ନୂଆଦିଲ୍ଲୀ, ୬/୭ : ଆନ୍ତଃରାଜ୍ୟ ବିବାହର କଳା ସତ। ଗ୍ରାମୀଣ ଅଞ୍ଚଳରେ ସାମାଜିକ ଓ ସାଂସ୍କୃତିକ ଭେଦଭାବର ଶିକାର ହେଉଛନ୍ତି ଆନ୍ତଃରାଜ୍ୟ ବିବାହରୁ ଜନ୍ମ ହେଉଥିବା ଶିଶୁ। ବିଶେଷ କରି ବିବାହ ସମୟରେ ହେଉଛି ବଡ଼ ସମସ୍ୟା। ପୋଲାଣ୍ଡ ୟୁନିଭରସିଟି ଅଫ୍ ବ୍ରୋକଲାର ଅଧ୍ୟୟନରୁ ଜଣାପଡ଼ିଛି। ହରିୟାଣାର ଗ୍ରାମାଞ୍ଚଳରେ ଅନ୍ୟ ରାଜ୍ୟରୁ ବିବାହ କରି ଆସିଥିବା ମହିଳାଙ୍କ ଠାରୁ ଜାତ ଶିଶୁ ଏଭଳି ସାମାଜିକ ଭେଦଭାବର ଶିକାର ହେଉଛନ୍ତି।
ହରିୟାଣାର ନାରନୌଲ ଅଞ୍ଚଳର ୫୨ ଗାଁରେ ୪୯୭ ପରିବାରକୁ ନେଇ ବିଶେଷଜ୍ଞମାନେ ସର୍ବେକ୍ଷଣ କରିଥିଲେ। ଏଥିରେ ୧୮ ରୁ ୨୫ ବର୍ଷ ବୟସ୍କ ୭୬ ଜଣ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରୁ ଜଣା ପଡ଼ିଛି ଯେ, ଆନ୍ତଃରାଜ୍ୟ ବିବାହରୁ ଜାତ ପିଲାମାନଙ୍କ ସହ ଭେଦଭାବ ହେଉଥିବାରୁ ସେମାନଙ୍କ ପିତାମାତା ଚିନ୍ତିତ ଅଛନ୍ତି। ସେମାନେ ଶିକ୍ଷାକୁ ଅଧିକ ଫୋକସ୍ କରୁଛନ୍ତି। କାରଭ ଭଲ ଶିକ୍ଷା ମିଳିଲେ ଭବିଷ୍ୟତରେ ବଡ଼ ଚାକିରି ମିଳିବ। ଶିକ୍ଷାଗତ ଯୋଗ୍ୟତା ଏବଂ ଚାକିରି ଦେଖି ଭଲ ବିବାହ ପ୍ରସ୍ତାବ ବି ମିଳିବ। ଏହା ମାଧ୍ୟମରେ ସାମାଜିକ ଭେଦଭାବ ଦୂରେଇ ଯିବ।
ସର୍ଭେ ହୋଇଥିବା ପରିବାରର ଅଭିଭାବକଙ୍କ ପାଖରେ ସ୍ଥାୟୀ ରୋଜଗାର କିମ୍ଵା ଚାକିରି ନାହିଁ। ୯୬ ପ୍ରତିଶତ ମାଙ୍କର ମଧ୍ୟମା ଶିକ୍ଷାଗତ ଯୋଗ୍ୟତା ଥିବାରୁ ସେମାନେ ସ୍ଵୟଂ ସହାୟତା ଗୋଷ୍ଠୀରେ ବି ସାମିଲ ହୋଇପାରୁ ନାହାଁନ୍ତି। ତେଣୁ ଏହି ପରିବାର ଗୁଡ଼ିକ ସାମାଜିକ ଏବଂ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର। ସେମାନେ ସାମାଜିକ ସ୍ଵୀକୃତି ହାସଲ କରିବା ପାଇଁ ଲଗାତର ସଙ୍ଘର୍ଷ କରୁଛନ୍ତି।
ତେବେ ହରିୟାଣାର ଗ୍ରାମଗୁଡ଼ିକରେ ବହୁସାଂସ୍କୃତିକ ପରିବାର କେନ୍ଦ୍ର ସ୍ଥାପନ କରିବାକୁ ଅଧ୍ୟୟନରେ ପରାମର୍ଶ ଦିଆଯାଇଛି। ଯାହା ଦ୍ୱାରା ଏପରି ପରିବାର ଏବଂ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା, ମାନସିକ ସହାୟତା, ନିଯୁକ୍ତି ମାର୍ଗଦର୍ଶନ ଏବଂ ସାମାଜିକ ସହାୟତା ଯୋଗାଇ ଦିଆଯାଇପାରିବ । ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଯାଇପାରିବ।
ଆହୁରି ପଢନ୍ତୁ- Agniveer latest news : ଅଗ୍ନିବୀରଙ୍କ ପାଇଁ ଖୁସି ଖବର, ୨୫% ରୁ ଅଧିକ ଯବାନ ହୋଇପାରନ୍ତି ପରମାନେଣ୍ଟ
କେନ୍ଦୁଝରରେ ଏନ୍କାଉଣ୍ଟର ; ମହମ୍ମଦ ନାଫିସ ଆହତ