ବେଙ୍ଗାଲୁରୁ,୧୮/୦୪: ଚଳିତ ଆଇପିଏଲ୍‌ର ୨୬ତମ ଲିଗ୍ ମ୍ୟାଚରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ବେଙ୍ଗାଲୁରୁ ଘରୋଇ ଗ୍ରାଉଣ୍ଡ୍‌ ଦିଲ୍ଲୀକୁ ଭେଟିବ । ଏହି ମ୍ୟାଚ ଜିତି ପୁନର୍ବାର ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ବେଙ୍ଗାଲୁରୁ ପ୍ରୟାସ କରିବ । ମାତ୍ର ଘରୋଇ ଦଳର ଅଧିନାୟକ ରଜତ ପାଟିଦାରଙ୍କ ପାଇଁ ଏକ ସୁପ୍ତ ଚ୍ୟାଲେଞ୍ଜ ଅପେକ୍ଷା କରି ରହିଛି । ସ୍ପିନରଙ୍କ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରୁଥିବା ପାଟିଦାରଙ୍କୁ ଅଟକାଇବା ପାଇଁ ଅକ୍ଷର ପଟେଲ ଓ କୁଲଦୀପ ଯାଦବ ଯୋଡ଼ି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।

ଚଳିତ ସିଜନରେ ମଧ୍ୟ ଓଭର (୬ରୁ ୧୬ ଓଭର ପର୍ଯ୍ୟନ୍ତ) ଗୁଡ଼ିକରେ ସମସ୍ତ ଦଳର ବ୍ୟାଟରମାନଙ୍କ ହାରାହାରି ଷ୍ଟ୍ରାଇକ ରେଟ୍ ୧୫୧.୩୯ ରହିଛି । ଏହି ଓଭରଗୁଡ଼ିକରେ ପାଟିଦାରଙ୍କ ଷ୍ଟ୍ରାଇକ ରେଟ୍ ରହିଛି ୨୨୩.୮୬ । ୬ରୁ ୧୬ ଓଭର ମଧ୍ୟରେ ସମସ୍ତ ଦଳ ମୁଖ୍ୟତଃ ସ୍ପିନରମାନଙ୍କୁ ପ୍ରୟୋଗ କରିଥା’ନ୍ତି । ସ୍ପିନରଙ୍କ ବିପକ୍ଷରେ ପାଟିଦାରଙ୍କ ପ୍ରଦର୍ଶନ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ।

ସେ ଖେଳିଥିବା ୫ଟି ମ୍ୟାଚରେ ମଧ୍ୟଓଭର ଗୁଡ଼ିକରେ ମୋଟ୍ ୧୮ଟି ଛକା ମାରି ସାରିଛନ୍ତି । ତାଙ୍କ ଦଳର ବାକି ସମସ୍ତ ଖେଳାଳି ମିଳିତ ଭାବେ ଏହି ସମୟରେ ୧୭ଟି ଛକା ମାରିଛନ୍ତି । ଆଜି ପାଟିଦାର ଭାରତୀୟ ଦଳର ଦୁଇ ପ୍ରମୁଖ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କୁ ସାମ୍ନା କରିବେ । ଉଭୟ ପକ୍ଷ ମଧ୍ୟରେ ହେବାକୁ ଥିବା ଲଢ଼େଇର ବିଜେତାଙ୍କୁ ଦେଖିବା ପାଇଁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଆଜି ଲୋକେଶ ରାହୁଲଙ୍କ ଉପରେ ମଧ୍ୟ ନଜର ରହିବ । ଗତ ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ମ୍ୟାଚରେ ସେ ଅପରାଜିତ ୯୩ ରନ୍ର ଇନିଂସ ଖେଳି ଦିଲ୍ଲୀକୁ ବିଜୟୀ କରାଇଥିଲେ। ଏଥର ଆଇପିଏଲ୍‌ରେ ବେଙ୍ଗାଲୁରୁ ଦଳକୁ ହରାଇବା ସମସ୍ତ ଦଳ ପାଇଁ କାଠିକର ପାଠ ହେଉଛି । କେବଳ ରାଜସ୍ଥାନ ବିପକ୍ଷରେ ବେଙ୍ଗାଲୁରୁ ପରାଜିତ ହୋଇଥିବାବେଳେ ଆସନ୍ତାକାଲି ଦିଲ୍ଲୀ ଦ୍ୱିତୀୟ ଦଳ ହେବାର ସମସ୍ତ କ୍ଷମତା ରଖିଛି । କେବଳ ପେସ୍ ବୋଲିଂ ବିଭାଗକୁ ଶୃଙ୍ଖଳିତ କରିବାର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ :-  Women t20 series; ଉଲଭାର୍ଟଙ୍କ ଅର୍ଦ୍ଧଶତକ, ପ୍ରଥମ ଟି-ଟ୍ୱେଣ୍ଟିରେ ଦ.ଆଫ୍ରିକାଠୁ ହାରିଲା ଭାରତ

ଆଜି ବିରାଟ କୋହଲି ଏକ ରେକର୍ଡ କରିବାକୁ ଯାଉଛନ୍ତି । ସେ ଆଇପିଏଲର ତୃତୀୟ ଖେଳାଳି ଭାବେ ୩୦୦ ଛକା କ୍ଲବରେ ସାମିଲ ହୋଇ ପାରିବେ । ଇତି ମଧ୍ୟରେ ସେ ୨୯୯ଟି ଛକା ମାରି ସାରିଛନ୍ତି । ଆଇପିଏଲ୍‌ରେ କେବଳ କ୍ରିସ ଗେଲ୍ ୩୫୭ ଓ ରୋହିତ ଶର୍ମା ୩୧୦ଟି ଛକା ମାରିଛନ୍ତି ।

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିଛି । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ ବ୍ୟାଟରଙ୍କ ପାଇଁ ସ୍ୱର୍ଗ ପାଲଟିଛି । ଅବଶ୍ୟ ଉତ୍ତପ୍ତ ତାପମାତ୍ରାରେ ପିଚ୍ ଶୁଷ୍କ ହୋଇ ସାରିଥିବାରୁ ସ୍ପିନରଙ୍କୁ କିଛି ମାତ୍ରାରେ ସହାୟତା କରିବ । ବଲ୍ ମନ୍ଥର ରହିବା ନିଶ୍ଚିତ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ବେଙ୍ଗାଲୁରୁ: ଫିଲ ସଲ୍ଟ, ବିରାଟ କୋହଲି, ଦେବଦତ୍ତ ପାଡ଼ିକଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା, ଟିମ ଡେଭିଡ୍, ରୋମାରିଓ ସେଫର୍ଡ, କୃନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍, ରସିକ ସଲାମ, ସୂୟାଶ ଶର୍ମା ।

ଦିଲ୍ଲୀ: ପଥୁମ ନିଶଙ୍କା, କେଏଲ ରାହୁଲ, ନୀତିଶ ରାଣା/ଆଶୁତୋଷ ଶର୍ମା, ସମୀର ରିଜଭୀ, ଅକ୍ଷର ପଟେଲ, ଡେଭିଡ୍ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ବିପ୍ରଜ ନିଗମ/ଆକିବ ନବି, ଲୁଙ୍ଗି ଏନଗିଡ଼ି, କୁଲଦୀପ ଯାଦବ, ଟି. ନଟରାଜନ, ମୁକେଶ କୁମାର ।