ନୂଆଦିଲ୍ଲୀ ୨୮/୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଗତ ୧୯ ଓ ୨୫ ତାରିଖ ମଧ୍ୟରେ ଦୁଇ ଥର ନିଜର ସ୍ଥାନ ବଦଳାଇବାକୁ ପଡ଼ିଛି । ଏହା ନ କରିଥିଲେ, ମହାକାଶ କେନ୍ଦ୍ରରେ ଥିବା ୬ ଜଣ ମହାକାଶଚାରୀଙ୍କ ଜୀବନ ବିପଦରେ ପଡ଼ିଥାନ୍ତା । ଏ ଥର ୪ ଆମେରିକୀୟ ଓ ୩ ରୁଷୀୟ ମହାକାଶଚାରୀଙ୍କ ଜୀବନ ବଞ୍ଚାଇବା ପାଇଁ ରୁଷ୍ ଆଗେଇ ଆସିଛି । ମହାକାଶରୁ ଦ୍ରୁତ ବେଗରେ ଆସୁଥିବା ଆବର୍ଜନାରୁ ମହାକାଶ କେନ୍ଦ୍ରକୁ ରକ୍ଷା କରିବା ପାଇଁ ରୁଷ୍ର ରୋବୋଟିକ୍ କାର୍ଗୋ ଶିପ୍ ପ୍ରୋଗ୍ରେସ୍ ୮୯ ଫ୍ରାଇଟର ନିଜର ଇଞ୍ଜିନକୁ ୩.୫ ମିନିଟ୍ ପାଇଁ ଚାଲୁ କରିଥିଲା । ଏହି ଘଟଣା ଗତ ୨୫ ତାରିଖର । ମହାକାଶ କେନ୍ଦ୍ରର ସ୍ଥାନ ବଦଳାଇବା ପାଇଁ ପ୍ରୋଗ୍ରେସ୍ ୮୯ ଫ୍ରାଇଟର୍ ଏହି ପଦକ୍ଷେପ ନେଇଥିଲା ।
ନାସା ନିଜ ବିବୃତ୍ତିରେ କହିଛି, ମହାକାଶ କେନ୍ଦ୍ର ଯେଉଁ ମାର୍ଗରେ ଯାଉଥିଲା, ତା’ଆଡ଼କୁ ମହାକାଶ ଆବର୍ଜନା ଆସୁଥିବା ଜଣାପଡ଼ିଲା । ଏହି ସମୟରେ ରୁଷ୍ର କାର୍ଗୋ ଶିପ୍ ପ୍ରୋଗ୍ରେସ୍ ୮୯ର ଥ୍ରର୍ଷ୍ଟର୍କୁ ଚାଲୁ କରାଗଲା । ଏହା ପ୍ରାୟ ୩.୫ ମିନିଟ୍ ଚାଲୁ ରହିଲା । ମହାକାଶ କେନ୍ଦ୍ରର ସ୍ଥାନ ବଦଳାଇ ଦିଆଗଲା । ଏହା ଦ୍ୱାରା ଆବର୍ଜନାରୁ ମହାକାଶ କେନ୍ଦ୍ର ଓ ସେଥିରେ ଥିବା ମହାକାଶଚାରୀଙ୍କ ଜୀବନ ବଞ୍ଚିଗଲା ।
ରୁଷ୍ ମହାକାଶ ଏଜେନ୍ସି ରସ୍କସ୍ମସ୍ ଅନୁସାରେ, ଗତ ୨୫ ତାରିଖ ମହାକାଶ କେନ୍ଦ୍ରର ଉଚ୍ଚତାକୁ ୧୬୫୦ ଫୁଟ ଅର୍ଥାତ୍ ପ୍ରାୟ ୫୦୦ ମିଟର ବଢ଼ାଯାଇଥିଲା । ଏହି କାମ ପ୍ରୋଗ୍ରେସ୍ ୮୯ ଗତ ୧୯ ତାରିଖରେ ମଧ୍ୟ କରିଥିଲା । ସେତେବେଳେ ଏହାର ଇଞ୍ଜିନ୍କୁ ୫.