ଭୁବନେଶ୍ୱର,୦୧/୦୩: ଦୁଇଜଣଙ୍କର ଗୋଡ ଅଚଳ । ହେଲେ ହ୍ୱିଲ୍ଚେୟାର ସେମାନଙ୍କ ବଳ । ସେମାନଙ୍କ ସାଥୀ । ହ୍ୱିଲ୍ ଚେୟାରରେ ବସି ଜୀବନଯୁଦ୍ଧରେ ଦୁଇଜଣ ଜୁଝୁଛନ୍ତି । କେବେ ହାରିନାହାଁନ୍ତି । ହାରିବେନାହିଁ ବି, ପଣ କରିଛନ୍ତି । ନିଜ ଉପରେ ପ୍ରଚଣ୍ଡ ଆତ୍ମବିଶ୍ୱାସ ଯୋଗୁ ଦୁଇଜଣ ସବୁଥିରେ ପାରଙ୍ଗମ । ‘ଆନ୍ତର୍ଜାତିକ ହ୍ୱିଲ୍ଚେୟାର ଦିବସ’ ଅବସରରେ ପ୍ରଫୁଲ୍ଲ ଖଣ୍ଡାୟତରାୟ ଓ ପ୍ରମିଳା ସିଂଙ୍କ ଉପରେ ସ୍ୱତନ୍ତ୍ର ପ୍ରତିବେଦନ ।

ଜୀବନ ବହୁତ ସୁନ୍ଦର ଥିଲା । ହେଲେ କାହା ନଜର ଲାଗିଗଲା । ମେରୁଦଣ୍ଡ ସଂକ୍ରମଣରୁ ଚାଲିଗଲା ଚଳନ ଶକ୍ତି । ହରେଇଲେ ଦୁଇଗୋଡ଼ । ହେଲେ ଭାଙ୍ଗିପଡ଼ିଲେନି । ଦୁର୍ଦ୍ଦିନରେ ସାଥ୍ ଦେଲା ହ୍ୱିଲଚେୟାର । ଆଉ ଏହି ହ୍ୱିଲଚେୟାରରେ ବସି ସେ ଯୁଦ୍ଧ ଲଢିଲେ । ଫେନ୍ସିଂ(ଅଶୀ)ଶିଖିଲେ ଓ ଖେଳିଲେ । ଆଉ ସାରା ଦୁନିଆକୁ ଦେଖାଇଲେ, ‘ହମ୍ ଭି କିସିସେ କମ୍ ନେହିଁ’ । ଏବେ ସେ ଜଣେ ସଫଳ ପାରା କ୍ରୀଡାବିତ୍। ଏହା ହେଉଛି ଭିନ୍ନକ୍ଷମ ପ୍ରଫୁଲ୍ଲ ଖଣ୍ଡାୟତରାୟଙ୍କ ସଂଘର୍ଷର କାହାଣୀ । ଜଗତସିଂହପୁର ଜିଲ୍ଲା ଆଶ୍ରମପାଟଣା ପୁରୁଣାଗଡ଼ ଅଞ୍ଚଳର ପ୍ରଫୁଲ୍ଲ ଏବେ କଳିଙ୍ଗ ଷ୍ଟାଡିୟମ୍ ଛକରେ ରହୁଛନ୍ତି । ପ୍ରତାପ ଖଣ୍ଡାୟତରାୟ, କୁନିଲତାଙ୍କ ସାନପୁଅ ପ୍ରଫୁଲ୍ଲ ପିଲାଟି ବେଳୁ କ୍ରୀଡା ପ୍ରତି ରୁଚି ରଖିଥିଲେ ।

୨୦୧୬ ମସିହାରେ ହଠାତ୍ ପ୍ରଫୁଲ୍ଲଙ୍କୁ ଜ୍ୱର ହୋଇଥିଲା । ଔଷଧ ଖାଇବା ସତ୍ତେ୍ୱ ଦେହ ଭଲ ହୋଇନଥିଲା । କଟକର ଏକ ହସ୍ପିଟାଲରେ ସ୍ୱାସ୍ଥ୍ୟ ଯାଞ୍ଚ କରିବାରୁ ମେରୁଦଣ୍ଡରେ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା । ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଅପରେସନ୍ ହେବାପରେ ଜୀବନ ବଞ୍ଚିଗଲା । ହେଲେ ଧୀରେ ଧୀରେ ସେ ଚାଲିବା ଶକ୍ତି ହରାଇଲେ, ଆଉ ବିକଳାଙ୍ଗ ହୋଇଗଲେ । ଏହା ପରଠୁ ହ୍ୱିଲଚେୟାର ତାଙ୍କର ସବୁକିଛି । ରାଜ୍ୟ ପାରା ସ୍ପୋଟର୍ସର ସେକ୍ରେଟାରୀ ବିଷ୍ଣୁଚରଣ ସାହୁଙ୍କ ପ୍ରେରଣା ପାଇ ସେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ହୁଇଲ ଚେୟାର ଫେନ୍ସିଂ, ପାରା ଆଥଲେଟିକ(ସଟଫୁଟ, ଡିସକସ ଥ୍ରୋ, ଜାଭେଲିନ୍ ଥ୍ରୋ) ଶିଖିଲେ । ଏଥିପାଇଁ ପତ୍ନୀ ମହାଶ୍ୱେତା ତାଙ୍କୁ ସହାୟତା ଓ ସମର୍ଥନ କରିଥିଲେ ।ରାଜସ୍ଥାନର ଜୟପୁରରେ ଅନୁଷ୍ଠିତ ଜାତୀୟ ପାରା ଆଥଲେଟିକ୍ ପ୍ରତିଯୋଗିତା, ହରିୟାଣାରେ ଅନୁଷ୍ଠିତ ୧୦ମ ଜାତୀୟ ହୁଇଲଚେୟାର ଫେନସିଂ, ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ହୁଇଲଚେୟାର ଫେନ୍ସିଂରେ ସ୍ୱର୍ଣ୍ଣ, ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଫେନ୍ସିଂରେ ଚତୁର୍ଥ ସ୍ଥାନ ୨୦୨୧ରେ ଓପନ ଇଣ୍ଟରନ୍ୟାସନାଲ ଜାଭେଲିନ ଥ୍ରୋରେ କାଂସ୍ୟ ପଦକ ଜିତିଥିଲେ ପ୍ରଫୁଲ୍ଲ ।

