ନୂଆଦିଲ୍ଲୀ/ଭୁବନେଶ୍ଵର,୧୮/୧୧ : ଚଳିତ ନଭେମ୍ବର ୧୪ ରୁ ୨୭ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଖୋଲାଯାଇଥିବା ଓଡ଼ିଶା ପାଭିଲିୟନ ଦେଶ ବିଦେଶର ବୃହତ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛି । ଚଳିତ ବର୍ଷର ବିଷୟ ବସ୍ତୁ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ସାର୍ଥକତାକୁ ପ୍ରତିପାଦନ କରିବାକୁ ଯାଇ, ସ୍ଵଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ଓଡ଼ିଶାର କୃଷିଜାତ ସାମଗ୍ରୀଠାରୁ ଆରମ୍ଭ କରି ବୟନ ଓ ହସ୍ତଶିଳ୍ପ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ, ଦେଶ ବିଦେଶର ବଡ଼ବଡ଼ ବ୍ୟବସାୟୀ ସମେତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡ଼ିକର ଦୃଷ୍ଟି ଆକର୍ଷଣ କରୁଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଏକ ଭାରତ, ଶ୍ରେଷ୍ଠ ଭାରତ' ଏବଂ 'ଆତ୍ମନିର୍ଭର ଭାରତ' ଆହ୍ଵାନ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ 'ଓଡ଼ିଶା ଭିଜନ ୨୦୩୬' ପାଇଁ ଶିଳ୍ପାୟନ ଓ ପୁଞ୍ଜି ବିନିଯୋଗ ମାର୍ଗଦର୍ଶନର ପ୍ରତିଫଳନ ସ୍ଵରୂପ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ପ୍ରଥମ ପାଞ୍ଚ ଦିନ ଅର୍ଥାତ ୧୪ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ବ୍ୟବସାୟିକ ଅବଧିରେ ଓଡ଼ିଶା ପାଭିଲିୟନ ଏହି ସଫଳତା ହାସଲ କରିଛି ।

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଏହି ବ୍ୟବସାୟିକ ଅବଧିରେ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଓଡ଼ିଶା ପାଭିଲିୟନରେ ଅଂଶଗ୍ରହଣ କରିଥିବା ବରଗଡ଼ର ଗୌମୟ ପେଣ୍ଟସ ଇତିମଧ୍ୟରେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତ ପେଣ୍ଟସ, ନୂଆଦିଲ୍ଲୀର ଏ.ଏଲ୍.ଏମ୍. ଏଣ୍ଟରପ୍ରାଇଜେସ ଓ ଆର.କେ.ଜି.ଡି. ଏଣ୍ଟରପ୍ରାଇଜେସ ସହ ବାର୍ତ୍ତାଳାପ କରିଥିବାବେଳେ ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ ଓଡ଼ିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିମିଟେଡ ସହିତ ବ୍ୟବସାୟିକ ଆଲୋଚନା କରିଛନ୍ତି । ସେହିପରି, ବ୍ରହ୍ମପୁରର ଇଲେଟ କ୍ରଞ୍ଚିସ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱାର ଗ୍ରୀଡ଼ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ୍ ସେକ୍ ସହିତ ବାର୍ତ୍ତାଳାପ କରିଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଅଂଶଗ୍ରହଣ କରିଥିବା ମୟୂରଭଞ୍ଜ ଜିଲ୍ଲାର ଯଶିପୁର କୃଷି ଉତ୍ପାଦକ ସଂଘର ଷ୍ଟଲ କେରଳ ରାଜ୍ୟ ସହ ଏବଂ ଓରମାସ ତରଫରୁ ତୁମ୍ବା ହସ୍ତଶିଳ୍ପକୁ ନେଇ ମେଳାରେ ଅଂଶଗ୍ରହଣ କରିଥିବା ରାୟଗଡ଼ାର ପ୍ରେରଣା ସ୍ଵୟଂ ସହାୟକ ଗୋଷ୍ଠୀ ନୂଆଦିଲ୍ଲୀର ରୁଦ୍ରଶୀଳ ପ୍ରଡ଼କ୍ଟ ସହିତ ବାର୍ତ୍ତାଳାପ କରିଛନ୍ତି ।

