ବାଲେଶ୍ୱର,୨୬/୦୭:ଜଳବାୟୁ ପରିବର୍ତ୍ତନ ପାଇଁ କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯ୍ୟୟ(ବାତ୍ୟା,ବନ୍ୟା) ବାଲେଶ୍ୱରବାସୀଙ୍କ ସହଚର ପାଲଟିଛି । ଏଥିରେ ଧନଜୀବନ ପ୍ରଭାବିତ ହେଉଛି । ଏହାର ପ୍ରକୋପକୁ ରୋକିବା ପାଇଁ ହେନ୍ତାଳ ବଣ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ସରକାରଙ୍କ ଉଦାସୀନତାଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟା ପାଇଁ ଜିଲ୍ଲାରେ ଏହା ଫଳପ୍ରସୂ ହୋଇପାରୁନି । ତେବେ୨୦୨୧ରୁ ୨୦୨୪ ମଧ୍ୟରେ ଜିଲ୍ଲାରେ କେବଳ ଭୋଗରାଇ ବ୍ଲକ ଉପକୂଳରେ ୨୭୫ ହେକ୍ଟର ହେନ୍ତାଳ ବଣ ସୃଷ୍ଟି ହୋଇପାରିଛି ।
ରାଜ୍ୟରେ ଯେଉଁ କେତଟି ଉପକୂଳବର୍ତ୍ତୀ ଜିଲ୍ଲା ଅଛି ସେଥିମଧ୍ୟରୁ ବାଲେଶ୍ୱର ଅନ୍ୟତମ । ଜିଲ୍ଲାରେ ୮୧ କି.ମି ସମୁଦ୍ର ଉପକୂଳ ଅଞ୍ଚଳ ଥିବାବେଳେ ପାଖାପାଖି ୬୭ କି.ମି ବେଳାଭୂମି ଅଛି । ଭୋଗରାଇ, ବାଲିଆପାଳ, ବାଲେଶ୍ୱର ସଦର, ରେମୁଣା, ସୋରକୁ ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ ଭାବେ ବିବେଚନା କରାଯାଏ । ପ୍ରତିବର୍ଷ ବନ୍ୟା ହେଉ କି ବାତ୍ୟା³ ପ୍ରାକୃତିକ ଦୁର୍ବିପାକରେ ଏହି ସବୁ ବ୍ଲକର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ବାତ୍ୟାର ତାଣ୍ଡବ, ବନ୍ୟାର ବିଭୀଷିକା ସେମାନଙ୍କ ପାଇଁ ଏବେ ଚିର ସହଚର ପାଲଟିଛି । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ଆଗାମୀ ଦିନରେ ସୁନାମୀ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବେ ବୋଲି ଏବେଠୁ ପରିବେଶବିତ୍ମାନେ ସତର୍କ କରାଇ ଦେଲେଣି । ଏଭଳି ବିପର୍ଯ୍ୟୟକୁ ରୋକିବା ପାଇଁ ସମୁଦ୍ର ଉପକୂଳରେ ଅଧିକରୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟକୁ ମଣିଷ ରୋକିପାରିବନି । ମାତ୍ର ହେନ୍ତାଳ ବଣ ଦ୍ୱାରା ଏହାର ପ୍ରକୋପକୁ ରୋକା ଯାଇପାରିବ । ଏଥିପାଇଁ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ମାତ୍ର ଜିଲ୍ଲାରେ ଏହାକୁ ଆଶାନୁରୂପ ସଫଳତା ମିଳୁନି । ଜଙ୍ଗଲ ବିଭାଗ ପକ୍ଷରୁ ହେନ୍ତାଳ ବଣ ସୃଷ୍ଟି କରାଯାଉଛି । ମାତ୍ର ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହୋଇଯାଇଛି । ସଚେତନତା ଅଭାବରରୁ ଅଧିକାଂଶ ଅଞ୍ଚଳରେ ସ୍ଥାନୀୟ ଲୋକେ ହେନ୍ତାଳ ବଣକୁ କାଟି ଏହାକୁ ଜାଳେଣି ଭାବେ ମଧ୍ୟ ବ୍ୟବହାର କରୁଛନ୍ତି ।
