ହାଇଦ୍ରାବାଦ, ୧୮/୦୪: ଆଜି ରାତ୍ରିରେ ଘରୋଇ ହାଇଦ୍ରାବାଦ ଫର୍ମ ଫେରି ପାଇବାକୁ ସଂଘର୍ଷ କରୁଥିବା ୫ଥର ଚାମ୍ପିଅନ ଚେନ୍ନାଇକୁ ଭେଟିବ । ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନ ଉପରେ ଉଭୟ ଦଳର ନଜର ରହିଥିବାରୁ ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହେବା ନିଶ୍ଚିତ । ମହେନ୍ଦ୍ର ସିଂହ ଧୋନି ସମ୍ପୂର୍ଣ୍ଣ ଫିଟ୍ ହୋଇ ନଥିବାରୁ ଖେଳିବେ ନାହିଁ । ତଥାପି ସେ ଦଳ ସହ ହାଇଦ୍ରାବାଦ ଯାତ୍ରା କରିଥିବାରୁ ରଣନୀତିରେ ସହାୟତା କରିବେ । ତାଙ୍କ ଉପସ୍ଥିତି ଚେନ୍ନାଇର ମନୋବଳ ବୃଦ୍ଧି କରିବା ନିଶ୍ଚିତ ।
ଉଭୟ ଦଳ ୫ଟି ଲେଖାଏଁ ମ୍ୟାଚ ଖେଳି ୪ ପଏଣ୍ଟ ଅର୍ଜନ କରିଛନ୍ତି । ଚେନ୍ନାଇ ରନ ରେଟ୍ରେ ବହୁ ପଛରେ ପଡ଼ି ଯାଇଛି । ହାଇଦ୍ରାବାଦକୁ ବଡ଼ ବ୍ୟବଧାନରେ ହରାଇବା ପାଇଁ ଚେନ୍ନାଇ ଗୁରୁତ୍ୱ ଦେବା ଆବଶ୍ୟକ । ତେଣୁ ପ୍ରମୁଖ ଖେଳାଳିମାନଙ୍କୁ ଫର୍ମକୁ ଫେରିବାକୁ ପଡ଼ିବ । ବିଶେଷ କରି ଅଧିନାୟକ ଋୁତୁରାଜ ଗାଏକୱାଡଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ ପ୍ରଭାବିତ କରୁଛି । ସେ ଓପନର ଭାବେ ଖେଳି ବାରମ୍ବାର ବିଫଳ ହେଉଛନ୍ତି ।
ଅଧିକ ପଢ଼ନ୍ତୁ :- IPL 2026: ଆଜି ଦିଲ୍ଲୀକୁ ଭେଟିବ ବେଙ୍ଗାଲୁରୁ, ପାଟିଦାରଙ୍କ ପାଇଁ ଅକ୍ଷର ବାହିନୀର ସ୍ପିନ୍ ଚ୍ୟାଲେଞ୍ଜ
ସନରାଇଜର୍ସ ପ୍ରଦର୍ଶନରେ ଉତ୍ଥାନ ଓ ପତନ ଲାଗି ରହିଛି । ମାତ୍ର ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଇଶାନ କିଷନଙ୍କ ନେତୃତ୍ୱ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ବିଜୟ ଏହାର ପ୍ରମୁଖ ପ୍ରମାଣ । ଉକ୍ତ ମ୍ୟାଚରେ ୨ଜଣ ନୂଆ ବୋଲର ସାକିବ ହୁସେନ ଓ ପ୍ରଫୁଲ୍ଲ ହିଙ୍ଗେଙ୍କୁ ପଦାର୍ପଣ କରାଇଥିଲା ହାଇଦ୍ରାବାଦ । ଉଭୟ ୪ଟି ଲେଖାଏଁ ୱିକେଟ୍ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ପୂର୍ବ ରେକର୍ଡ ସବୁ ଚେନ୍ନାଇ ପକ୍ଷରେ ରହିଥିଲେ ହେଁ ବର୍ତ୍ତମାନ ସମୟ ବଦଳିଛି । ଉଭୟ ଦଳ ପରସ୍ପରକୁ ମୋଟ୍ ୨୨ଥର ଭେଟିଛନ୍ତି । ଏଥିରୁ ଚେନ୍ନାଇ ୧୫ଟି ମ୍ୟାଚ ଜିତିଛି । ଗତ ବର୍ଷ ହାଇଦ୍ରାବାଦ ୫ ୱିକେଟ୍ରେ ଚେନ୍ନାଇକୁ ହରାଇଥିଲା । ଏଥର ଚେନ୍ନାଇ ପ୍ରତିଶୋଧ ନେବାକୁ ପ୍ରୟାସ କରିବ ।