ଶାରୀରିକ ଅସାମର୍ଥ ଜୀବନରେ ବାଧା ଦେଇପାରେ, କିନ୍ତୁ ଇଚ୍ଛାଶକ୍ତି ଓ ସାହାସ ଥିଲେ ସେଥିରୁ ସଫଳତାର ପଥ ଖୋଲିଯାଏ । ଏହାକୁ ପ୍ରମାଣ କରିଛନ୍ତି ପ୍ରମିଳା ସିଂହ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୌଡପାଟଣା ଅଞ୍ଚଳର ସୁନା ଝିଅ ପ୍ରମିଳା । ଅସମ୍ଭବ କାମକୁ ସମ୍ଭବ କରି ସମାଜ ପାଇଁ ଉଦାହରଣ ସାଜିଛନ୍ତି । ମାତ୍ର ୧୯ ବର୍ଷ ବୟସରୁ ଏକ ସଡକ ଦୁର୍ଘଟଣାରେ ସେ ସକ୍ଷମରୁ ଅକ୍ଷମ ହୋଇଗଲେ ସତ, କିନ୍ତୁ ହାରିନାହାନ୍ତି । ଇଚ୍ଛା ଶକ୍ତି, ମନୋବଳ ପାଇଁ ଆଜି ସେ ରାଜଧାନୀ ଭୁବନେଶ୍ୱରରୁ ନେଇ କୋରାପୁଟ ପର୍ଯ୍ୟନ୍ତ ସଭିଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ।

ଆହୁରି ପଢନ୍ତୁ-ହୋଲି ପୂର୍ବରୁ ରକ୍ତ ରଞ୍ଜିତ ରାଜଧାନୀ: ୟୁଟ୍ୟୁବର୍ଙ୍କୁ ଛୁରି ଭୁସି ଦେଲେ ୩ ଦୁର୍ବୃତ୍ତ, ସୁପାରୀ କିଲିଂ ଅଭିଯୋଗ

୨୦୦୯ ମସିହାରେ ଯୁକ୍ତ ୨ ପରୀକ୍ଷା ଦେବା ପାଇଁ କଲେଜ ଯାଉଥିବା ବେଳେ ଏକ ଅଜଣା ବାଇକ୍ ଆସି ଧକ୍କା ଦେବାରୁ ଚମ୍ପାପୁର ପୋଲ ତଳକୁ ଖସି ପଡିଥିଲେ ପ୍ରମିଳା । ତାଙ୍କର ଅଣ୍ଟା ଓ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସତ ଚେଷ୍ଟା ପରେ ବି ସବୁଦିନ ପାଇଁ ଅକ୍ଷମ ହୋଇଗଲେ । ସେହିଦିନ ଠାରୁ ପ୍ରମିଳାଙ୍କର ସାଥୀ ପାଲଟିଛି ହ୍ୱିଲ୍ ଚେୟାର । ବହୁତ ଭଲ କବାଡି ଖେଳୁଥିଲେ ସେ । ଦୁର୍ଘଟଣା ଯୋଗୁ ସବୁ ସ୍ୱପ୍ନ ଅଧୁରା ରହିଗଲା । ତଥାପି ମନୋବଳକୁ ଦୃଢ କରି ନୂଆ ଜୀବନ ଆରମ୍ଭ କଲେ । ପ୍ରଥମେ କବିତା, ଗୀତ ,କାହାଣୀ, ଲେଖିବା ଆରମ୍ଭ କରିବା ସହ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୨୦୧୪ ମସିହାରେ ସେ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରି ଚାଲିଲେ ।

ବସ୍ତିକୁ ଯାଇ ପିଲାଙ୍କୁ ମାଗଣାରେ ପାଠ ପଢାଇଲେ । ଦିବ୍ୟାଙ୍ଗ ଲୋକଙ୍କୁ କିପରି ସ୍ୱାବଲମ୍ବୀ କରିବେ ସେ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଲେ । ବନ୍ଧୁମାନଙ୍କ ସହଯୋଗରେ ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ଗଢି ସମାଜ ସେବାରେ ଆଗେଇଗଲେ । ଛୋଟ ପିଲାଙ୍କୁ ଟିଉସନ କରି ନିଜ ପରିଶ୍ରମର ଧନକୁ ଦୁଃଖୀ ରଙ୍କି ମାନଙ୍କ ସେବାରେ ଖର୍ଚ୍ଚ କଲେ । ସମାଜସେବା ପାଇଁ ସେ ୧୦୦ରୁ ଊଦ୍ଧ୍ୱର୍ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି ।