ନୂଆଦିଲ୍ଲୀ,୦୪/ ୦୬: ୧୮ ବର୍ଷ ପରେ ଯେବେ ସ୍ୱପ୍ନ ସାକାର ହୁଏ ତେବେ ଆଖିରେ ବିଜୟର ଲୁହ ଆସିଯାଏ । ଠିକ୍ ଯେମିତି ବିରାଟ କୋହଲିଙ୍କ ଆଖି ହଳକରେ ଥିଲା । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ଚାମ୍ପିଅନ ହୋଇଛି । ୧୭ଟି ସିଜିନ ଖେଳିବା ପରେ ପ୍ରଥମ ଥର ଟ୍ରଫି ଉଠାଇବାର ସ୍ୱପ୍ନ ସତ ହୋଇଛି । ଏଥି ସହ ବିରାଟ କୋହଲିଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । କୋହଲିଙ୍କର ବିରାଟ ସ୍ୱପ୍ନ ପୂରଣ ହୋଇଛି । ଆଇପିଏଲ ଟ୍ରଫି ତୋଳି ଧରିବାର ସେ ଗୌରବ ଲାଭ କରିଛନ୍ତି ।
ଦିନିକିଆ,ଟି-ଟ୍ୱେଣ୍ଟି ବିଶ୍ୱକପ୍ ସାଙ୍ଗକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି । କୋହଲି ଆଇପିଏଲ୍ ଆରମ୍ଭରୁ ବେଙ୍ଗାଲୁରୁ ଦଳରେ ରହିଥିଲେ । ହେଲେ ଚାମ୍ପିଅନ ହୋଇ ପାରିନଥିଲେ । ଯାହା ତାଙ୍କର ବଡ଼ ଅବସୋସ ରହିଥିଲା । ଦୀର୍ଘ ବର୍ଷ ଧରି ସେ ଦଳର ନେତୃତ୍ୱ ନେଇଛନ୍ତି, ଦଳ ଫାଇନାଲ ବି ଖେଳିଛି କିନ୍ତୁ ଚାମ୍ପିଅନ ହୋଇପାରି ନଥିଲା । ଆଜି ହୁଏତ ବିରାଟଙ୍କ ମୁଣ୍ଡରେ ଅଧିନାୟକର ମୁକୁଟ ନାହିଁ କିନ୍ତୁ ସେ ଚାମ୍ପିଅନ, ମୁକୁଟ ବିହୀନ ଚାମ୍ପିଅନ । ଦଳ ବିଜୟର ଅତି ନିକଟତର ହେବା ପରେ ଭେଟେରାନ କୋହଲିଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଦଳ ଜିତିବା ପରେ ସେ ନିଜର ଭାବପ୍ରବଣତାକୁ ଲୁଚାଇ ପାରିନଥିଲେ । ମୁହଁରେ ହାତ ଦେଇ ସେ ଆଣ୍ଠୁ ମାଡ଼ି ପଡ଼ିଆରେ ବସି ପଡ଼ିଥିଲେ । ସାଥି ଖେଳାଳିମାନେ ଆସି ତାଙ୍କୁ ସାନ୍ତ୍ୱନା ଦେଇଥିଲେ ।
ମ୍ୟାଚ୍ ଶେଷ ହେବା ପରେ କୋହଲି କହିଥିଲେ, ‘ଦୀର୍ଘ ୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଲା । ଏଭଳି ଦିନ ଆସିବ ବୋଲି ଭାବି ନଥିଲି । ଏ ଦଳକୁ ମୋ ଯୁବାବସ୍ଥା, ମୋର ଶ୍ରେଷ୍ଠ ଏବଂ ଅଭିଜ୍ଞତା ଦେଇଛି । ପ୍ରତ୍ୟେକ ସିଜନରେ ଦଳକୁ ଜିତାଇବା ନେଇ ପ୍ରୟାସ କରି ଆସିଛି, ମୁଁ ମୋର ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ଶେଷରେ ଆମେ ଜିତିଲୁ । ଯାହା ଏକ ଅବିଶ୍ୱସନୀୟ ଅନୁଭବ । ଦୀର୍ଘ ୧୮ ବର୍ଷରେ ଦଳକୁ ମୋର ସବୁ କିଛି ଦେଇଛି । ଏହି ଗୋଟିଏ ଦଳରେ ହିଁ ରହି ଆସିଛି । ମୁଁ ଦଳ ପଛରେ ରହିଛି, ଦଳ ମଧ୍ୟ ମୋ ପଛରେ ଛିଡ଼ା ହୋଇଛି । ସବୁବେଳେ ଏହି ଦଳ ସହ ଚାମ୍ପିଅନ ହେବାକୁ ସ୍ୱପ୍ନ ଦେଖି ଆସିଛି । ତେଣୁ ଏହି ଦଳ ସହ ଟ୍ରଫି ଜିତି ବହୁତ ଖୁସି । ବେଙ୍ଗାଲୁରୁ ସହ ମୋର ହୃଦୟ ଓ ଆତ୍ମା ରହିଛି । ମୋର ଆଇପିଏଲ ଖେଳ ଶେଷ ହେବା ପର୍ଯ୍ୟନ୍ତ ଏହି ଦଳ ସହ ରହିବି ।’
'ପିଲାଙ୍କ ପରି ଶୋଇବି'- ଯେବେ କୋହିଲଙ୍କୁ ପଚରା ଯାଇଥିଲା ଏହି ବିଜୟ ତୁମ ପାଇଁ କେତେ ଗୁରୁତ୍ୱ ବହନ କରୁଛି । ସେ କହିଥିଲେ, ''ଏହା ମୋର ବଡ଼ ବିଜୟ । ୧୮ ବର୍ଷ ଏହି ଫ୍ରାଞ୍ଚାଇଜ ପ୍ରତି ନିଷ୍ଠାବାନ ରହିଥିଲି । ସେ ବି ମୋ ପ୍ରତି ରହିଥିଲେ । ଅନେକ ଥର ମନ ବଦଳିଥିଲା ହେଲେ ଟିମ୍ ସହ ଯୋଡି ହୋଇ ରହିଥିଲି । ମୁଁ ସେମାନଙ୍କ ସହ ରହିଥିଲି । ସେ ବି ମୋ ସହ ରହିଥିଲେ । ମୁଁ ଏହି ଟୁର୍ଣ୍ଣାମେଣ୍ଟ ଜିତିବାକୁ ଚାହୁଁଥିଲି । ଆଜି ରାତିରେ ମୁଁ ଛୋଟ ପିଲା ପରି ଶୋଇବି ।''