ମୁମ୍ବାଇ ୦୨/୦୭: ‘ଆଖୋଁ କି ଗୁସ୍‌ତାଖିୟାଁ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ଏଥିରେ ସେ ବିକ୍ରାନ୍ତ ମେସିଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିଛନ୍ତି । ଫିଲ୍ମରେ ସେ ରୋଲ୍‌ କେମିତି ପାଇଲେ, ସେ ବିଷୟରେ ଆଲୋଚନା କରିଛନ୍ତି ।  

ସାଧାରଣ ଅଡିସନ୍‌ ପ୍ରକ୍ରିୟା ମାଧ୍ୟମରେ ତାଙ୍କୁ ଏହି ଫିଲ୍ମରେ ସୁଯୋଗ  ମିଳିନାହିଁ, ବରଂ ଭାଗ୍ୟ ତାଙ୍କୁ ଏଠାରେ ପହଞ୍ଚାଇଛି । ଶନାୟା ଫିଲ୍ମରେ ଅଭିନେତ୍ରୀ ହେବାକୁ ଚାହୁଁଥିବା ଜଣେ ଯୁବତୀ  (ସବା ଶେରଗିଲ) ଭୂମିକା ନିର୍ବାହ କରିଛନ୍ତି, ଯିଏକି  ବିକ୍ରାନ୍ତ ମେସି ନିର୍ବାହ କରିଥିବା ଜାହାନ୍‌ ବକ୍ସୀ ନାମକ  ଜଣେ ମ୍ୟୁଜିସିଆନ୍‌ ଚରିତ୍ରର ଅପୋଜିଟ୍‌ରେ ଅଭିନୟ  କରିଛନ୍ତି । ଫିଲ୍ମରେ ଉଭୟଙ୍କ ସୃଜନାତ୍ମକ ଯାତ୍ରା ପ୍ରଦର୍ଶିତ ହୋଇଛି । ନିଜ ନିଜ ପାସନ୍‌କୁ ସେମାନେ ଆବିଷ୍କାର କରିଛନ୍ତି । 

ଶନାୟା କହିଛନ୍ତି, ଅନ୍ୟ ଏକ ପ୍ରୋଜେକ୍ଟ ପାଇଁ  ସେ ଅଡିସନ୍‌ ଦେଇଥିଲେ । କିନ୍ତୁ ସେଥିରେ ସେ ଫେଲ୍‌ ହୋଇଥିଲେ । ହେଲେ  ସେହି ଅଡିସନ୍‌କୁ ‘ଆଖୋଁ କି ଗୁସ୍‌ତାଖିୟାଁ’ର କାଷ୍ଟିଂ ଡାଇରେକ୍ଟର  ପସନ୍ଦ କରି ଫିଲ୍ମର ନିର୍ଦ୍ଦେଶକ ସନ୍ତୋଷ ସିଂହଙ୍କୁ ତାହା  ଦେଖାଇଲେ । ସନ୍ତୋଷ ବି ତାକୁ ପସନ୍ଦ କଲେ ।  ଶେଷରେ ଫିଲ୍ମରେ ତାଙ୍କୁ କାଷ୍ଟ୍‌ କରାଗଲା ।  କିନ୍ତୁ ଏହା ତାଙ୍କ ପାଇଁ ଭଲ ଅନୁଭବ ନ  ଥିଲା । ତଥାପି ସେ ଏହାକୁ ସକାରାତ୍ମକ  ଭାବେ ଗ୍ରହଣ କଲେ । ଆସନ୍ତା ୧୧ ତାରିଖରେ ‘ଅଖୋଁ କି ଗୁସ୍‌ତାଖିୟାଁ’ ମୁକ୍ତିଲାଭ କରିବ ।  ଶନାୟାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି  ବିଜୟ ନାମ୍ବିୟାରଙ୍କ ଥ୍ରିଲର୍‌ ଫିଲ୍ମ ‘ତୁ ୟା  ମେଁ’ । ଏଥିରେ ସେ ଆଦର୍ଶ ଗୌରବଙ୍କ ସହ  ନଜର ଆସିବେ । ୨୦୨୬, ଭାଲେନ୍‌ଟାଇନ୍ସ ଡେ’  ଅବସରରେ ଏହା ମୁକ୍ତିଲାଭ କରିବ।