ଆଜି ଚେନ୍ନାଇ ଦଳରେ ପରିବର୍ତ୍ତନ ହେବା ନିଶ୍ଚିତ । ଖଲିଲ ଅହମ୍ମଦ ଆହତ ହୋଇ ଆଇପିଏଲ୍ରୁ ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ମୁକେଶ ଚୌଧୁରୀଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ତଥାପି ଦଳରେ ମାଟ୍ ହେନରୀଙ୍କ ଭଳି ଦକ୍ଷ ବିଦେଶୀ ପେସ୍ ବୋଲର ରହିଛନ୍ତି । ତେଣୁ ତାଙ୍କୁ ଇମ୍ପାକ୍ଟ ଖେଳାଳି ଭାବେ ଉପଯୋଗ କରାଇବା ଏକ ରଣନୀତି ହୋଇପାରେ । ସନରାଇଜର୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ ।
ଚେନ୍ନାଇ ସ୍ପିନର ନୂର ଅହମ୍ମଦ ଓ ହାଇଦ୍ରାବାଦ ବ୍ୟାଟର ହେନରିଚ କ୍ଲାସେନଙ୍କ ମଧ୍ୟରେ ଆଜି ଏକ ଲଢ଼େଇ ଦେଖିବାକୁ ମିଳିପାରେ । ନୂରଙ୍କ ବିପକ୍ଷରେ କ୍ଲାସେନଙ୍କ ଷ୍ଟ୍ରାଇକ ରେଟ୍ ୨୬୯ ରହିଛି । ଏହି ମ୍ୟାଚ ପାଇଁ ପ୍ରସ୍ତୁତ ପିଚ୍ରେ ବିଶାଳ ସ୍କୋର ସଂଗୃହୀତ ହୋଇ ପାରିବ । ମାତ୍ର ଉତ୍ତପ୍ତ ତାପମାତ୍ରା ପିଚ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗରେ ପିଚ୍ ମନ୍ଥର ହୋଇପାରେ । ତେଣୁ ଟସ୍ ସେଭଳି ଗୁରୁତ୍ୱ ରଖିବା ନାହିଁ।
ସମ୍ଭାବ୍ୟ ଦଳ
ହାଇଦ୍ରାବାଦ: ଟ୍ରାଭିସ ହେଡ୍, ଅଭିଷେକ ଶର୍ମା, ଇଶାନ କିଷନ (ଅଧିନାୟକ), ହେନରିଚ କ୍ଲାସେନ, ନୀତିଶ କୁମାର ରେଡ୍ଡୀ, ଅନିକେତ ବର୍ମା, ସଲିଲ ଆରୋରା, ହର୍ଷ ଦୁବେ, ଶିବାଙ୍ଗ କୁମାର, ଇଶାନ ମାଲିଙ୍ଗା, ପ୍ରଫୁଲ୍ଲ ହିଙ୍ଗେ, ସାକିବ ହୁସେନ ।
ଚେନ୍ନାଇ: ଋୁତୁରାଜ ଗାଏକୱାଡ୍ (ଅଧିନାୟକ), ସଞ୍ଜୁ ସାମସନ, ଆୟୂଷ ମାହତ୍ରେ, ଡିୱାଲ୍ଡ ବ୍ରେଭିସ, ସର୍ଫରାଜ ଖାନ, ଶିବମ ଦୁବେ, ଜାମି ଓଭରଟନ, ନୂର ଅହମ୍ମଦ, ଅଂଶୁଲ କାମ୍ବୋଜ, ଗୁରଜନପ୍ରୀତ ସିଂହ, ମୁକେଶ ଚୌଧୁରୀ/ ମାଟ୍ ହେନରୀ, ଅକିଲ ହୋସେନ ।