୫ ମିନିଟ୍ ପାଇଁ ଚାଲୁ କରାଯାଇଥିଲା । କାରଣ ସେହି ସମୟରେ ମହାକାଶ କେନ୍ଦ୍ରରୁ ୨୦୧୫ ମସିହାରେ ବେକାର ହୋଇପଡ଼ିଥିବା ଆମେରିକୀୟ ପ୍ରତିରକ୍ଷା ଓ ପାଣିପାଗ ସୂଚନା ପ୍ରଦାନକାରୀ ସାଟେଲାଇଟ୍ ଧକ୍କା ହୋଇଥାନ୍ତା । ବର୍ତ୍ତମାନ ମହାକାଶ କେନ୍ଦ୍ରରେ ଆମେରିକୀୟ ମହାକାଶଚାରୀ ବୁଚ୍ ୱିଲମୋର, ସୁନୀତା ୱିଲିୟମ୍ସ, ଡନ୍ ପେଟିଟ ଓ ନିକ୍ ହେଗ ଏବଂ ରୁଷ୍ ମହାକାଶଚାରୀ ଆଲେକଜାଣ୍ଡର ଗୋରବୁନୋଭ, ଆଲେକ୍ସି ଓଭଶିନିନ ଓ ଇଭାନ ୱାଗନର ଅଛନ୍ତି ।
ୟୁରୋପୀୟ ମହାକାଶ ଏଜେନ୍ସି ଅନୁସାରେ, ପୃଥିବୀର ନିମ୍ନ କକ୍ଷ ଅର୍ଥାତ୍ ଲୋଅର୍ ଅର୍ବିଟ୍ରେ ଏବେ ପ୍ରାୟ ୧୦,୨୦୦ ସକ୍ରିୟ ସାଟେଲାଇଟ୍ ପୃଥିବୀକୁ ପରିକ୍ରମା କରୁଛନ୍ତି । ତନ୍ମଧ୍ୟରେ ସର୍ବାଧିକ ସ୍ପେସ୍ଏକ୍ସର ଷ୍ଟାର୍ଲିଙ୍କ ବ୍ରଡ୍ବ୍ୟାଣ୍ଡ୍ ମେଗାକନ୍ଷ୍ଟିଲେଶନ୍ର ସାଟେଲାଇଟ୍ ରହିଛି । ପ୍ରାୟ ୬୭୦୦ ଷ୍ଟାର୍ଲିଙ୍କ୍ ଏବେ ପୃଥିବୀ ଚତୁଃପାଶ୍ୱର୍ରେ ପରିକ୍ରମା କରି କାମ କରୁଛନ୍ତି ।
ୟୁରୋପୀୟ ମହାକାଶ ଏଜେନ୍ସି ଅନୁସାରେ, ସାଟେଲାଇଟ୍ଠୁ ଅନେକ ଗୁଣ ଅଧିକ ଆବର୍ଜନା ପୃଥିବୀ ଚତୁଃପାଶ୍ୱର୍ରେ ଘୂରୁଛନ୍ତି । ତନ୍ମଧ୍ୟରେ ପ୍ରାୟ ୪୦,୫୦୦ ପଦାର୍ଥ ୪ ଇଞ୍ଚ ଚଉଡ଼ା । ୧୧ ଲକ୍ଷ ଅବଶେଷ ୦.୪ ଇଞ୍ଚରୁ ୪ ଇଞ୍ଚ ମଧ୍ୟରେ । ଅର୍ଥାତ୍ ୧ରୁ ୧୦ ସେମି ମଧ୍ୟରେ । ୧୩ କୋଟି ଅବଶେଷ ପ୍ରାୟ ୧ ମିଲିମିଟର ଚଉଡ଼ା ।ଏହି ଛୋଟ ଛୋଟ ଖଣ୍ଡ ମଧ୍ୟ ମହାକାଶ କେନ୍ଦ୍ର ଓ ମହାକାଶଚାରୀଙ୍କ ଜୀବନ ନେଇପାରନ୍ତି । କାରଣ ମାତ୍ରାଧିକ ବେଗରେ ଏମାନେ ଉଡ଼ନ୍ତି । ମହାକାଶ କେନ୍ଦ୍ରକୁ ସାଧାରଣତଃ ପୃଥିବୀ ପୃଷ୍ଠରୁ ୪୦୦ କିମି ଉଚ୍ଚତାରେ ରଖାଯାଏ । ଘଣ୍ଟାପ୍ରତି ୨୮,୧୬୦ କିମି ବେଗରେ ଏହା ପୃଥିବୀ ଚତୁଃପାଶ୍ୱର୍ରେ ଘୂରେ । ସୁରକ୍ଷା ଦୃଷ୍ଟିରୁ ୧୯୯୯ ପରଠୁ ଅଦ୍ୟାବଧି ପ୍ରାୟ ୩୨ ଥର ମହାକାଶ କେନ୍ଦ୍ରର ସ୍ଥାନ ବଦଳାଯାଇଛି ।