ଏତଦବ୍ୟତୀତ, ଧାନ କଳାକୃତି, ସଉରା ଓ ଗଣ୍ଡ ଜନଜାତି ଚିତ୍ରକଳା, କୋରାପୁଟ କଫି ଓ ଜନଜାତି ସମୁଦାୟଙ୍କ ଦ୍ଵାରା ସଂଗୃହିତ, ଉତ୍ପାଦିତ ଓ ପ୍ରକ୍ରିୟାକୃତ ସାମଗ୍ରୀକୁ ନେଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ତରଫରୁ ଅଂଶଗ୍ରହଣ କରିଥିବା ଷ୍ଟଲ ସମେତ ଓରମାସ ଓ ମିଶନ ଶକ୍ତି ଆନୁକୂଲ୍ୟରେ ଅଂଶଗ୍ରହଣ କରିଥିବା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଦ୍ଵାରା ଉତ୍ପାଦିତ ଓ ପ୍ରସ୍ତୁତ ବିଭିନ୍ନ ସୁଦୃଶ୍ୟ ସାମଗ୍ରୀ ମଧ୍ୟ ବାଣିଜ୍ୟ ମେଳାରେ ଅଂଶଗ୍ରହଣ କରିଥିବା ରାଜ୍ୟ ଓ ଦେଶସମୂହର ବ୍ୟବସାୟୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି । ବିଭିନ୍ନ ରାଜ୍ୟ ଓ ମନ୍ତ୍ରାଳୟର ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ କର୍ମକର୍ତ୍ତାଙ୍କ ସହ ଓଡ଼ିଶା ପାଭିଲିୟନକୁ ଆସି ସାମଗ୍ରୀ ଗୁଡ଼ିକର ଉତ୍ପାଦନ, ଯୋଗାଣ ଓ ବିତରଣ ସମ୍ପର୍କରେ ଷ୍ଟଲ୍ ଦାୟିତ୍ଵରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରୁଛନ୍ତି । ପାଭିଲିୟନର ସାମଗ୍ରିକ ଦାୟିତ୍ଵରେ ଥିବା ଅଧିକାରୀମାନେ ଉଭୟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟିଜନକ ଉଚ୍ଚମାନର ସହଯୋଗ ପ୍ରଦାନ କରିବା ଦ୍ଵାରା ଓଡ଼ିଶାରେ ଉତ୍ପାଦିତ ସାମଗ୍ରୀ ପ୍ରତି ସେମାନଙ୍କ ଆଭିମୁଖ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ଗତ ୧୪ତାରିଖରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉଦଘାଟନ କରିଥିବାବେଳେ ଗତକାଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓଡ଼ିଶା ପାଭିଲିୟନ ସମେତ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପାଭିଲିୟନ ପରିଦର୍ଶନ କରି ସେମାନଙ୍କ ସମ୍ମୁଖରେ ଏହି ଉଭୟ କ୍ଷେତ୍ରରେ ଓଡ଼ିଶାର ଆଭିମୁଖ୍ୟ ଓ ସମ୍ଭାବନାର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରିଥିଲେ । ଏତଦବ୍ୟତୀତ, ବ୍ୟବସାୟିକ ଅବଧିର ବିଭିନ୍ନ ଦିବସରେ ତ୍ରିପୁରାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସନ୍ତନା ଚକମା, ମଣିପୁରର ଅତିରିକ୍ତ ଶାସନ ସଚିବ ଅନୁରାଗ ବାଜପେୟୀ ପ୍ରମୁଖ ଓଡ଼ିଶା ପାଭିଲିୟନ ପରିଦର୍ଶନରେ ଆସି ସମ୍ପୃକ୍ତ ରାଜ୍ୟମାନଙ୍କ ସହିତ ସେମାନଙ୍କ ବାଣିଜ୍ୟିକ ସମ୍ଭାବନାକୁ ସୁଦୃଢ କରିଛନ୍ତି ।