ ଅନ୍ୟ କୌଣସି ଗଛ ବଢ଼ିପାରେନି । ଏହି ଗଛର ଗୁରୁତ୍ୱକୁ ଯେତେ ବର୍ଣ୍ଣନା କଲେ  କମ୍‌ ହେବ । ବାତ୍ୟା ସମୟରେ ଏହି ଜଙ୍ଗଲ ପାଚେରି ହୋଇ ଛିଡ଼ା ହେବା ସହ ଏହାର ପ୍ରକୋପକୁ ରୋକିଥାଏ । ଏହି ଜଙ୍ଗଲ  ସମୁଦ୍ରର ଜୈବ ବିବିଧତାକୁ ରକ୍ଷା କରେ । ସେମାନଙ୍କ ଏହି  ଅଭିଯାନରେ ଆମକୁ ସାମିଲ ହେବାର ସମୟ ଆସିଛି ବୋଲି ସେ  କହିଥିଲେ । ଏନେଇ ବନ ବିଭାଗର ଏଡିଏଫଓ ଦିଗନ୍ତ ଶୋଭନ  ଚାନ୍ଦଙ୍କ ସହ ଆଲୋଚନା କରାଯାଇଥିଲା । ବନ ବିଭାଗ ପକ୍ଷରୁ  ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରିବା  ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନ ପାଇଁ କେତେ  ହେନ୍ତାଳ ବଣ ସୃଷ୍ଟି ହେବ ସେନେଇ କୌଣସି ଲକ୍ଷ୍ୟ ଧାର୍ଯ୍ୟ  ହେଇନି । ତେବେ ଉପଯୁକ୍ତ ସ୍ଥାନ ମିଳିଲେ ବନ ବିଭାଗ ପକ୍ଷରୁ ନିଶ୍ଚିତ ବନୀକରଣ କରାଯିବ ବୋଲି ସେ କହିଥିଲେ ।