ଜିଲ୍ଲା ବନ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ଭାରତ ବନ ସ୍ଥିତି ରିପୋର୍ଟ ୨୦୨୩ ଅନୁସାରେ ଜିଲ୍ଲାରେ ସମୁଦାୟ ୪୮୨ ହେକ୍ଟର ହେନ୍ତାଳ ବଣ ଅଛି । ଏହି ବଣଗୁଡ଼ିକ ମୁଖ୍ୟତଃ ଉପକୂଳବର୍ତ୍ତୀ ବ୍ଲକଗୁଡ଼ିକରେ ଦେଖାଯାଏ । ବିଗତ ୨୦୨୧- ୨୨ରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜିଲ୍ଲାରେ(କେବଳ ଭୋଗରାଇ ବ୍ଲକ) ୨୭୫ ହେକ୍ଟର ନୂତନ ହେନ୍ତାଳ ବଣ ସୃଷ୍ଟି କରାଯାଇଛି । ଏଭଳି ସମୟରେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟକୁ ହ୍ରାସ କରିବା ପାଇଁ କିଛି ଘରୋଇ ସଂସ୍ଥା ହେନ୍ତାଳବଣ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ । ‘ରିଲାଏନ୍ସ ଫାଉଣ୍ଡେସନ’ ନାମକ ଏକ ସଂସ୍ଥା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ସୋର ଖରାସାହାପୁର, ରେମୁଣାର ତାଳପଦା ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଉଛି । ଏହି ଦୁଇଟି ସ୍ଥାନରେ ପାଖାପାଖି ୧୨ ଏକର ଜମିରେ ହେନ୍ତାଳବଣ ସୃଷ୍ଟି କରାଯିବ ।
ଏନେଇ ସ୍ଥାନୀୟ ଲୋକକୁ ସଚେତନ କରାଇବା ସହ ହେନ୍ତାଳ ଚାରା ମଧ୍ୟ ଲଗାଯାଇଛି ବୋଲି ସଂସ୍ଥା ପକ୍ଷରୁ ବାଲେଶ୍ୱର ଦାୟିତ୍ୱରେ ଥିବା ଦିବ୍ୟକାନ୍ତ ନାୟକ ସୂଚନା ଦେଇଛନ୍ତି । ପାଇଲଟ ପ୍ରଜେଷ୍ଟ ସଫଳ ହେଲେ³ ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ହେନ୍ତାଳ ବଣର ଗୁରୁତ୍ୱ ଉପରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ପରିବେଶ ବିଭାଗର ପ୍ରଫେସର ରଣୀନ୍ଦ୍ର କୁମାର ନାୟକଙ୍କ ସହ ଆଲୋଚନା କରାଯାଇଥିଲା ।
ତାଙ୍କ କହିବା କଥା ସମୁଦ୍ର ମୁହାଣ ଅର୍ଥାତ ଯେଉଁ ନଦୀ ସମୁଦ୍ରରେ ମିଶେ, ସେହି ସନ୍ତସନ୍ତିଆ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ହୋଇଥାଏ । ଓଡ଼ିଶାର ୬୫ ପ୍ରଜାତିର ହେନ୍ତାଳ ଗଛ ଦେଖିବାକୁ ମିଳେ । ହେନ୍ତାଳ ବ୍ୟତୀତ ସମୁଦ୍ରକୂଳର ଲୁଣିଆ ପାଣିରେ ଅନ୍ୟ କୌଣସି ଗଛ ବଢ଼ିପାରେନି । ଏହି ଗଛର ଗୁରୁତ୍ୱକୁ ଯେତେ ବର୍ଣ୍ଣନା କଲେ କମ୍ ହେବ । ବାତ୍ୟା ସମୟରେ ଏହି ଜଙ୍ଗଲ ପାଚେରି ହୋଇ ଛିଡ଼ା ହେବା ସହ ଏହାର ପ୍ରକୋପକୁ ରୋକିଥାଏ । ଏହି ଜଙ୍ଗଲ ସମୁଦ୍ରର ଜୈବ ବିବିଧତାକୁ ରକ୍ଷା କରେ । ସେମାନଙ୍କ ଏହି ଅଭିଯାନରେ ଆମକୁ ସାମିଲ ହେବାର ସମୟ ଆସିଛି ବୋଲି ସେ କହିଥିଲେ । ଏନେଇ ବନ ବିଭାଗର ଏଡିଏଫଓ ଦିଗନ୍ତ ଶୋଭନ ଚାନ୍ଦଙ୍କ ସହ ଆଲୋଚନା କରାଯାଇଥିଲା । ବନ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନ ପାଇଁ କେତେ ହେନ୍ତାଳ ବଣ ସୃଷ୍ଟି ହେବ ସେନେଇ କୌଣସି ଲକ୍ଷ୍ୟ ଧାର୍ଯ୍ୟ ହେଇନି । ତେବେ ଉପଯୁକ୍ତ ସ୍ଥାନ ମିଳିଲେ ବନ ବିଭାଗ ପକ୍ଷରୁ ନିଶ୍ଚିତ ବନୀକରଣ କରାଯିବ ବୋଲି ସେ କହିଥିଲେ ।